କ୍ରସର ପାଇଁ ଲୁଟ ହେଉଛି ପଥର ଖାଦାନ : କୋଟି କୋଟି ଟଙ୍କାର ରାଜସ୍ୱ ହାନୀ ନିରବଦ୍ରଷ୍ଟା ପ୍ରଶାସନ

କଲମପୁର :ଦିନକୁ ଦିନ ବଢି ଚାଲିଛି କ୍ରସର। ଗୋଟିଏ ପରେ ଦୁଇଟି, ଏବେ ଚାରିଗୋଟି କ୍ରସର ରିତିମତ ଘୋ ଘୋ ଶବ୍ଦ କରି ରାତି ଦିନ ଚାଲି ରହୁଛି। କ୍ରସର ପାଇଁ ଆବଶ୍ୟକ ପଥର ନିକଟସ୍ଥ ପାହାଡରୁ ଫୁଟାଯାଉଛି। ଏହାର ସିଧା ସଳଖ ପ୍ରଭାବ ପଡୁଛି କ୍ରସର ଓ ପଥର କୁଆଁରୀ ନିକଟସ୍ଥ ଗ୍ରାମ ଗୁଡିକରେ। ଲୋକେ ରାତିରେ ଶୋଇ ପାରୁନଥିବା ବେଳେ ଦିନରେ ଶାନ୍ତି ମିଳୁ ନାହିଁ। ପଥରଗୁଣ୍ଡ ଓ ପଥର ପରିବହନ ପାଇଁ ନିୟୋଜିତ ଯାନ ବାହାନ ଦ୍ୱାରା ଉଡୁଥିବା ଧୁଳିକଣା ଦ୍ୱାରା ପ୍ରଭାବିତ ହେଉଛି ଜନ ଜୀବନ। ଏହାସହ ଅନେକ ସମୟରେ ପଥର ଫଟା ଯୋଗୁଁ ଘର ସବୁ ଥରୁଥିବା ବେଳେ ଅକେଙ୍କ ଘର ମଧ୍ୟରେ ଫାଟ ସୃଷ୍ଟି ହେଉଛି। କେବଳ ଜୀବନଧାରଣ ଉପରେ ନୁହେଁ ଏହି କ୍ରସରର ପ୍ରଭାବ ଚାଷ ଜମି ସମେତ ପରିବେଶ ନଷ୍ଟ କରୁଥିବା ଭଳି ଅଭିଯୋଗ କରୁଛନ୍ତି ଜୟପାଟଣା ବ୍ଲକ ଅଧିନସ୍ଥ ମତୁଆଲଗୁଡା ଅଞ୍ଚଳର ଲୋକ। ଏହି ସମସ୍ତ କ୍ରସର ଜୟପାଟଣା ତହସିଲ ଅଧିନରେ ଥିବା ବେଳେ ପଥରଖାଦନ ସବୁ କୋକସରା ତହସିଲ ଅଧିନରେ ରହିଛି। ଯାହା ପଥର ଚୋରା ଚାଲାଣ ପାଇଁ କୁଆଁରୀ ମାଲିକଙ୍କ ପାଇଁ ସୁଯୋଗ ସୃଷ୍ଟି କରିଛି। ଦିନେ ଯେଉଁଠି ଅନେକ ପ୍ରକାର ଔଷଧିୟ ବୃକ୍ଷ ଥିଲା ଏବେ ସେହି ଡୋକରୀପାହାଡ ଟଙ୍ଗରା ଭୁଇଁ ପାଲଟିଯାଇଛି। ରିତିମତ ହଜାର ହଜାର ସିଏମ ପଥର ଚାଲାଣ ହେଉଥିଲେ ମଧ୍ୟ ପ୍ରଶାସନିକ ଅଧିକାରୀ ଏହାକୁ ନିୟନ୍ତ୍ରଣ କରି ପାରୁନାହାଁନ୍ତି। କାଁ ଭାଁ ଜରିମାନା କରି ଅଳ୍ପ ପରିମାଣ ଅର୍ଥ ଆଦାୟ କରି ନିରବ ରହୁଥିବାରୁ ପଥର ବାବଦକୁ ସରକାର କୋଟି କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି।
ଜୟପାଟଣା ତହସିଲ ଅଧିନରେ କୌଣସି ପଥର କୁଆଁରୀ ନଥାଇ କିଭଳି ପଥର କୁଆଁରୀ ସ୍ଥାପନ ପାଇଁ ଅନୁମତି ଦିଆଗଲା ? ଅନ୍ୟପଟେ କେଉଁ ଠାରୁ ପଥର ଯୋଗାଯାଉଛି ସେଥିପ୍ରତି ଗୁରୁତ୍ୱ ନଦେବା କେତେଦୂର ଯୁକ୍ତି ସାପେକ୍ଷ। ଏନେଇ ଜୟପାଟଣା ତହସିଲଦାର ଟିଙ୍କୁ ପୁଟ୍ଟାଙ୍କ ସହ ଯୋଗାଯୋଗ ପାଇଁ ପ୍ରୟାସ କରାଯାଇଥିଲେ ମଧ୍ୟ ତାଙ୍କ ଫୋନ ଅଚଳ ରହିଥିବାରୁ କୌଣସି ମତାମତ ନିଆଯାଇ ପାରି ନାହିଁ। ଅନ୍ୟପଟେ କୋକସରା ତହସିଲ ଅଧିନରେ ଥିବା ବିଭିନ୍ନ କୁଆଁରୀରୁ ପଥର ଚୋରା ଚାଲାଣ ହେଉଥିବା ଅଭିଯୋଗ ନେଇ ତହସିଲଦାର ମୌସୁମୀ ନାୟକଙ୍କ ସହ ଯୋଗାଯୋଗ କରାଯାଇଥିଲା ପଥର ଉତ୍ତୋଳନ ପାଇଁ ସାମୟିକ ଅନୁମତି ପ୍ରଦାନ କରାଯାଇଥିଲା କିନ୍ତୁ ବର୍ତମାନ ସମସ୍ତ ପଥର କୁଆଁରୀ ବନ୍ଦ ଥିବା ସୁଚନା ଦେଇଥିଲେ। ଏହାସହ ଗତ କିଛିଦିନ ତଳେ ଦୁଇଗୋଟି କ୍ରସର ମାଲିକଙ୍କ ଠାରୁ ୩ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଥିବା ସୂଚନା ଦେଇଛନ୍ତି। ଏହାସହ ଆଗାମୀ ଦିନରେ କୁଆଁରୀ ସବୁ ଲିଜ ସୂତ୍ରରେ ଦେବା ପାଇଁ ବିଭାଗୀୟ ପଦକ୍ଷେପ ନିଆଯାଉଛି ବୋଲି ମତବ୍ୟକ୍ତ କରିଥିଲେ।

Comments are closed.