ରାସ୍ତା ନ ଥିବାରୁ ଅଧାରେ ଅଟକିଲା ଆମ୍ବୁଲାନ୍ସ

କାଦବରାଙ୍ଗ: ଗାଁକୁ ସ୍ଥାୟୀ ରାସ୍ତା ନ ଥିବାରୁ ଆସିପାରିଲାନି ଆମ୍ବୁଲାନ୍ସ। ଜଣେ ଅସୁସ୍ଥ ମହିଳାଙ୍କୁ ଖଟିଆରେ ବୁହାହୋଇ ଅଧାବାଟ ଅଣାଯିବା ପରେ ଅବଶିଷ୍ଟ ବାଟ ଆମ୍ବୁଲାନ୍ସରେ ବସାଇ ଡାକ୍ତରଖାନା ନିଆଗଲା। ଭଦ୍ରକ ଜିଲା ବନ୍ତ ବ୍ଲକ ବଡ଼ବର୍ଚ୍ଚିକୟାଁ ପଞ୍ଚାୟତସ୍ଥିତ ବିସଲକଣା ଗାଁର ଚାମ୍ପୁଡ଼ିଆ ସାହିରେ ଏଭଳି ଘଟଣା ଘଟିଛି। ଉକ୍ତ ସାହି ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଥିବାରୁ ବୁଧବାର ଜଣେ ଅସୁସ୍ଥ ମହିଳାଙ୍କୁ ପରିବାର ଲୋକେ ଖଟିଆରେ ବୋହି ଆଗରପଡ଼ା-ଭଦ୍ରକ ମୁଖ୍ୟ ରାସ୍ତାକୁ ଆଣିଥିଲେ। ଏହା ପରେ ଆମ୍ବୁଲାନ୍ସରେ ଭଦ୍ରକ ମୁଖ୍ୟ ଡ଼ାକ୍ତରଖାନାକୁ ନିଆଯାଇଥିଲା। ସୂଚନା ଅନୁଯାୟୀ ସାହିର ସବିତା ନାୟକ(୫୫) ଗାଧୋଇବା ସମୟରେ ହଠାତ ତଳେ ପଡ଼ିଯାଇଥିଲେ। ତାଙ୍କୁ ଡାକ୍ତରଖାନା ନେବା ପାଇଁ ଆମ୍ବୁଲାନ୍ସକୁ ଖବର ଦିଆଯାଇଥିଲା। ରାସ୍ତା ଶୋଚନୀୟ ସହ ଅଣଓସାରିଆ ହେତୁ ଆମ୍ବୁଲାନ୍ସ ସାହି ଭିତରକୁ ଯିବା ସମ୍ଭବ ହୋଇ ନ ଥିଲା।

ସାହିବାସୀଙ୍କ ସୂଚନା ଅନୁଯାୟୀ, ସ୍ୱାଧୀନତାର ୭୩ ବର୍ଷ ପରେ ମଧ୍ୟ ଉକ୍ତ ସାହି ପ୍ରଶାସନିକ ଅଧିକାରୀ ଓ ଲୋକ ପ୍ରତିନିଧିଙ୍କ ଆଡ଼ୁଆଳରେ ରହିଯାଇଛି। ଭଲ ରାସ୍ତାଟିଏ ନଥିବାରୁ ଲୋକେ ନାନା ଦୁର୍ଦ୍ଦଶା ମଧ୍ୟରେ ଗତି କରୁଛନ୍ତି। ଏହି ସହି​‌େ​‌ର ପାଖାପାଖି ଶହେରୁ ଅଧିକ ଲୋକ ବସବାସ କରୁଥିବାବେଳେ ଭୋଟର ସଂଖ୍ୟା ୬୮। ରାସ୍ତା ପାଇଁ ଛୋଟ ପିଲାମାନେ ଅଙ୍ଗନବାଡ଼ି, ସ୍କୁଲ, କଲେଜକୁ ଯିବାରେ ସମସ୍ୟା ହେଉଛି। ଆଗରପଡ଼ା-ଭଦ୍ରକ ମୁଖ୍ୟ ରାସ୍ତାକୁ ଏହି ରାସ୍ତାଟି ସଂଯୋଗ କରୁଥିବାବେଳେ ଏହାର ସ୍ଥାୟୀ ମରାମତି ସହ ପ୍ରଶସ୍ତୀକରଣ ଓ କଂକ୍ରିଟ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

Comments are closed.