୩ ସହର, ୩ ଜେଲ ଓ ୩ ଫାଶୀ… ଆଜିର ଦିନରେ ପ୍ରାଣବଳି ଦେଇଥିଲେ ଦେଶର ଏହି ୩ କ୍ରାନ୍ତିକାରୀ

ଇତିହାସରେ ଅନେକ କ୍ରାନ୍ତିକାରୀଙ୍କ ବିଷୟରେ ଉଲ୍ଲେଖ ରହିଛି। ସେମାନଙ୍କ ମଧ୍ୟରୁ କିଛି କ୍ରାନ୍ତିକାରୀଙ୍କୁ ଜନ୍ମବାର୍ଷିକୀ ଓ ଶତବାର୍ଷିକୀରେ ମନେ ରଖି ଶ୍ରଦ୍ଧାଜ୍ଞଳି ଜ୍ଞାପନ କରୁଥିବା ବେଳେ ଅନେକ କ୍ରାନ୍ତିକାରୀଙ୍କୁ ଆମେ ଭୁଲି ଯାଉ। ଆଜି ଏଭଳି କିଛି କ୍ରାନ୍ତିକାରୀଙ୍କ ବିଷୟରେ ଆଲୋଚନା କରିବା ଯେଉଁମାନଙ୍କ ଜନ୍ମ ସ୍ଥାନ ସମାନ ହୋଇଥିବା ବେଳେ ସେମାନେ ଗୋଟିଏ ଦିନରେ ଫାଶୀ ଖୁଣ୍ଟରେ ଦେଶ ପାଇଁ ଝୁଲିଥିଲେ।

ଆଜିର ଦିନରେ ଅର୍ଥାତ୍ ୧୯୨୭ ମସିହା ଡିସେମ୍ବର ୧୯ରେ ଦେଶର ୩ ଜଣ କ୍ରାନ୍ତିକାରୀ ସହିଦ ହୋଇଥିଲେ। ଅଶଫାକ୍ ଉଲ୍ଲା ଖାନ୍, ପଣ୍ଡିତ ରାମ ପ୍ରସାଦ ବିସ୍ମଲି ଏବଂ ଠାକୁର ରୋଶନ ସିଂହ ଦେଶ ପାଇଁ ପ୍ରାଣବଳି ଦେଇଥିଲେ। ତିନି ଜଣଙ୍କୁ ଗୋଟିଏ ଦିନରେ ଅଲଗା ଅଲଗା ଜେଲରେ ଫାଶି ଦିଆଯାଇଥିଲା। ଅଶଫାକ୍ ଉଲ୍ଲା ଖାନ୍‌ଙ୍କୁ ଗୋରଖପୁର ଜେଲରେ, ରାମ ପ୍ରସାଦ ବିସ୍ମଲି ଫୈଜାବାଦ ଜେଲରେ ଏବଂ ଠାକୁର ରୋଶନ ସିଂହ ଇଲାହାବାଦ ଜେଲରେ ଫାଶି ଦିଆଯାଇଥିଲା। ଏହାକୁ ଆପଣ ଦୈବସଂଯୋଗ ଭାବି ପାରନ୍ତି। ଏହି ତିନି ଜଣ କ୍ରାନ୍ତିକାରୀଙ୍କ ଜନ୍ମ ଉତ୍ତର ପ୍ରଦେଶର ଶାହଜହାଁପୁରରେ ହୋଇଥିଲା।

କାହିଁକି ଦିଆଯାଇଥିଲା ଏମାନଙ୍କୁ ଫାଶୀ

୧୯୨୫ ମସିହା ଅଗଷ୍ଟ ୯ରେ ହୋଇଥିବା କାକୋରି କାଣ୍ଡ ପାଇଁ ଇଂରେଜ ସରକାର ଏମାନଙ୍କୁ ଫାଶି ଦଣ୍ଡାଦେଶ ଦେଇଥିଲେ। ରାମପ୍ରସାଦ ବିସ୍ମିଲ ଏବଂ ଚନ୍ଦ୍ରଶେଖର ଆଜାଦଙ୍କ ନେତୃତ୍ବରେ ଅଗଷ୍ଟ ୮ରେ କ୍ରାନ୍ତିକାରୀଙ୍କ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା। କାକୋରି ଷ୍ଟେସନକୁ ଆସିବାକୁ ଥିବା ସହାରନପୁର-ଲକ୍ଷ୍ନୌ ପ୍ୟାସେଞ୍ଜର ଟ୍ରେନରୁ ଲୁଟ୍ କରିବା ପାଇଁ ସେହି ବୈଠକରେ ଯୋଜନା ହୋଇଥିଲା। ଯେଉଁ ଟ୍ରେନରେ କ୍ରାନ୍ତିକାରୀମାନେ ଡକାୟତି ଯୋଜନା କରିଥିଲେ ସେଥିରେ ଇଂରେଜ ସରକାର ଲୁଣ୍ଠନ କରିଥିବା ଭାରତର ଧନରତ୍ନ ଥିଲା।

ଏହି ଡକାୟତିରେ ଜର୍ମାନୀର ୪ଟି ପିସ୍ତଲ ବ୍ୟବହାର କରାଯାଇଥିଲା। ହିନ୍ଦୁସ୍ତାନ ରିପବ୍ଲିକ୍ ଏସୋସିଏଶନର ମାତ୍ର ୧୦ ଜଣ ସଦସ୍ୟ ଏହି ଡକୟତିକୁ ସଫଳ ରୂପ ଦେଇଥିଲେ। କ୍ରାନ୍ତିକାରୀ ମନ୍ମଥନାଥ ଗୁପ୍ତ ମାଉଜର ଗୁଳିରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ଏହାକୁ କାକୋରି କାଣ୍ଡ ବୋଲି କୁହାଯାଏ। ଏହି ଘଟଣା ପରେ କ୍ରାନ୍ତିକାରୀମାନେ ନିଜ ନାମ ପରିବର୍ତ୍ତନ କରି ଦେଇଥି​‌ଲେ। ଅଶଫାକ୍ ଉଲ୍ଲା ଖାନ୍ ନିଜ ନାମ ପରିବର୍ତ୍ତନ କରି ‘କୁମାରଜୀ’ ରଖିଥିଲେ। ଏହି ସମ୍ପର୍କରେ ଇଂରେଜ ସରକାରଙ୍କୁ ଜଣାପଡିଲା ପରେ ସେମାନେ ନିର୍ଦୋଷୀଙ୍କୁ ଉଠାଇ ଜେଲରେ ନିର୍ଯ୍ୟାତନା ଦେଉଥିଲେ।

ଡିସେମ୍ବର ୨୬ରେ ହିନ୍ଦୁସ୍ତାନ ରିପବ୍ଲିକ ଏସୋସିଏଶନ ର ପ୍ରାୟ ୪୦ ଜଣ କ୍ରାନ୍ତିକାରୀଙ୍କୁ ଇଂରେଜ ସରକାର ଗିରଫ କରିଥିଲେ। ସେମାନଙ୍କ ବିରୋଧରେ ରାଜଦ୍ରୋହ, ଯୁଦ୍ଧର ଅସ୍ତ୍ରଶସ୍ତ୍ର ଛଡାଇବା, ସରକାରୀ ଧନ ଲୁଟ୍ ଏବଂ ଜଣେ ଯାତ୍ରୀଙ୍କୁ ହତ୍ୟା ଆଦି ମକଦ୍ଦମା ଚଳାଇଥିଲେ। ଏହି ମାମଲାରେ ଅଶଫାକ୍ ଉଲ୍ଲା ଖାନ୍, ପଣ୍ଡିତ ରାମ ପ୍ରସାଦ ବିସ୍ମଲି ଏବଂ ଠାକୁର ରୋଶନ ସିଂହଙ୍କ ଅନେକ କ୍ରାନ୍ତିକାରୀଙ୍କୁ ଫାଶି ଦଣ୍ଡାଦେଶ ହୋଇଥିଲା। ସେମାନଙ୍କ ମଧ୍ୟରୁ ଏହି ତିନି ଜଣ କ୍ରାନ୍ତିକାରୀଙ୍କୁ ଗୋଟିଏ ଦିନରେ ଫାଶି ଖୁଣ୍ଟରେ ଝୁଲାଇ ଦିଆଯାଇଥିଲା।

Comments are closed.