କଳାହାଣ୍ଡିରେ ବିଦ୍ୟୁତ୍ ରେଳଇଞ୍ଜିନ କାରଖାନା ପ୍ରତିଷ୍ଠା ପ୍ରସଙ୍ଗ: ଅର୍ଥ ମଞ୍ଜୁର ପରେ ମଧ୍ୟ ଅଗ୍ରଗତି ଶୂନ

ଭବାନୀପାଟଣା : କଳାହାଣ୍ଡି ଜିଲାର ନର୍ଲାରେ ପ୍ରତିଷ୍ଠା ହେବାକୁ ଥିବା ରେଳଡବା ମରାମତି କାରଖାନା ଯେପରି ଆନ୍ଧ୍ରପ୍ରଦେଶର ବିଶାଖାପାଟଣାକୁ ସ୍ଥାନାନ୍ତରିତ ହୋଇଥିଲା, ଏବେ ବିଦ୍ୟୁତ୍‌ ରେଳଇଞ୍ଜିନ୍ କାରଖାନା (ଇଲେକ୍‌ଟ୍ରିକ୍ ଲୋକୋମୋଟିଭ୍ ୱାର୍କସପ୍‌) ପ୍ରତିଷ୍ଠା ମଧ୍ୟ ତଦନୁରୂପ ସମସ୍ୟା ଦେଇ ଗତି କରୁଥିବା ସ୍ପଷ୍ଟ ହେଲାଣି। କେବଳ କଳାହାଣ୍ଡି ନୁହେଁ, ଓଡ଼ିଶା ପାଇଁ ମଧ୍ୟ ଏହା ଏକ ଧକ୍କା। ଦୁଃଖର କଥା ଯେ ଏଥିପାଇଁ ୨୦୧୮ରୁ ରେଳ ବଜେଟ୍‌ରେ ଅର୍ଥ ବରାଦ ହେଉଥିଲେ ହେଁ ରାଜ୍ୟ ସରକାର ଏପର୍ଯ୍ୟନ୍ତ ଆବଶ୍ୟକ ଜମି ପ୍ରଦାନ କରିନଥିବାରୁ ତାହା ଫେରିଯାଉଛି ଓ ନିର୍ମାଣ କାର୍ଯ୍ୟ ଆରମ୍ଭ ମଧ୍ୟ ହୋଇପାରୁନାହିଁ।
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସଙ୍କ ଉଦ୍ୟମ ପରେ ୟୁପିଏ ସରକାରଙ୍କ ସମୟରେ କଳାହାଣ୍ଡି ଜିଲାର ନର୍ଲାରେ ରେଳଡବା ମରାମତି କାରଖାନା କରାଯିବା ପାଇଁ ତତ୍‌କାଳୀନ ରେଳମନ୍ତ୍ରୀ ଲୋକସଭାରେ ଘୋଷଣା କରିଥିଲେ; କିନ୍ତୁ ପରବର୍ତ୍ତୀ ସମୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ଏବଂ ଜିଲାର ଲୋକପ୍ରତିନିଧିଙ୍କ ଅପାରଗତା ଯୋଗୁଁ ଏହି କାରଖାନା ପ୍ରତିଷ୍ଠା ନୋହିଲା। ପରେ ଏହା ଆନ୍ଧ୍ରପ୍ରଦେଶର ବିଶାଖାପାଟଣାକୁ ସ୍ଥାନାନ୍ତର ହୋଇଥିଲା। ଏହି ଘଟଣାକୁ ନେଇ ସେତେବେଳେ ସମଗ୍ର ଜିଲାରେ ତୀବ୍ର ଆନ୍ଦୋଳନ ଦେଖାଦେଇଥିଲା; ଫଳରେ ବାଧ୍ୟହୋଇ ଏନ୍‌ଡିଏ ସରକାର ନର୍ଲାଠାରେ ରେଳଡବା ମରାମତି କାରଖାନା ବଦଳରେ ବିଦ୍ୟୁତ୍‌ ରେଳଇଞ୍ଜିନ କାରଖାନା ପ୍ରତିଷ୍ଠା କରିବା ପାଇଁ ଘୋଷଣା କରିଥିଲେ। ଏଥିପାଇଁ ରାଜ୍ୟ ସରକାର ମାଗଣାରେ ଜମି ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ପରିତାପର ବିଷୟ ଯେ ରେଳବାଇ ବୋର୍ଡ ପକ୍ଷରୁ ଏହି କାରଖାନା ପ୍ରତିଷ୍ଠା କରିବା ନିମନ୍ତେ ବିନାମୂଲ୍ୟରେ ୨୫୦ ଏକର ଜମି ତୁରନ୍ତ ଦେବା ପାଇଁ ବାରମ୍ବାର ପତ୍ର ଲେଖାଯାଇଥିଲେ ମଧ୍ୟ ରାଜ୍ୟ ସରକାର ଆବଶ୍ୟକ ଜମି ଯୋଗାଇ ଦେଇପାରିନାହାନ୍ତି। ଏହି କାରଣରୁ ରେଳଡବା ମରାମତି କାରଖାନା ଭଳି ବିଦ୍ୟୁତ୍‌ ରେଳଇଞ୍ଜିନ୍ କାରଖାନା ମଧ୍ୟ ଅନ୍ୟରାଜ୍ୟକୁ ଚାଲିଯିବାର ଆଶଙ୍କା ପ୍ରକାଶ ପାଇଲାଣି। ଫଳରେ କଳାହାଣ୍ଡିବାସୀଙ୍କର ସ୍ୱପ୍ନ ଧୂଳିସାତ୍ ହେବାକୁ ବସିଛି।

ରେଳବାଇ ବୋର୍ଡର ଅତିରିକ୍ତ ସଦସ୍ୟ ଭି.କେ. ଅଗ୍ରୱାଲଙ୍କ ଅନୁସାରେ ଏଥିପାଇଁ ଚିହ୍ନଟ ହୋଇଥିବା ଜମି ପର୍ଯ୍ୟାପ୍ତ ହେଉନଥିବାରୁ ଅଧିକ ଜମି ତୁରନ୍ତ ଯୋଗାଇ ଦିଆଯିବାର ଆବଶ୍ୟକତା ରହିଛି। ଶ୍ରୀ ଅଗ୍ରୱାଲ ତାଙ୍କ ପତ୍ରରେ ଲେଖିଥିଲେ ଯେ ଏହି ପ୍ରକଳ୍ପ ସ୍ଥାପନ ଓ ଭବିଷ୍ୟତ ସମ୍ପ୍ରସାରଣ ଲାଗି ପ୍ରାୟ ୨୫୦ ଏକର ଜମି ଆବଶ୍ୟକ। ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିନା ମୂଲ୍ୟରେ ୨୫୦ ଏକର ଜମି ଯୋଗାଇଦେବାକୁ ରାଜି ହେବା ସହିତ ଏହି ପ୍ରକଳ୍ପ ସ୍ଥାପନ ପାଇଁ ଅନୁରୋଧ କରିଥିଲେ। ଏହାପରେ ତତ୍‌କାଳୀନ ରେଳମନ୍ତ୍ରୀ ସୁରେଶ ପ୍ରଭୁ ପ୍ରକଳ୍ପ ମଞ୍ଜୁର କରିଥିଲେ। ଏଥିପାଇଁ ୨୦୧୮-୧୯ ବଜେଟ୍‌ରେ ୨୭ ଲକ୍ଷ ଓ ୨୦୧୯-୨୦ ରେଳ ବଜେଟରେ ୧ କୋଟି ଟଙ୍କା ବରାଦ ମଧ୍ୟ ହୋଇଥିଲା; କିନ୍ତୁ ରାଜ୍ୟ ସରକାର ଆବଶ୍ୟକ ଜମି ଯୋଗାଇ ଦେଇନଥିବାରୁ ଉକ୍ତ ଅର୍ଥ ପରବର୍ତ୍ତୀ ସମୟରେ ଫେରିଯାଇଥିଲା। ଚଳିତ ୨୦୨୦-୨୧ ରେଳ ବଜେଟରେ ୧ କୋଟି ଟଙ୍କା ପୁଣି ବରାଦ କରାଯାଇଛି। ରେଳବାଇ ବୋର୍ଡ ପକ୍ଷରୁ ୧୮୬ କୋଟି ଟଙ୍କାରେ ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଲାଗି ପୂର୍ବତଟ ରେଳବାଇକୁ ନିର୍ଦେଶ ଦିଆଯାଇଥିଲା। ପୂର୍ବରୁ ଚିହ୍ନଟ ହୋଇଥିବା ଜମି ଆବଶ୍ୟକତା ପୂରଣ କରିପାରୁ ନଥିବାରୁ ଅନ୍ୟ ସ୍ଥାନରେ ଜମି ଚିହ୍ନଟ କରିବା ପାଇଁ କୁହାଯାଇଛି।

ସୂଚନାଯୋଗ୍ୟ, କଳାହାଣ୍ଡି ଜିଲା ପ୍ରଶାସନ ଚାପଟଖଣ୍ଡା ମୌଜାରେ ୭୦ ଏକର, ରଗଡିମାଳ ମୌଜାରେ ୩୬ ଏକର ଓ ଭଟାଙ୍ଗ ମୌଜାରେ ୮ ଏକର ଜମି ଚିହ୍ନଟ କରିଥିଲେ। ପୂର୍ବତଟ ରେଳବାଇ ପକ୍ଷରୁ ଏହି ଜମି ଅନୁପଯୁକ୍ତ ଦର୍ଶାଯିବା ସହିତ ନର୍ଲା ରେଳଷ୍ଟେସନ ଆଖପାଖରେ ଅତି କମ୍‌ରେ ୨୪୫ ଏକର ଜମି ଆବଶ୍ୟକ ବୋଲି କହିଥିଲେ। ଏହି ସ୍ଥାନଟି ନର୍ଲାରୋଡ୍‌ ଷ୍ଟେସନଠାରୁ ୫ ରୁ ୬ କିଲୋମିଟର ଦୂର ହେବା ଆବଶ୍ୟକ ବୋଲି ରେଳବାଇ ବୋର୍ଡ ପକ୍ଷରୁ କୁହାଯାଇଛି। ଆହୁରି ମଧ୍ୟ ଜଣାଇ ଦିଆଯାଇଛି ଯେ ୧୮୫ ଏକର ଜମିରେ କାରଖାନା ଓ ୬୦ ଏକର ଜମିରେ କର୍ମଚାରୀଙ୍କ ପାଇଁ କ୍ୱାଟର୍ସ ନିର୍ମାଣ ହେବ।

ଉଲ୍ଲେଖନୀୟ ଯେ ତତ୍‌କାଳୀନ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ମିଳିତ କାର୍ଯ୍ୟଦଳ ରେଳଭିତ୍ତିକ ଶିଳ୍ପ ସଂକ୍ରାନ୍ତରେ ଅନୁଧ୍ୟାନ କରିବା ସହିତ କଳାହାଣ୍ଡିରେ ଏହି କାରଖାନା ସ୍ଥାପନ ପାଇଁ ପ୍ରସ୍ତାବ ଦେଇଥିଲେ। ଏହାକୁ ରେଳ ମନ୍ତ୍ରଣାଳୟ ଗ୍ରହଣ କରିଥିଲେ। ତେଣୁ କେବିକେ ଅଞ୍ଚଳରେ ପ୍ରତିଷ୍ଠା ହେବାକୁ ଥିବା ଏହି କାରଖାନା ଲାଗି ଜମି ଅଧିଗ୍ରହଣ ରାଜ୍ୟ ସରକାରଙ୍କ ପ୍ରଧାନ କାମ ହୋଇଥିଲେ ମଧ୍ୟ ଆଜିସୁଦ୍ଧା ତାହା ହୋଇନପାରିବା କ୍ଷୋଭର ବିଷୟ। ଫଳସ୍ବରୂପ ରେଳଡବା ମରାମତି କାରଖାନା ପରି ଏହି ବିଦ୍ୟୁତ୍ ରେଳଇଞ୍ଜିନ୍ କାରଖାନା କଳାହାଣ୍ଡିରୁ ଅନ୍ୟତ୍ର ସ୍ଥାନାନ୍ତର ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ।

କାରଖାନା ପାଇଁ ଜମି ଅଧିଗ୍ରହଣ ସମ୍ପର୍କରେ ନର୍ଲା ତହସିଲଦାର ଜୟନ୍ତ କୁମାର ମେହେର କହିଛନ୍ତି ଯେ, ‘‘ରେଳବାଇ ବୋର୍ଡ ଓ ରାଜ୍ୟ ରାଜସ୍ବ ବିଭାଗର ଚିଠି ଅନୁସାରେ ନର୍ଲାରୋଡ଼ ନିକଟସ୍ଥ ଚାପଟଖଣ୍ଡା ଅଞ୍ଚଳରେ ଜମି ଅଧିଗ୍ରହଣ ଚିହ୍ନଟ ପ୍ରକ୍ରିୟା ଚାଲିଛି।’’ ତେବେ ବର୍ଷବର୍ଷ ଧରି ଏ କ୍ଷେତ୍ରରେ ବିଳମ୍ବ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ପ୍ରକଳ୍ପ ଅନ୍ୟ ରାଜ୍ୟକୁ ଚାଲିଯିବା ପୂର୍ବରୁ ସରକାର ଓ ଜିଲା ପ୍ରଶାସନ ଯଥାଶୀଘ୍ର ଆବଶ୍ୟକ ଜମି ଅଧିଗ୍ରହଣ ସହ କାରଖାନା ନିର୍ମାଣ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ନିମନ୍ତେ ଦାବି ହେଉଛି।

Comments are closed.