ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଭାସିଯାଇଥିବା ଶିଶୁର ଶବ ଉଦ୍ଧାର

0

କଲମପୁର : ଗତ ଶୁକ୍ରବାର ସନ୍ଧ୍ୟାରେ ଶୌଚ ପାଇଁ ଯାଇ ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ନିଖୋଜ ହୋଇଯାଇଥିବା ବ୍ରାହ୍ମଣକେନ୍ଦୁଗୁଡାର ରାମ ଗୌଡଙ୍କ ୫ ବର୍ଷିୟ ଶିଶୁ ପୁତ୍ର ଭଜ ଗୌଡର ଶବକୁ ଦୀର୍ଘ ୨୪ ଘଣ୍ଟା ପରେ ଘଟଣାସ୍ଥଳ ଠାରୁ ପ୍ରାୟ ୧୫ଶହ ମିଟର ଦୂରରେ ଠାବ କରାଯାଇଛି।
ସୂଚନାଯୋଗ୍ୟ, ଶୁକ୍ରବାର ସନ୍ଧ୍ୟା ୫.୩୦ ବେଳେ ଘର ନିକଟରେ ଥିବା କେନାଲକୁ ଶୌଚ ପାଇଁ ଯାଇଥିବା ଶିଶୁ ଭଜ ଗୌଡ ଶୌଚ ସମୟରେ ହଠାତ ଗୋଡ ଖସିଯିବାରୁ କେନାଲର ସ୍ରୋତରେ ପଡିଯାଇ ଭାସି ଯାଇଥିଲା। ଏହି ସମୟରେ କେନାଲରେ ପ୍ରାୟ ୧୦ ଫୁଟ ପାଣି ପ୍ରବାହିତ ହେବାସହ ସ୍ରୋତ ତିବ୍ର ଥିଲା। ଯାହା ଫଳରେ ଶିଶୁଟି ପାଣିରେ ବୁଡି ଯାଇ ଦୂରକୁ ଭାସି ଯାଇଥିଲା। ପରିବାର ଲୋକ ଏନେଇ ସୂଚନା ପଇବା ପରେ ତୁରନ୍ତ କଲମପୁର ଅଗ୍ନୀଶମ ବିଭାଗ ସହିତ ଯୋଗାଯୋଗ କରି ଦୀର୍ଘ ସମୟ ପର୍ଯ୍ୟନ୍ତ ଖୋଜା ଖୋଜି କରିଥିଲେ ମଧ୍ୟ ଶିଶୁର କୌଣସି ସନ୍ଧାନ ମିଳିନଥିଲା। ଶନିବାର ପୁଣି ଅଗ୍ନୀଶମ ବିଭାଗର ସହାୟତାରେ ଘଟଣାସ୍ଥଳରୁ ୩ କି.ମି ଦୂରତା ମଧ୍ୟରେ ଖୋଜିଥିଲେ କିନ୍ତୁ ସନ୍ଧାନ ପାଇନଥିଲେ। ଅନ୍ୟପଟେ ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ ମାଧ୍ୟମରେ ଜଳସେଚନକୁ ନିୟନ୍ତ୍ରଣ କରାଯିବା ପରେ କେନାଲର ଆର.ଡି ୨୪୨୨୦ ମିଟର ନିକଟରେ ଥିବା ଏକ ପୋଲ ତଳେ ଶବ ଲାଖି ରହିଥିବା ପରିବାର ଲୋକ ଦେଖିଥିଲେ। ତୁରନ୍ତ ଶବକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ତାନାନ୍ତରିତ କରାଯିବା ନେଇ ବ୍ୟବସ୍ତା କରାଯାଉଥିବା ସୂଚନା ମିଳିଛି।

Leave A Reply