ପୁଣି ଭାରରେ ବୁହା ହେଲେ ରୋଗୀ

କଳାହାଣ୍ଡି: ଦୁଇ ତିନି ଦିନ ହେବ ଦେହ ଖରାପ ହେଲାଣି । ଯନ୍ତ୍ରଣା ସହି ହେଉନି, କି କାହାକୁ କହି ହେଉନି ଡାକ୍ତରଖାନା ଯିବେ କେମିତି ଗାଁକୁ ରାସ୍ତା ଥିଲେ ତ। ଯେ ପର୍ୟ୍ୟନ୍ତ ଦେହ ଯନ୍ତ୍ରଣା ସମ୍ଭାଳିପାରିଲା ସେ ପର୍ୟ୍ୟନ୍ତ ସମ୍ଭାଳିନେଲେ। କିନ୍ତୁ ଯେତେବେଳେ ଯନ୍ତ୍ରଣା ଅସମ୍ଭାଳ ହେଲା ସେତେବେଳେ ଭାରାବାଡ଼ିରେ ବୁହାହେଲେ ଡାକ୍ତରଖାନା।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଏମ୍ ରାମପୁର ବ୍ଲକ୍ର ବାଡାପଦର ଗାଁରେ ।ସୂଚନା ଅନୁଯାୟୀ, ବାଡାପଦର ଗାଁର ଜଣେ ମହିଳା ସୁରତି ନାୟକଙ୍କ ଦେହ ଖରାପ ଥିଲା । ଶରୀରରେ ପ୍ରବଳ ଯନ୍ତ୍ରଣା ହୋଇଥିଲା । ହେଲେ ଗାଁକୁ ରାସ୍ତା ନଥିବାରୁ ଠିକ୍ ସମୟରେ ଆମ୍ବୁଲାନ୍ସ ପହଞ୍ଚି ପାରିନଥିଲା । ଅନ୍ୟ ଉପାୟ ନପାଇ ଗାଁ ଲୋକେ ସୁରତିଙ୍କୁ ଭାରାରେ ବୋହି ୧୦ କିଲୋମିଟର ଦୁରରେ ଥିବା ଏମ୍ରାମ୍ପୁର ଡାକ୍ତରଖାନାକୁ ଆଣିଥିଲେ ।ଏ ହେଉଛି ଏମ୍.ରାମପୁର ବ୍ଲକ୍ ସୁରତି ନାୟକଙ୍କ ଦୁଃଖ କାହାଣୀ। ଏ କେବଳ ସୁରତିଙ୍କ ଦୁଃଖ କାହାଣୀ ନୁହଁ । ହଜାର ହଜାର ଲୋକ ନିଜ ଦେହକୁ ଏମିତି ଯନ୍ତ୍ରଣା ଦେଉଛନ୍ତି । କାରଣ ତାଙ୍କ ଗାଁକୁ ଭଲ ରାସ୍ତା ନାହିଁ । ରାସ୍ତା ନଥିବା କାରଣରୁ ଗାଁକୁ ଆମ୍ବୁଲାନ୍ସ ଆସିପାରିବନି ତେଣୁ ନିଜ ଦିହ ପା କଥା ପଡ଼ିଲେ ସେମାନେ ଅସହାୟ ହୋଇପଡ଼ନ୍ତି ।

Comments are closed.