ଜଷ୍ଟିସ୍‍ ରାଜକିଶୋର ଦାସ ସ୍ମାରକୀ ପୁରସ୍କାର ଓ ସମ୍ମାନ ଘୋଷିତ

କଟକ: ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ୬ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଚଳିତ ବର୍ଷର ଜଷ୍ଟିସ୍‍ ରାଜକିଶୋର ଦାସ ସ୍ମାରକୀ ପୁରସ୍କାର ଓ ସମ୍ମାନ ପ୍ରଦାନ କରାଯିବ। ଡିସେମ୍ବର ୧୬ରେ ଜଷ୍ଟିସ ରାଜକିଶୋର ଦାସଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳନ ଅବସରରେ ଏସବୁ ସମ୍ମାନ ପ୍ରଦାନ କରାଯିବ ବୋଲି ବୁଧବାର ଘୋଷଣା କରାଯାଇଛି। ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକଙ୍କୁ ଜଷ୍ଟିସ୍‍ ଆର୍‍. କେ. ଦାସ ସ୍ମାରକୀ ସାମ୍ବାଦିକତା ପୁରସ୍କାର ସ୍ୱରୂପ ୨୫ ହଜାର ଟଙ୍କା ପ୍ରଦାନ କରାଯିବ। ସେହିପରି ସମାଜସେବା କ୍ଷେତ୍ରରେ ଶୋଭାକର ସ୍ୱାଇଁ, ଆଇନସେବା କ୍ଷେତ୍ରରେ ପ୍ରସନ୍ନ କୁମାର ସାହୁ, ସାହିତ୍ୟ କ୍ଷେତ୍ରରେ ଡ. ବିଜୟିନୀ ସିଂହଦେଓ, ନାଟକରେ ଡ. ବିଜୟ କୁମାର ଶତପଥୀ ଓ ସାମ୍ବାଦିକତା ପାଇଁ ଗୁରୁକଲ୍ୟାଣ ମହାପାତ୍ର ଜଷ୍ଟିସ ଦାସ ସ୍ମାରକୀ ସମ୍ମାନ ଲାଭ କରିବେ। ଜଷ୍ଟିସ ରାଜକିଶୋର ଦାସ ସ୍ମୃତି ପରିଷଦ ପକ୍ଷରୁ ଏଥିପାଇଁ ଚାନ୍ଦିନୀଚୌକଠାରେ ଆୟୋଜିତ ଭର୍ଚୁଆଲ ବୈଠକରେ ସର୍ବସମ୍ମତି କ୍ରମେ ଏହି ନିଷ୍ପତ୍ତି ହୋଇଛି। ବରିଷ୍ଠ ଆଇନଜୀବୀ ଜଗନ୍ନାଥ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ବରଦା ପ୍ରସନ୍ନ ପଟ୍ଟନାୟକ, ଡ. ସତ୍ୟ ରାୟ, ଡ. ସୁଲୋଚନା ଦାସ, ମନୋରଞ୍ଜନ ମହାନ୍ତି, ଶଶିଭୂଷଣ ଦାସ, ପ୍ରକାଶ ରଞ୍ଜନ ବାରିକ, ରମାକାନ୍ତ ମହାପାତ୍ର, ସତ୍ୟବ୍ରତ ମହାନ୍ତି, ସଞ୍ଜୟ ମହାପାତ୍ର ଓ ସୁଶାନ୍ତ ରାଉତ ପ୍ରମୁଖ ଯୋଗ ଦେଇଥିଲେ।

Comments are closed.