ବନବିଭାଗ ଉଜାଡିଦେଲା ଗାଁ : ଗଛ ତଳେ ଜୀବନ କାଟୁଛନ୍ତି ୪୨ ପରିବାର

କଳାହାଣ୍ଡି : ଦେଶରେ ଏବେ କରୋନା ସ୍ଥିତି। ଘରେ ରହିବାକୁ ସରକାର ଲୋକଙ୍କୁ ପରାମର୍ଶ ଦେଉଥିବା ବେଳେ ବନବିଭାଗ କର୍ମଚାରୀଙ୍କ ପାଇଁ ୪୨ ପରିବାର ଏବେ ଗଛ ତଳେ ଜୀବନ କାଟୁଛନ୍ତି। ଏଭଳି ଘଟଣା ଘଟିଛି କଳାହାଣ୍ଡି ଜିଲା ସାଗଡା ପଂଚାୟତର ନହେଲା ଗାଁରେ। ମିଳିଥିବା ସୂଚନା ଅନୁଯାୟୀ ଜିଲା ମୁଖ୍ୟାଳୟଠାରୁ ମାତ୍ର ୧୫ କିଲୋମିଟର ଦୁରରେ ଅବସ୍ଥିତ ଏହି ଗାଁରେ ୪୨ ପରିବାରର ୯୦ ଲୋକ ରହୁଥିବା ବେଳେ ଏପ୍ରିଲ ୨୪ ତାରିଖରେ ବନବିଭାଗ କର୍ମଚାରୀମାନେ ଗାଁଟି କୁ ଉଜାଡି ଦେଇଛନ୍ତି। କେଉଁ କାରଣ ପାଇଁ ଏହା କରାଯାଇଛି କୁହାଯାଇ ନଥିବା ବେଳେ କୌଣସି ଅଧିକାରୀ ମଧ୍ୟ ମୁହଁ ଖୋଲୁନାହାନ୍ତି।

ସୂଚନା ଅନୁସାରେ, ଖାଣ୍ଡୁଲ ମାଳି ବନବିଭାଗ କ୍ଷେତ୍ରରେ ଆସୁଥିବା ଏହି ଅଂଚଳରେ ବକ୍ସାଇଟ ମହଜୁତ ରହିଛି। ଯେଉଁଥିପାଇଁ କିଛି କର୍ପୋରେଟ ସଂସ୍ଥାର ନଜର ରହିଛି ବୋଲି ଗ୍ରୀନ ନୋବେଲ ବିଜେତା ତଥା ଲୋକଜନଶକ୍ତି ସଂସ୍ଥାର ଅଧ୍ୟକ୍ଷ ପ୍ରଫୁଲ ସାମନ୍ତରା କହିଛନ୍ତି। ଏହି ଘଟଣା ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ପ୍ରଚାର କରିବା ପରେ ଏହା ସର୍ବସମ୍ମୁଖକୁ ଆସିଛି। ଗତ ୬ ମାସ ଧରି ବନବିଭାଗ ସେମାନଙ୍କୁ ହଟାଇବାକୁ ପ୍ରୟାସ କରୁଥିବା ଜଣାପଡିଛି। ଗାଁ ଉଜୁଡି ଯିବା ପରେ ଗଚ୍ଛତଳରେ ରହିବା ସହ ମହୁଆ ଖାଇ ଜୀବନ ଜିଇଁଥିବା ପ୍ରଭାବିତ ଲୋକେ କହିଛନ୍ତି। ସୂଚନା ଯୋଗ୍ୟ ଯେ ପୂର୍ବରୁ ସେମାନେ ୧୫ କିଲୋମିଟର ଦୁର ପାହାଡ ତଳେ ମୁଖଗୁଡା ଗ୍ରାମରେ ରହୁଥିଲେ। ୨୦୧୭ ଭୂସ୍କଳନ ପରେ ସେମାନେ ଏଠାକୁ ଆସି ରହିଥିଲେ।

Comments are closed.