ବିନାୟକ କଲେଜ ଛାତ୍ର ମୃତ୍ୟୁ ଘଟଣାର ନିରପେକ୍ଷ ତଦନ୍ତ ଦାବି

କଲମପୁର : ଭବାନିପାଟଣା ସ୍ଥିତ ବିନାୟକ ରେସିଡେନ୍ସିଆଲ କଲେଜର ଛାତ୍ର ମୃତ୍ୟୁ ଘଟଣାର ଆଠ ଦିନ ବିତି ସାରିଥିଲେ ମଧ୍ୟ ତଦନ୍ତ ବାଟବଣା ହେଉଥିବା ସନ୍ଦେହ କରୁଛନ୍ତି ପରିବାର ଓ ଗ୍ରାମବାସୀ। ଏହା ଏକ ଯୋଜନାବଦ୍ଧ ହତ୍ୟା କାଣ୍ଡ ଓ ଏଥିରେ କଲେଜର କିଛି ସହପାଠୀ ସାମିଲ ଥିବା ଅଭିଯୋଗ କରିଛନ୍ତି ମୃତ ଛାତ୍ରର ପରିବାର। ଏହାର ନିରପେକ୍ଷ ତଦନ୍ତ କରାନଗଲେ ଆଗାମୀ ଦିନରେ ଏକ ଭୟାବହ ଆନ୍ଦୋଳନ କରାଯିବା ନେଇ ଚେତାବନୀ ଦେଇଛନ୍ତି ମୃତ ଛାତ୍ରର ପରିବାର ଓ ଗ୍ରାମବାସୀ।
ପ୍ରାପ୍ତ ସୂଚନା ଅନୁସାରେ ଗତ ୨୯.୧୦ ଦିନ ସଂଧ୍ୟାରେ ବିନାୟକ ରେସିଡେନ୍ସିଆଲ କଲେଜର ଯୁକ୍ତ ଦୁଇ ବିଜ୍ଞାନ ବିଭାଗର ଦ୍ୱିତୀୟ ବର୍ଷର ଛାତ୍ର ଶାଶ୍ୱତ କୁମାର ମୁଣ୍ଡର ଶବକୁ ହଷ୍ଟେଲ ନିକଟବର୍ତି ପିପଳ ନାଳରୁ ଉଦ୍ଧାର କରାଯାଇଥିଲା। ପରିବାର ଲୋକଙ୍କୁ କୌଣସି ସୂଚନା ନଦେଇ କଲେଜ କତୃପକ୍ଷ ତୁରନ୍ତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେତେବେଳକୁ ଛାତ୍ରଟିର ମୃତ୍ୟୁ ଘଟିସାରିଥିଲା। ରେସିଡେନ୍ସିଆଲ କଲେଜରେ ନାମ ଲେଖା, ହଷ୍ଟେଲରେ ରହିବା, ଖାଇବା ଓ ପାଠପଢା ବାବଦକୁ ଲକ୍ଷାଧିକ ଟଙ୍କା ଅସୁଲି କରାଯାଉଛି। ନାମଲେଖା ସମୟରେ ଛାତ୍ର ଛାତ୍ରୀ ଙ୍କ ବିଭିନ୍ନ ସୁରକ୍ଷା ନେଇ ଅନେକ ପ୍ରତିଶୃତି ଦିଆଯାଉଛି। କିନ୍ତୁ କେଉଁ ପରିସ୍ଥିତିରେ ଛାତ୍ର ଜଣକ ନାଳକୁ ଗଲା ? ସେନେଇ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଅନ୍ୟପଟେ ନାଳରେ ସେଭଳି ପର୍ୟ୍ୟାପ୍ତ ପାଣିନଥିବା ବେଳେ କିଭଳି ପ୍ରାୟ ୬ ଫୁଟ ଉଚ୍ଚତା ଥିବା ଛାତ୍ର ଜଣକ ବୁଡିଗଲେ। ସେନେଇ ମଧ୍ୟ ସାଧାରଣରେ ଛାତ୍ରର ମୃତ୍ୟୁ ନେଇ ସନ୍ଦେହ କରାଯାଉଛି। ଅନ୍ୟପଟେ ଛାତ୍ର ଜଣକଙ୍କ ବ୍ୟବହାର ଅତ୍ୟନ୍ତ ସୁଧାର ଓ ନମ୍ର। ଯାହା କଲେଜର ଛାତ୍ର ଛାତ୍ରୀଙ୍କ ସମେତ କଲେଜର କର୍ମଚାରୀ, ତାର ସମ୍ପର୍କୀୟ ଓ ଗ୍ରାମବାସୀ ସୁଚନା ଦେଉଛନ୍ତି। ତେବେ କିଏ ଓ କାହିଁକି ଏଭଳି ଏକ ଘଟଣା ଘଟାଇଲା। ସେନେଇ ସାଧାରଣରେ ପ୍ରଶ୍ନବାଚୀ ଦେଖା ଦେଇଛି।
ବୁଧବାର ସଂଧ୍ୟାରେ ମୃତ ଛାତ୍ରର ନିଜ ଗାଁ କଲମପୁର ବ୍ଲକ ଅଧିନସ୍ଥ ଭାଲୁବୁଟୁରା ସ୍ଥିତ ରାମ ମନ୍ଦିର ପ୍ରାଙ୍ଗଣ ଠାରେ ମୃତ ଛାତ୍ରର ବଡବାପା ଶରତ ଚନ୍ଦ୍ର ମୁଣ୍ଡଙ୍କ ଅଧ୍ୟକ୍ଷତାରେ ଏକ ସ୍ମୃତୀ ସଭା ଓ କେଣ୍ଡିଲ ଯାତ୍ରା ଅନୁଷ୍ଠିତ ହେଇଥିଲା। ଆୟୋଜିତ ସଭାରେ ଗ୍ରାମବାସୀ ଏହାର ଏକ ନିରପେକ୍ଷ ତଦନ୍ତ ସହ ଦୋଷୀ ପ୍ରତି ଦୃଢ କାର୍ୟ୍ୟାନୁଷ୍ଟାନ ଗ୍ରହଣ କରିବା ପାଇଁ ଦାବି କରିଥିଲେ। ନଚେତ ଗ୍ରାମବାସୀଙ୍କ ତରଫରୁ ଆନ୍ଦୋଳନାତ୍ମକ ପଦକ୍ଷେପ ନିଆଯିବ ବୋଲି ଗଣମାଧ୍ୟମ ନିକଟରେ ମତ ରଖିଥିଲେ। ଏଥିରେ ମୃତ ଛାତ୍ରର ପରିବାର ଓ ସମ୍ପର୍କୀୟଙ୍କ ସମେତ ଆଖପାଖ ଅଂଚଳରୁ ୫ଶହରୁ ଅଧିକ ଲୋକ ଉପସ୍ଥିତ ରହିଥିଲେ। ଅନ୍ୟପଟେ ଘଟଣାର ତଦନ୍ତ ଜାରି ରହିଛି ଓ କର୍ତବ୍ୟରେ ଅବହେଳା କାରଣରୁ କଲେଜ କତୃପକ୍ଷଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ବୋଲି ଘଟଣାର ତଦନ୍ତ ଦାଇତ୍ୱରେ ଥିବା ଭବାନିପାଟଣା ଟାଉନ ଥାନା ଅଧିକାରୀ ବାସୁଦେବ ଛତ୍ରିଆ ସୁଚନା ଦେଇଛନ୍ତି।

Comments are closed.