ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୫୪ତମ ପ୍ରତିଷ୍ଠା ଦିବସ, ଡ଼କ୍ଟର ପ୍ରତିଭା ରାୟଙ୍କୁ କବି ସମ୍ରାଟ ଉପେନ୍ଦ୍ରଭଞ୍ଜ ସମ୍ମାନ

ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୫୪ତମ ପ୍ରତିଷ୍ଠା ଦିବସ ଗୁରୁବାର ପାଳିତ ହୋଇଛି। ଏହି ଅବସରରେ ବିଶିଷ୍ଟ ସାହିତ୍ୟିକା ପଦ୍ମଶ୍ରୀ ଡ଼କ୍ଟର ପ୍ରତିଭା ରାୟଙ୍କୁ କବି ସମ୍ରାଟ ଉପେନ୍ଦ୍ରଭଞ୍ଜ ସମ୍ମାନ ପ୍ରଦାନ କରାଯାଇଛି। ଡ. ରାୟ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସ ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ବିଶ୍ୱବିଦ୍ୟାଳୟର ୬୦ ଛାତ୍ର ଓ ଗବେଷକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।
ସୂଚନାଯୋଗ୍ୟ , ଭାରତୀୟ ସାହିତ୍ୟକୁ ଉଲ୍ଲେଖନୀୟ ଅବଦାନ ପାଇଁ ଖ୍ୟାତନାମା ବ୍ୟକ୍ତିଙ୍କୁ ପ୍ରତିବର୍ଷ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସ ସମାରୋହରେ ସମ୍ମାନିତ କରାଯାଇଥାଏ । କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ନାମାନୁଯାୟୀ ଏହାର ନାମ ‘କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ’ ରଖାଯାଇଛି। ମାନପତ୍ର ସହ ଡ. ରାୟଙ୍କୁ ବିଶ୍ବବିଦ୍ୟାଳୟ ତରଫରୁ ଏକ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି । ଡ. ରାୟ ଓଡ଼ିଆ ଭାଷାରେ ଅନେକ ଚର୍ଚ୍ଚିତ ପୁସ୍ତକ ରଚନା କରିବା ସହ ସେସବୁକୁ ଅନ୍ୟଭାଷାରେ ଅନୁବାଦ କରିଛନ୍ତି । ୨୦୦୦ ମସିହାରେ ପଦ୍ମଶ୍ରୀ ଓ ସାହିତ୍ୟ ଏକାଡେମୀ ଏବଂ ୨୦୧୧ରେ ତାଙ୍କୁ ଜ୍ଞାନପୀଠ ପୁରସ୍କାର ପ୍ରଦାନ କରାଯାଇଥିଲା।
ଡ. ରାୟ ତାଙ୍କର ଯାଜ୍ଞସେନୀ (୧୯୮୫) ପୁସ୍ତକ ଲାଗି ୧୯୯୦ ମସିହାରେ ଶାରଳା ପୁରସ୍କାର ଓ ‘ଯାଜ୍ଞସେନୀ’ ଉପନ୍ୟାସ ପାଇଁ ୨୦୧୧ମସିହାରେ ଭାରତୀୟ ଜ୍ଞାନପୀଠ ପୁରସ୍କାର ପାଇଥିଲେ। ୧୯୯୧ରେ ସେ ମୁର୍ତ୍ତିଦେବୀ ପୁରସ୍କାର ଏବଂ ୨୦୦୦ ମସିହାରେ ପଦଶ୍ରୀ ଏବଂ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ବିଦ୍ୟାଳୟର ଶିକ୍ଷକ ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିବା ଶ୍ରୀମତୀ ରାୟ ୧୯୯୮ ମସିହାରେ ପ୍ରାଧ୍ୟ୍ୟାପକ ଭାବେ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରି ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସସି)ରେ ସଦସ୍ୟ ଭାବେ ଯୋଗଦାନ କରିଥିଲେ। ଏହା ବ୍ୟତୀତ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ସାରଳା ପୁରସ୍କାର, ଓଡିଶା ଲିଭିଂ ଲିଜେଣ୍ଡ ପୁରସ୍କାର ଆଦି ଏକାଧିକ ସମ୍ମାନ ଲାଭ କରିଛନ୍ତି। ଏହା ସହ ଜ୍ଞାନପୀଠ ସିଲେକ୍ସନ ବୋର୍ଡର ଅଧ୍ୟକ୍ଷ୍ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ଗତ ବର୍ଷ କବି ମନୋଜ ଦାସଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଥିଲା