ପିପିଇ କିଟ୍ ପିନ୍ଧି ଗହଣା ଦୋକାନରେ ଚୋରି; ଲୁଟି ନେଲେ ୨୦ ଲକ୍ଷ ଟଙ୍କାର ଗହଣା

ମହାରାଷ୍ଟ୍ରର ସାତାରା ଅଞ୍ଚଳରେ ଏକ ବିଚିତ୍ର ଘଟଣା ଘଟିଛି । ଚାରି ଚୋର ପିପିଇ କିଟ୍ ପିନ୍ଧି ଏକ ଗହଣା ଦୋକାନରୁ ପ୍ରାୟ ୨୦ ଲକ୍ଷ ଟଙ୍କାର ଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଛି । ସିସିଟିଭି ଫୁଟେଜ ଯାଞ୍ଚ କରିବା ବେଳେ ଚୋରମାନେ ପିପିଇ କିଟ୍ ପିନ୍ଧିଥିବା ନଜର ଆସିଛି । ଅଭିଯୁକ୍ତ ମାସ୍କ, ପ୍ଲାଷ୍ଟିକ ଜ୍ୟାକେଟ ଓ କରୋନା ଯୋଦ୍ଧାମାନେ ପିନ୍ଧୁଥିବା ଗ୍ଲୋଭ୍ସ ଆଦି ବ୍ୟବହାର କରିଥିଲେ ।

କଥାରେ ଅଛି ଚୋରଙ୍କୁ ବଳ ନାହିଁ । ମାତ୍ର ବିଭିନ୍ନ ନୂଆନୂଆ ଉପାୟ ବାହାର କରି ଚୋରମାନେ ଚୋରି କରୁଥିବା ଦେଖାଯାଇଛି । ମାତ୍ର ଡ଼ାକ୍ତରଖାନାର କରୋନା ଯୋଦ୍ଧାଙ୍କ ପରି ପିପିଇ କିଟ୍ ପିନ୍ଧି ଗହଣା ଦୋକାନ ଚୋରି କରିବା ଘଟଣା ବୋଧହୁଏ ଭାରତରେ ପ୍ରଥମ ଦେଖିବାକୁ ମିଳିଛି । ଏହି ଘଟଣା ମହାରାଷ୍ଟ୍ରର ସତାରା ଅଞ୍ଚଳରେ ଚର୍ଚାର ବିଷୟ ହୋଇଛି । ଚୋରମାନେ ଦୋକାନରୁ ପ୍ରାୟ ୭୮୦ ଗ୍ରାମର ସୁନା ଗହଣା ଲୁଟି ନେଇଛନ୍ତି ।

ସତାରା ପୁଲିସ ସୂଚନା ଅନୁସାରେ ୫ ତାରିଖ ରାତି ପ୍ରାୟ ୨ଟା ପାଖାପାଖି ହୀରାଲାଲ କାନ୍ତିଲାଲ ଦୋକାନର ତାଲା ଭାଙ୍ଗି ଚୋରମାନେ ଭିତରେ ପଶିଥିଲେ । ସେମାନଙ୍କର ଛବି ସିସିଟିଭିରେ କଏଦ ହୋଇଛି । କିନ୍ତୁ ମାସ୍କ ଓ ପିପିଇ କିଟ୍ ପିନ୍ଧିଥିବାରୁ ସେମାନଙ୍କୁ ଚିହ୍ନିବା ସହଜ ହୋଇନାହିଁ । ଇଲେକଟ୍ରୋନିକ ସର୍ଭେଲାନ୍ସ ଜରିଆରେ ସେମାନଙ୍କୁ ଠାବ କରିବାକୁ ଉଦ୍ୟମ ହେଉଛି ବୋଲି ସ୍ଥାନୀୟ ପୁଲିସ ସୂଚନା ଦେଇଛି ।

Comments are closed.