କଳାହାଣ୍ଡି ଜିଲାରେ ସ୍ବାସ୍ଥ୍ୟସେବାର ବିକଳ ଚିତ୍ର, ୧୬ ଲକ୍ଷ ରୋଗୀଙ୍କ ପାଇଁ ଉନ୍ନତ ସ୍ବାସ୍ଥ୍ୟସେବା ସ୍ବପ୍ନ

ଭବାନୀପାଟଣା: କଳାହାଣ୍ଡି ଜିଲାରେ ଏପର୍ଯ୍ୟନ୍ତ ଉନ୍ନତ ମାନର ସ୍ବାସ୍ଥ୍ୟସେବା ଉପଲବ୍ଧ ହୋଇପାରି ନାହିଁ। ଜିଲାର ପ୍ରାୟ ୧୬ ଲକ୍ଷ ଲୋକଙ୍କୁ ଉନ୍ନତ ମାନର ସ୍ବାସ୍ଥ୍ୟସେବା ପାଇଁ ଜିଲା ଓ ରାଜ୍ୟ ବାହାରକୁ ଯିବାକୁ ପଡୁଛି। ସମ୍ବଲପୁରର ବୁର୍ଲା ସହିତ ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ସମେତ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଉପରେ ସେମାନଙ୍କୁ ନିର୍ଭର କରିବାକୁ ପଡୁଛି। ବିଭିନ୍ନ ସମୟରେ ଗୁରୁତର ରୋଗୀ ଏହି ସବୁ ସ୍ଥାନକୁ ଚିକିତ୍ସା ପାଇଁ ଯିବା ସମୟରେ ରାସ୍ତାରେ ମୃତ୍ୟୁ ହେବା ଘଟଣା ନୂଆ ନୁହେଁ। କିନ୍ତୁ ଆଜି ପର୍ୟ୍ୟନ୍ତ ଜିଲାରେ ନିର୍ମାଣାଧୀନ ସରକାରୀ ମେଡିକାଲ କଲେଜ କେବେ ହେବ ଓ ଜିଲାବାସୀ ତାହାର ସୁବିଧା ପାଇବେ ତାହା ହିଁ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଜିଲା ମୁଖ୍ୟ ଚିକିତ୍ସାଳୟରୁ ଆରମ୍ଭ କରି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପର୍ୟ୍ୟନ୍ତ ସବୁଠାରେ ବିଭିନ୍ନ ବିଭାଗର ଡାକ୍ତର ପଦ ଖାଲି। କେଉଁଠି ଡାକ୍ତର ଥିଲେ ଶଯ୍ୟା ନାହିଁ, ଶଯ୍ୟା ଥିଲେ ଡାକ୍ତର ନାହାନ୍ତି। ବହୁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତର ଓ ଅନ୍ୟ ପଦ ଖାଲି ଥିବାରୁ ବହୁ ଚିକିତ୍ସାକେନ୍ଦ୍ର ଫର୍ମାସିଷ୍ଟ ଭରସାରେ ଚାଲିଛି ତାହାର ସୁଯୋଗରେ ବିଶେଷ କରି ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଘରୋଇ ଡାକ୍ତରଖାନା ଅଧିକ ଶୋଷଣ କରୁଥିବା ଦେଖିବାକୁ ମିଳୁଛି।
କଳାହାଣ୍ଡି ମୋଟ ୨୨୩୬ଟି ଗ୍ରାମ ମଧ୍ୟରୁ ଆଜି ମଧ୍ୟ ୫୩୫ଟି ଗ୍ରାମ ଅତି ଦୁର୍ଗମ। ଯେଉଁଠି କି ଗାଡ଼ି ମୋଟର ଯିବା ଦୂରର କଥା ପାଦରେ ଚାଲି ଚାଲି ଯିବା ମଧ୍ୟ କଷ୍ଟସାଧ୍ୟ। ସେଥିରୁ ୩୪୨ଟି ଗ୍ରାମ ବର୍ଷ ସାରା ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଥିବା ବେଳେ ୧୯୩ଟି ଗ୍ରାମ ବର୍ଷର ପ୍ରାୟ ୬ ମାସରୁ ଊର୍ଦ୍ଧ୍ବ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଥାଏ। ଏହିସବୁ ଗ୍ରାମର ଗ୍ରାମବାସୀ କେବଳ ଭଗବାନଙ୍କ ଭରସାରେ ହିଁ ବଞ୍ଚିଥାନ୍ତି। ଗୁଣିଗାରେଡ଼ି, ଗ୍ରାମ୍ୟ ଦେବାଦେବୀ ଓ ଜଙ୍ଗଲ ଚେରମୂଳ ହିଁ ସେମାନଙ୍କର ସ୍ୱାସ୍ଥ୍ୟସେବାର ଏକମାତ୍ର ସାହାଭରସା। ଏହିସବୁ ଅଞ୍ଚଳ କୌଣସି ଗୁରୁତର ପ୍ରସୂତି କିମ୍ବା କୌଣସି ଗୁରୁତର ରୋଗୀକୁ ବାଧ୍ୟ ହୋଇ ତାଙ୍କ ପରିବାର ସଦସ୍ୟମାନେ ବହୁକଷ୍ଟରେ ଭାରରେ ବୋହି ବୋହି ୧୦ରୁ ୨୦ କିମି ଚାଲି ଚାଲି ମୁଖ୍ୟ ରାସ୍ତାକୁ ଆଣିଥାନ୍ତି। ବର୍ଷା ମାସରେ ଏହି ସବୁ ଅଞ୍ଚଳର ରୋଗୀ କିମ୍ବା ପ୍ରସୂତିଙ୍କୁ ନଦୀ, ନାଳ, ଝରଣା ଆଦି ପାର ହୋଇ ଭାରରେ ବୋହି ଆଣିବା ସମ୍ଭବ ହୁଏନାହିଁ। ଫଳରେ ଏହିସବୁ ଅଞ୍ଚଳରେ ରୋଗୀମାନେ ଚିକିତ୍ସା ଅଭାବରୁ ମୃତ୍ୟୁମୁଖରେ ପଡ଼ିଥାନ୍ତି। ଜିଲାର ବର୍ତ୍ତମାନ ୧୬ ଲକ୍ଷ ଲୋକଙ୍କ ପାଇଁ ଗୋଟିଏ ଜିଲା ଡାକ୍ତରଖାନା, ଗୋଟିଏ ଉପଖଣ୍ଡସ୍ତରୀୟ ଡାକ୍ତରଖାନା, ୧୭ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର (ସିଏଚସି), ୬୪ ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ପିଏଚସି ନ୍ୟୁ), ଅନ୍ୟ ଡାକ୍ତରଖାନା ୨ ଏବଂ ୨୪୧ ଟି ଉପକେନ୍ଦ୍ର ରହିଛି। ଜିଲା ସ୍ୱାସ୍ଥ୍ୟ ବିଭାଗ ପରିସରରେ ଥିବା ଆଞ୍ଚଳିକ ନିଦାନ କେନ୍ଦ୍ରରେ କୋଟି କୋଟି ଟଙ୍କାର ଉନ୍ନତମାନର ସିଟିସ୍କାନ, ଅଲଟ୍ରାସାଉଣ୍ଡ ଓ ଅନ୍ୟାନ୍ୟ ଯନ୍ତ୍ରପାତି ଥିଲେ ମଧ୍ୟ ଅଭିଜ୍ଞ ଟେକନିସିଆନ ଅଭାବ ଯୋଗୁଁ ତାହା ଠିକ୍‌ ଭାବେ କାର୍ୟ୍ୟକାରୀ ହେଉନାହିଁ।

 

ଏଭଳି ଅବ୍ୟବସ୍ଥା ଯୋଗୁଁ ବାଧ୍ୟ ହୋଇ ରୋଗୀମାନେ ଧାର ଉଧାର କରି ଆନ୍ଧ୍ରପ୍ରଦେଶର ବିଶାଖାପାଟଣା, ଛତିଶଗଡ଼ର ରାୟପୁର ଓ ଓଡ଼ିଶାର ବୁର୍ଲା, କଟକ, ଭୁବନେଶ୍ୱର ଏବଂ ବ୍ରହ୍ମପୁର ଆଦି ସ୍ଥାନକୁ ଯାଇ ଘରୋଇ ମେଡିକାଲରେ ଖର୍ଚ୍ଚାନ୍ତ ହୋଇ ଚିକିତ୍ସିତ ହେବାକୁ ବାଧ୍ୟ ହେଉଛନ୍ତି। ବିଶେଷକରି କଳାହାଣ୍ଡି ଜିଲାରୁ ବୁର୍ଲା ୨୪୦ କିମି, ବିଶାଖାପାଟଣା ୪୧୦ ଏବଂ କଟକ ଓ ଭୁବନେଶ୍ୱର ୪ଶହରୁ ୫ଶହ କିମି ଦୂର ଯିବାକୁ ପଡୁଛି। କଳାହାଣ୍ଡି ଜିଲାର ସେପରି କୌଣସି ବଡ଼ଧରଣର ଘରୋଇ ଡାକ୍ତରଖାନା ନାହିଁ। ରାଜ୍ୟ ସରକାରଙ୍କ ତରଫରୁ ସରକାରୀ-ଘରୋଇ ଭାଗିଦାରୀ (ପିପିପି)ରେ ହୋଇଥିବା ସର୍ଦ୍ଦାର ରାଜା ମେଡିକାଲ କଲେଜ ୨ ବର୍ଷ ଚାଲିବା ପରେ ତାହା ମଧ୍ୟ ସବୁଦିନ ପାଇଁ ବନ୍ଦ ହୋଇଯାଇଛି। ଏହାଛଡ଼ା ନିର୍ମାଣାଧୀନ ଭଙ୍ଗାବାରୀସ୍ଥିତ କଳାହାଣ୍ଡି ସରକାରୀ ମେଡିକାଲ କଲେଜ କେବେ କାର୍ୟ୍ୟକ୍ଷମ ହେବ ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହାର ସୁଯୋଗ ନେଇ ବିଶେଷ କରି ଆନ୍ଧ୍ରପ୍ରଦେଶର ବିଶାଖାପାଟଣାର ବିଭିନ୍ନ ଘରୋଇ ଡାକ୍ତରଖାନା କର୍ତ୍ତୃପକ୍ଷ ସେମାନଙ୍କର ଦଲାଲ (ଏଜେଣ୍ଟ) ମାନଙ୍କ ମାଧ୍ୟମରେ ଜିଲାରୁ ପ୍ରତିଦିନ ଶହ ଶହ ରୋଗୀଙ୍କୁ ନେଉଛନ୍ତି। ଏପରିକି ବିଭିନ୍ନ ସରକାରୀ ଡାକ୍ତରଖାନାର ଡାକ୍ତରମାନେ ମଧ୍ୟ ମୋଟା ଅଙ୍କର କମିସନ ପାଇ ରୋଗୀମାନଙ୍କୁ ବିଶାଖାପାଟଣା ପଠାଉଥିବା ଦେଖିବାକୁ ମିଳୁଛି। କେନ୍ଦ୍ର ଓ ରାଜ୍ୟ ସରକାର ଏହି ଦୁର୍ଗମ ଜିଲାର ଉଚ୍ଚମାନର ସ୍ୱାସ୍ଥ୍ୟ ବ୍ୟବସ୍ଥା ଯୋଗାଇ ଦେବା ପାଇଁ ଡିଣ୍ଡିମ ପିଟୁଥିବା ବେଳେ ପ୍ରକୃତରେ ରୋଗୀ କେତେ ପରିମାଣର ଉଚ୍ଚମାନର ସ୍ୱାସ୍ଥ୍ୟ ସୁବିଧା ପାଉଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

Comments
Loading...