ଜଷ୍ଟିସ ଯୋଶେଫଙ୍କୁ ନେଇ ପୁଣି ବିବାଦ; ବରିଷ୍ଠତା ହ୍ରାସ ନେଇ ସୁପ୍ରିମକୋର୍ଟ ବିଚାରପତି କ୍ଷୁବ୍ଧ

0

ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିବା ଜଷ୍ଟିସ କେଏମ୍‍ ଯୋଶେଫଙ୍କୁ ନେଇ ବିବାଦ ପିଛା ଛାଡୁନି। ପଦୋନ୍ନତି ପାଇଁ ତାଙ୍କ ନାମ ସୁପାରିସ ଠାରୁ ବିବାଦ ଆରମ୍ଭ ହୋଇଥିବାବେଳେ ସରକାର ସୁପାରିସ ଗ୍ରହଣ ପୂର୍ବକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିବା ପରେ ମଧ୍ୟ ବିବାଦ ଦେଖାଯାଇଛି। ଜଷ୍ଟିସ ଯୋଶେଫଙ୍କ ସହିତ ଜଷ୍ଟିସ ଇନ୍ଦିରା ବାନାର୍ଜୀ ଓ ଜଷ୍ଟିସ ବିନୀତ ଶରଣଙ୍କୁ ସୁପ୍ରିମକୋର୍ଟର ବିଚାରପତି ନିଯୁକ୍ତି ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ସରକାର ଏହି ନିଯୁକ୍ତି ବିଜ୍ଞପ୍ତିରେ ଜଷ୍ଟିସ ଯୋଶେଫଙ୍କ ବରିଷ୍ଠତାକୁ ହ୍ରାସ କରିଥିବା ଅଭିଯୋଗ ହୋଇଛି। ପଦୋନ୍ନତି ପାଇଥିବା ତିନି ବିଚାରପତିଙ୍କ ମଧ୍ୟରେ ଜଷ୍ଟିସ ଯୋଶେଫଙ୍କ ନାମ ତୃତୀୟରେ ରହିଛି। ଅର୍ଥାତ ସରକାରଙ୍କ ନିଯୁକ୍ତି ବିଜ୍ଞପ୍ତିର ପ୍ରଥମ ସ୍ଥାନରେ ଜଷ୍ଟିସ ବାନାର୍ଜୀଙ୍କ ନାମ ରହିଥିବାବେଳେ ଦ୍ୱିତୀୟରେ ଜଷ୍ଟିସ ଶରଣ ଓ ତୃତୀୟରେ ଜଷ୍ଟିସ ଯୋଶେଫ ରହିଛନ୍ତି। ଅଗଷ୍ଟ ୩ରେ ଏହି ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଅଗଷ୍ଟ ୯ରେ ଏହି ବିଚାରପତିମାନେ ସେମାନଙ୍କ ନୂଆ ପଦର ଶପଥ ନେବେ।
ଜଷ୍ଟିସ ଯୋଶେଫଙ୍କ ବରିଷ୍ଠତାକୁ ହ୍ରାସ କରାଯିବା ନେଇ ସୁପ୍ରିମକୋର୍ଟର କେତେକ ବିଚାରପତି ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଅସନ୍ତୋଷ ବ୍ୟକ୍ତ କରିଥିବା ଜଣେ ବିଚାରପତିଙ୍କ କହିବା ଅନୁଯାୟୀ ସେମାନେ ଏହି ପ୍ରସଙ୍ଗରେ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କୁ ଭେଟି ଅଭିଯୋଗ ଉଠାଇବେ। ସୁପ୍ରିମକୋର୍ଟ କଲେଜିୟମ୍‍ ପଦୋନ୍ନତି ପାଇଁ ଜଷ୍ଟିସ ଯୋଶେଫଙ୍କ ନାମକୁ ପ୍ରଥମେ ସୁପାରିସ କରିଥିଲା ବୋଲି କୁହାଯାଇଛି। ମାତ୍ର ନିଯୁକ୍ତି ବିଜ୍ଞପ୍ତିରେ ତାଙ୍କ ନାମ ସମସ୍ତଙ୍କ ପଛରେ ରହିଛି। ଜଷ୍ଟିସ ଯୋଶେଫଙ୍କ ନାମ ସୁପାରିସକୁ ନେଇ ସରକାର ଓ ସୁପ୍ରିମକୋର୍ଟ ମୁହାଁମୁହିଁ ହୋଇଥିଲେ। ଏହା ପୂର୍ବରୁ ଜାନୁଆରୀ ୧୦ରେ ସୁପ୍ରିମକୋର୍ଟ ଜଷ୍ଟିସ ଯୋଶେଫଙ୍କ ନାମକୁ ସୁପ୍ରିମକୋର୍ଟ ବିଚାରପତି ପଦ ଲାଗି ସୁପାରିସ କରାଯାଇଥିଲା; ମାତ୍ର ସରକାର ଏହି ସୁପାରିସକୁ ଫେରାଇ ଦେଇଥିଲେ। ବରିଷ୍ଠତା ଆଧାରରେ ଜଷ୍ଟିସ ଯୋଶେଫଙ୍କ ଉପରେ ଅନେକ ବିଚାରପତି ରହିଥିବା ସହିତ ଅନ୍ୟ କେତେକ କାରଣ ଦର୍ଶାଇ ସରକାର ଏହାକୁ ଫେରାଇ ଦେଇଥିଲେ। ତେବେ ପୁନର୍ବାର ସୁପ୍ରିମକୋର୍ଟ ଜଷ୍ଟିସ ଯୋଶେଫଙ୍କ ନାମକୁ ଜୁଲାଇ ୧୬ରେ ସୁପାରିସ କରିଥିଲେ। ଫଳରେ ସରକାର ବାଧ୍ୟ ହୋଇ ଏହି ସୁପାରିସକୁ ଗ୍ରହଣ କରିଥିଲେ। ଏବେ ଜଷ୍ଟିସ ଯୋଶେଫଙ୍କ ବରିଷ୍ଠତାକୁ ହ୍ରାସ ନେଇ ବିବାଦ ଦେଖାଯାଇଛି। ଉତ୍ତରାଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଥିବା ସମୟରେ ଜଷ୍ଟିସ ଯୋଶେଫ ୨୦୧୬ରେ ରାଜ୍ୟରେ ଜାରି ହୋଇଥିବା ରାଷ୍ଟ୍ରପତି ଶାସନକୁ ବରଖାସ୍ତ କରି କଂଗ୍ରେସ ସରକାରକୁ ଅବସ୍ଥାପିତ କରିଥିଲେ। ଜଷ୍ଟିସ ଯୋଶେଫଙ୍କ ପିତା ଜଷ୍ଟିସ କେକେ ଯୋଶେଫ ସୁପ୍ରିମକୋର୍ଟର ବିଚାରପତି ଥିଲେ।

Leave A Reply