ଓଡ଼ିଶାରେ ପହଞ୍ଚିଲେ ବିଚାରପତି ମହମ୍ମଦ ରଫିକ : ଆଜି ନେବେ ଶପଥ

ଭୁବନେଶ୍ବର : ଓଡ଼ିଶା ହାଇକୋର୍ଟର ନବନିଯୁକ୍ତ ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ ଆଜି ଅର୍ଥାତ ସୋମବାର ଶପଥ ଗ୍ରହଣ କରିବେ। ଲୋକସେବା ଭବନ ପରିସରରେ ନବନିର୍ମିତ କନଭେନସନ ସେଣ୍ଟରରେ ମୁଖ୍ୟ ବିଚାରପତିଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ଆୟୋଜନ କରାଯାଇଛି। ସୋମବାର ପୂର୍ବାହ୍ନ ୯ଟା ବେଳେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏକ ନିରାଡ଼ମ୍ବର ଉତ୍ସବରେ ଜଷ୍ଟିସ ରଫିକଙ୍କୁ ଶପଥ ପାଠ କରାଇବେ। ଉତ୍ସବରେ ହାଇକୋଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଓ ବିଚାରପତିଙ୍କ ସମେତ ମନ୍ତ୍ରୀମଣ୍ଡଳର ସଦସ୍ୟ, ମୁଖ୍ୟ ଶାସନ ସଚିବ ଏବଂ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବେ। କରୋନା ପରିପ୍ରେକ୍ଷୀରେ କନଭେନସନ ସେଣ୍ଟରକୁ ବିଶୋଧନ କରାଯାଇଛି । ଉତ୍ସବରେ ହାଇକୋର୍ଟର ବିଚାରପତି ଏବଂ ଅଧିକାରୀଙ୍କୁ ମିଶାଇ ପ୍ରାୟ ୫୦ ଜଣ ଉପସ୍ଥିତ ରହିବେ। ଶପଥ ଗ୍ରହଣ ଉତ୍ସବ ପାଇଁ କନଭେନସନ ସେଣ୍ଟର ପ୍ରସ୍ତୁତ ରଖିବାକୁ ଗୃହ ବିଭାଗର ପତ୍ର ଆଧାରରେ ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ, ଭୁବନେଶ୍ବର ମହାନଗର ନିଗମ ଏବଂ ଅଗ୍ନିଶମ ସେବା ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି। କନଭେନସନ ସେଣ୍ଟରରେ ଏହା ହେବ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ପ୍ରଥମ ଶପଥ ଗ୍ରହଣ ଉତ୍ସବ।
ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ଭା‌େ‌ବ କାର୍ଯ୍ୟରତ ଜଷ୍ଟିସ ରଫିକଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ବଦଳି କରାଯିବା ପରେ ସେ ଆଜି ଓଡ଼ିଶାରେ ପହଞ୍ଚିଛନ୍ତି। ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ତାଙ୍କୁ ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଏବଂ ବରିଷ୍ଠ ଅଧିକାରୀମାନେ ସ୍ବାଗତ କରିଥିଲେ ।
ଜଷ୍ଟିସ ରଫିକଙ୍କୁ ୨୦୧୯ ନଭେମ୍ବର ୧୩ ତାରିଖରେ ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଅବସ୍ଥାପିତ କରାଯାଇଥିଲା। ଏହା ପୂର୍ବରୁ ସେ ରାଜସ୍ଥାନ ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରିଥିଲେ। ସେଠାରେ ସେ ୨୦୦୬ ମସିହା ମେ ୧୫ ତାରିଖରେ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ୨୦୧୯ ଏପ୍ରିଲ ୭ରୁ ମେ ୪ ଏବଂ ସେପ୍ଟେମ୍ବର ୨୩ରୁ ଅକ୍ଟୋବର ୫ ତାରିଖ ପର୍ଯ୍ୟନ୍ତ ଦୁଇଥର ରାଜସ୍ଥାନ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରିିଥିଲେ। ସେ ରାଜସ୍ଥାନ ରାଜ୍ୟ ଆଇନ ସେବା ପ୍ରାଧିକରଣର କାର୍ଯ୍ୟ ନିର୍ବାହୀ ଅଧ୍ୟକ୍ଷ ଥିଲେ।
୧୯୬୦ ମସିହା ମେ ମାସ ୨୫ ତାରିଖରେ ସେ ରାଜସ୍ଥାନ ଚୁରୁ ଜିଲାର ସୁଜନଗଡ଼ରେ ଜନ୍ମଗ୍ରହଣ କରିଥିଲେ। ରାଜସ୍ଥାନ ବିଶ୍ବବିଦ୍ୟାଳୟରୁ ୧୯୮୦ରେ ବି.କମ, ୧୯୮୪ରେ ଏଲଏଲବି ଓ ୧୯୮୬ରେ ଏମ.କମ ଶିକ୍ଷା ଶେଷ କରିଥିଲେ। ୧୯୮୪ ଜୁଲାଇରୁ ଓକିଲାତିକୁ ପେସା ଭାବେ ଗ୍ରହଣ କରିଥିଲେ। ପରେ ସେ ସହକାରୀ ସରକାରୀ ଆଇନଜୀବୀ, ଡେପୁଟି ସରକାରୀ ଓକିଲ, କେନ୍ଦ୍ର ସରକାରଙ୍କ ଷ୍ଟାଣ୍ଡିଂ କାଉନସେଲ ଏବଂ ଅତିରିକ୍ତ ଆଡଭୋକେଟ ଜେନେରାଲ ଭାବେ କାର୍ଯ୍ୟ କରିଥିଲେ।
ସୂଚନାଯୋଗ୍ୟ ଯେ ଜଷ୍ଟିସ କଳ୍ପେଶ ସତ୍ୟେନ୍ଦ୍ର ଜାଭେରୀ ଅବସର ଗ୍ରହଣ କରିବା ପରେ ୨୦୨୦ ଜାନୁଆରୀ ୫ ତାରିଖରୁ ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ସଞ୍ଜୁ ପଣ୍ଡା କାର୍ଯ୍ୟ କରୁଛନ୍ତି ।

Comments are closed.