ଗୋଷ୍ଠୀବଦ୍ଧ ହିଂସା ଆଇନ ପରିସରଭୁକ୍ତ ହେବ କାଶ୍ମୀର ଢ଼େଲାମାଡ଼

0

ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀରରେ ସୁରକ୍ଷା କର୍ମୀଙ୍କ ଉପରେ ହେଉଥିବା ଢ଼େଲାମାଡ଼ ଭଳି ସମୂହ ଆକ୍ରମଣକୁ ଗୋଷ୍ଠୀବଦ୍ଧ ହିଂସା ଭାବେ ବିବେଚନା କରାଯିବା ଓ ଏହାକୁ ପ୍ରସ୍ତାବିତ ନିୟନ୍ତ୍ରଣ ଆଇନର ପରିସରଭୁକ୍ତ କରାଯିବା ନେଇ ସରକାର ବିଚାର କରୁଛନ୍ତି। ଗୋଷ୍ଠୀବଦ୍ଧ ହିଂସା ନିରୋଧ ଆଇନ ପାଇଁ ଗଠିତ ଉଚ୍ଚସ୍ତରୀୟ କମିଟି ଏହା ଉପରେ ତର୍ଜମା କରୁଛି ବୋଲି କହିଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋର। ଏହାଛଡ଼ା ଗୋଷ୍ଠୀବଦ୍ଧ ହିଂସା ନିୟନ୍ତ୍ରଣ ପାଇଁ ଦେଶରେ ସ୍ୱତନ୍ତ୍ର ଆଇନର ଆବଶ୍ୟକତା ରହିଛି କି ନାହିଁ ମଧ୍ୟ ଏହି କମିଟି ତର୍ଜମା କରୁଛନ୍ତି ବୋଲି ରାଠୋର କହିଛନ୍ତି। କର୍ତ୍ତବ୍ୟରତ ଜଣେ ପୁଲିସ କର୍ମଚାରୀ ଯଦି ଜନତାଙ୍କ ଆକ୍ରମଣ ବା ଢ଼େଲାପଥର ମାଡ଼ରେ ମୃତ୍ୟୁମୁଖରେ ପଡ଼ୁଛନ୍ତି; ସେଭଳି କ୍ଷେତ୍ରରେ ଏହାକୁ ଗୋଷ୍ଠୀବଦ୍ଧ ହିଂସା ଆଇନର ପରିସରଭୁକ୍ତ କରାଯିବା ଉଚିତ। ଦେଶରେ ଘଟୁଥିବା ଯାବତୀୟ ଗୋଷ୍ଠୀବଦ୍ଧ ହିଂସାକୁ ଗୋଟିଏ ଆଇନର ପରସରରେ ରଖିବାକୁ ବିଚାର କରାଯାଉଛି ବୋଲି ସେ କହିଛନ୍ତି। ଗଠିତ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ୪ସପ୍ତାହ ମଧ୍ୟରେ ମନ୍ତ୍ରିସ୍ତରୀୟ କମିଟିକୁ ଏହାର ମତାମତ ପ୍ରଦାନ କରିବ ଓ ଏହା ଉପରେ ମନ୍ତ୍ରିସ୍ତରୀୟ କମିଟି ବିଚାରବିମର୍ଶ ପୂର୍ବକ ପ୍ରଧାନମନ୍ତ୍ରୀଙ୍କୁ ଆବଶ୍ୟକ ସୁପାରିସ କରିବେ ବୋଲି ରାଠୋର କହିଛନ୍ତି।

Leave A Reply