‘ଧାର୍ଯ୍ୟ ସମୟରେ ତଦନ୍ତ ସରିବ’

0

କଟକ : ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ହଜିବା ଘଟଣାରେ ରାଜ୍ୟ ସରକାର ପୂର୍ବରୁ ତଦନ୍ତ କମିସନ ଗଠନ କରିଥିବାବେଳେ ଗୁରୁବାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏଥିସହ ଟର୍ମ୍‍ସ ରେଫରେନ୍ସ ମଧ୍ୟ ପ୍ରକାଶ ପାଇଛି। ଏ ନେଇ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ନବ ନିଯୁକ୍ତ ତଦନ୍ତ କମିଶନ ଜଷ୍ଟିସ ରଘୁବୀର ଦାଶ କହିଛନ୍ତି ଯେ ଚାବି ହଜିବା ପୂର୍ବବର୍ତ୍ତୀ ଘଟଣାକ୍ରମ ଓ କେଉଁ ପରିସ୍ଥିତିରେ ଚାବି ହଜିଲା ସେ ସଂପର୍କରେ ପୁଙ୍ଖନାପୁଙ୍ଖ ଭାବେ ତଦନ୍ତ କରାଯିବ। ଚାବି ହଜିବା ପ୍ରସଙ୍ଗରେ କେଉଁ ବ୍ୟକ୍ତି, କେଉଁ ଅନୁଷ୍ଠାନ କିମ୍ବା କେଉଁ ଅଧିକାରୀ ଦାୟୀ ଓ ତାଙ୍କର ଭୂମିକା କଣ ରହିଛି ସେ ନେଇ ତଦନ୍ତ ହେବ। ଏହାସହ ଏଥି ପାଇଁ ବିଶେଷକରି କିଏ ଉତ୍ତରଦାୟୀ ସେ ସଂପର୍କରେ ତଦନ୍ତ ହେବ ବୋଲି କମିସନ କହିଛନ୍ତି। ବିଜ୍ଞପ୍ତି ହାତକୁ ଆସିଗଲେ, ତଦନ୍ତ ପ୍ରକ୍ରିୟା ପାଇଁ କାର୍ଯ୍ୟ ଆରମ୍ଭ ହେବ। ସର୍ବପ୍ରଥମେ ମତାମତ ସଂଗ୍ରହ ପାଇଁ ସତ୍ୟପାଠ ଆହ୍ୱାନ କରାଯିବ ବୋଲି କହିଛନ୍ତି କମିସନ। ଭବିଷ୍ୟତରେ ଏଭଳି ଘଟଣାର ଯେଭଳି ପୁନରାବୃତ୍ତି ନହୁଏ; ସେ ନେଇ କମିଶନ ରିପୋର୍ଟ ପ୍ରସ୍ତୁତ ସମୟରେ ନିଜସ୍ୱ ଓ ସତ୍ୟପାଠ ଆଧାରରେ ମତାମତ ରଖିବେ। ଅନ୍ୟପକ୍ଷରେ ସରକାର ଦେଇଥିବା ତିନି ମାସ ସମୟ ମଧ୍ୟରେ ତଦନ୍ତ ଶେଷ ହେବ ବୋଲି କମିଶନ ଆଶା ରଖିଛନ୍ତି। ଯଦି ସମ୍ଭବ ନ ହୁଏ, ତେବେ ସମୟ ବୃଦ୍ଧି ପାଇଁ ସରକାରଙ୍କୁ ଲେଖାଯିବ ବୋଲି କହିଛନ୍ତି କମିସନ। ଭୁବନେଶ୍ୱରରେ କମିଶନଙ୍କ ମୁଖ୍ୟ କାର୍ଯ୍ୟାଳୟ ପାଇଁ ସରକାର ନିଷ୍ପତ୍ତି ନେଇଥିବାବେଳେ କଟକରେ କାର୍ଯ୍ୟାଳୟ ଖୋଲିବା ପାଇଁ କମିସନଙ୍କ ପକ୍ଷରୁ ସରକାରଙ୍କୁ ଅନୁରୋଧ କରାଯାଇଛି। ତେବେ ଏହି ଘଟଣାରେ ପୁରୀ ଗଜପତି, ଶଙ୍କରାଚାର୍ଯ୍ୟଙ୍କୁ ପକ୍ଷଭୁକ୍ତ କରଯାଇପରିବ କି ବୋଲି କମିସନଙ୍କୁ ପଚାରିବାରେ ସମସ୍ତ ସତ୍ୟପାଠ ଓ ତଥ୍ୟ ସଂଗ୍ରହ କଲା ପରେ ଏ ବାବଦରେ ଚିତ୍ର ସ୍ପଷ୍ଟ ହେବ ବୋଲି କମିସନ କହିଛନ୍ତି। ଏଥିସହ ସେବାୟତ, ସର୍ବସାଧାରଣଙ୍କ ମତାମତ ଲୋଡାଯିବ। ସମସ୍ତ ମତାମତ ଆଧାରରେ କମିସନଙ୍କ ପକ୍ଷରୁ ରିପୋର୍ଟ ପ୍ରସ୍ତୁତ କରାଯିବ ବୋଲି ସେ କହିଛନ୍ତି।

Leave A Reply