ରାଧାନାଥ ରଥ ଥିଲେ ମଣିଷ ଗଢା କାରଖାନାର କୁଶଳୀ ବିନ୍ଧାଣୀ

କଖଡିରେ ରାଧାନାଥ ଜୟନ୍ତୀ

ଗୁରୁଡିଝାଟିଆ : ପଦ୍ମଭୂଷଣ ଡଃ ରାଧାନାଥ ରଥ ପ୍ରଜ୍ଞାଦୀପ୍ତ ପ୍ରତିଭାର ଅଧିକାରୀ ଥିଲେ । ଦୀନଦୁଖୀ ଅଭାବଗ୍ରସ୍ତ ଜନସାଧାରଣଙ୍କ ହୃଦୟର ଭାଷା ଓ ଭାବକୁ ବୁଝିପାରି ସହାୟତାର ହାତ ବଢାଇଥିଲେ । ସେ ଥିଲେ ସାହିତ୍ୟ, ସଂସ୍କୃତିର ପୃଷ୍ଠପୋଷକ । ତାଙ୍କ ଅତିମାନସ ବ୍ୟକ୍ତିତ୍ୱ ସଂପୂର୍ଣ୍ଣ ସରଳ, ନିସ୍କଣ୍ଟକ ଓ ସାଧୁତା ଉପରେ ପର୍ଯ୍ୟବେସିତ ଥିଲା । ବହୁ ମେଧାବୀ ଓ ଅସହାୟ ପ୍ରତିଭାଦୀପ୍ତଙ୍କୁ ସମାଜରେ ଭଲ ଓ ବଡ ମଣିଷ କରି ଗଢିତୋଳିବାରେ ବାବୁଜୀ ଥିଲେ ଧୂରୀଣ । ମଣିଷ ଗଢା କାରଖାନାର କୁଶଳୀ ବିନ୍ଧାଣୀ ଥିଲେ ବୋଲି ବାବା ବୈଦେଶ୍ୱର ମନ୍ଦିର ପରିଚାଳନା ସମିତି, କଖଡି ପକ୍ଷରୁ ଆୟୋଜିତ ବାବୁଜୀଙ୍କ ୧୨୫ତମ ଜୟନ୍ତୀ ଉତ୍ସବରେ ବିଶିଷ୍ଟ ସାହିତ୍ୟିକ ଡଃ ନାରାୟଣ ପଣ୍ଡା ମୁଖ୍ୟବକ୍ତା ଭାବରେ ଯୋଗଦେଇ ଏହି ମତପ୍ରକାଶ କରିଛନ୍ତି । ଆଠଗଡ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବାବୁଜୀ ଥିଲେ ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁଙ୍କ ପଟ୍ଟଶିଷ୍ୟ ବୋଲି କହିବା ସହିତ ଅଧୁନା ସମାଜରେ ଭଲମଣିଷ ମିଳିବା କଷ୍ଟକର ହୋଇଥିବାରୁ ଯୁବପିଢି ପଦ୍ମଭୂଷଣ ଡଃ ରାଧାନାଥ ରଥଙ୍କ ନୀତିଆଦର୍ଶରେ ନିଜକୁ ଅନୁପ୍ରାଣିତ କରି ମାଟି ମାଆର ଋଣ ସୁଝିବା ସହିତ ଭଲ ମଣିଷ ହେବାକୁ ଚେଷ୍ଟାକଲେ ତାହା ହେବ ବାବୁଜୀଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳୀ ବୋଲି କହିଥିଲେ। ଓଡିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀବି ସୌରଚନ୍ଦ୍ର ମହାପାତ୍ର ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ପଦ୍ମଭୂଷଣ ଡଃ ରାଧାନାଥ ରଥ ଏ ଜାତିର ନମସ୍ୟ । ସମାଜର ପ୍ରତ୍ୟେକ କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ସ୍ୱାକ୍ଷର ଛାଡିଯାଇଛନ୍ତି। କ୍ଷମତାର ଶୀର୍ଷରେ ପହଞ୍ଚି ମଧ୍ୟ ନିର୍ଲିପ୍ତ କର୍ମଯୋଗୀ । ବାସ୍ତବରେ ବାବୁଜୀ ଥିଲେ ନିଜେ ଗୋଟିଏ ଅନୁଷ୍ଠାନ।

ପ୍ରତ୍ୟେକ ବିଦ୍ୟାର୍ଥୀ ବାବୁଜୀଙ୍କ ନୀତି ଆଦର୍ଶରେ ନିଜକୁ ଗଢିତୋଳିବା ପାଇଁ ଶ୍ରୀ ମହାପାତ୍ର କହିଥିଲେ।ବାବା ବୈଦେଶ୍ୱର ମନ୍ଦିର ପରିଚାଳନା କମିଟି ସଭାପତି ସନ୍ତୋଷ କୁମାର ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଜୟନ୍ତୀ ଉତ୍ସବରେ ଶିକ୍ଷାବିତ୍ ରାଜକିଶୋର ଖଟୁଆ, ଖୁଣ୍ଟୁଣୀ ଥାନା ଅଧିକାରୀ ବାମଦେବ ସ୍ୱାଇଁ, କଖଡି ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ବିକାଶ କୁମାର ଖଟୁଆ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଶତାଦ୍ଦୀ ପୁରୁଷ ଡଃ ରାଧାନାଥ ରଥଙ୍କ ଜୀବନଚିତ୍ର ,ସ୍ୱାଧୀନତା ଆନ୍ଦୋଳନରେ ପ୍ରମୁଖ ଭୂମିକା, ନବଉତ୍କଳର ଗଠନରେ ନେଇଥିବା ଉଲ୍ଲେଖନୀୟ ଭୂମିକା, ସର୍ବୋପରି ସାମ୍ବାଦିକ ଭାବରେ ସତ୍ୟ, ନିରପେକ୍ଷତାକୁ ବଜାୟ ରଖି ‘ସମାଜ’ କୁ ବିଶାଳ ବୃକ୍ଷରେ ପରିଣତ କରିବା ସଂପର୍କରେ କହିଥିଲେ । ଉଲ୍ଲେଖନୀୟ ସମାଜସେବା ପାଇଁ ମାନସ ବସ୍ତିଆଙ୍କୁ ରାଧାନାଥ ରଥ ସ୍ମୃତି ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଏହି ଜୟନ୍ତୀ ଉତ୍ସବରେ କଖଡି ଗ୍ରାମ୍ୟ କମିଟି ସଭାପତି ଦିଲ୍ଲିପ କୁମାର ଛତାର, ସମାଜସେବୀ ପ୍ରମୋଦ କୁମାର ଧଳ, ସରପଞ୍ଚଙ୍କ ପ୍ରତିନିଧି ବେଣୁଧର ମହାନ୍ତି, ସମିତି ସଭ୍ୟ ଅଶୋକ କୁମାର ଖଟୁଆ, ଶ୍ରୀରାମ ବରିଷ୍ଠ ନାଗରିକ ସଂଘର ସାଧାରଣ ସଂପାଦକ ବସନ୍ତ କୁମାର ବିଶ୍ୱାଳ, ଧବଳେଶ୍ୱର ସେବା ସଂସ୍ଥା ସଭାପତି କିରଣ ବିହାରୀ ଖଟୁଆ, ଅବସରପ୍ରାପ୍ତ ସେନା ଅଧିକାରୀ ବଂଶୀଧର ଶତପଥି, ଶିକ୍ଷାବିତ୍ ଚନ୍ଦ୍ରଶେଖର ପରିଡା ଓ ସ୍ୱାଧୀନ ରାଉତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସାମ୍ବାଦିକ ଶ୍ୱେତକାନ୍ତ ବେହେରା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପୂର୍ବତନ ସମିତି ସଭ୍ୟ ନରେନ୍ଦ୍ର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.