ମହିଳା କବାଡ଼ି : ଭାରତକୁ ରୌପ୍ୟ

0

ଜାକର୍ତ୍ତା : ପୂର୍ବରୁ ଏସୀୟ କ୍ରୀଡ଼ାରେ କବାଡ଼ିରୁ ଭାରତର ୨ଟି ସ୍ୱର୍ଣ୍ଣପଦକ ନିଶ୍ଚିତ ଲାଗୁଥିବା ବେଳେ ପ୍ରଥମଥର ପାଇଁ କବାଡ଼ିରେ ବିନା ସ୍ୱର୍ଣ୍ଣପଦକ ସହ ଭାରତର ଉଭୟ ଦଳ ସ୍ୱଦେଶ ଫେରିବ। ଭାରତୀୟ ପୁରୁଷ ଓ ମହିଳା କବାଡ଼ି ଦଳ ଚଳିତ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣପଦକ ଜିତି ପାରିନାହାନ୍ତି।  ଏସୀୟ କ୍ରୀଡ଼ାରେ କ୍ରମାଗତ ୭ଟି ସ୍ୱର୍ଣ୍ଣପଦକ ଜିତିଥିବା ଭାରତୀୟ ପୁରୁଷ କବାଡ଼ି ଦଳକୁ ଗୁରୁବାର ସେମିଫାଇନାଲରେ ଇରାନ୍‍ ପରାସ୍ତ କରିଥିଲା। ପୁରୁଷ ଦଳର ଏହି ଅଭାବକୁ ଭାରତୀୟ ମହିଳା ପୂରଣ କରିବେ ବୋଲି ଆଶା କରା ଯାଉଥିବା ବେଳେ ସେମାନେ ମଧ୍ୟ ନିରାଶ କରିଛନ୍ତି। ଶୁକ୍ରବାର ଖେଳା ଯାଇଥିବା ମହିଳା କବାଡ଼ି ଫାଇନାଲରେ ଭାରତକୁ ୨୭-୨୪ ପଏଣ୍ଟରେ ଇରାନ୍‍ ପରାସ୍ତକରି ସ୍ୱର୍ଣ୍ଣପଦକ ଜିତିଛି। ପୂର୍ବରୁ ୨ ଥରଯାକ ସ୍ୱର୍ଣ୍ଣପଦକ ଜିତିଥିବା ଭାରତୀୟ ମହିଳା କବାଡ଼ି ଦଳକୁ ରୌପ୍ୟପଦକରେ ସନ୍ତୁଷ୍ଟ ରହିବାକୁ ପଡ଼ିଛି। ଫାଇନାଲ ମ୍ୟାଚ୍‍ରେ ଇରାନ୍‍ ମହିଳାଙ୍କ ବିରୋଧରେ ଭାରତୀୟ ଦଳ ଅଧିକାଂଶ ସମୟ ଆଗରେ ରହିଥିଲେ ହେଁ ଶେଷ କେଇ ମିନିଟରେ ଇରାନ୍‍ ଆଗୁଆ ହୋଇ ଯାଇଥିଲା। ଆରମ୍ଭରୁ ୭-୩ରେ ଆଗରେ ଥିବା ଭାରତ ମଧ୍ୟାନ୍ତର ସୁଦ୍ଧା ୧୩-୧୧ରେ ଆଗୁଆ ରହିଥିଲା। ତେବେ ଦ୍ୱିତୀୟାର୍ଦ୍ଧ ଆରମ୍ଭରେ ଇରାନ୍‍ ମହିଳା କ୍ରମାଗତ ୬ ପଏଣ୍ଟ ନେଇ ପାରିଥିଲେ। ମ୍ୟାଚ୍‍ ସରିବାକୁ ୨ ମିିନିଟ ବାକିଥିବା ବେଳେ ସାକ୍ଷୀ କୁମାରୀ ସ୍କୋରକୁ ୨୪-୨୫ କରିଥିଲେ ହେଁ ଇରାନ୍‍ ଶେଷଆଡ଼କୁ ଆଉ ୨ ପଏଣ୍ଟ ସ୍କୋର୍‍କରି ମ୍ୟାଚ୍‍କୁ ହାତେଇ ନେଇଥିଲା। ଭାରତୀୟ ଶୈଳଜା ଜୈନ୍‍ଙ୍କ ପ୍ରଶିକ୍ଷଣରେ ଇରାନ୍‍ ମହିଳା କବାଡ଼ି ଦଳ ଏସୀୟ କ୍ରୀଡ଼ାରେ ପ୍ରଥମଥର ସ୍ୱର୍ଣ୍ଣପଦକ ଜିତିପାରିଛି। ପୁରୁଷ କବାଡ଼ି ଫାଇନାଲରେ ଦକ୍ଷିଣ କୋରିଆକୁ ୨୬-୧୬ ପଏଣ୍ଟରେ ହରାଇ ଇରାନ୍‍ ପୁରୁଷ ଦଳ ମଧ ସ୍ୱର୍ଣ୍ଣପଦକ ଜିତିଛି।

Leave A Reply