ଜଷ୍ଟିସ ଯୋଶେଫଙ୍କ ନାମ ପୁନଃ ସୁପାରିସ

0

ନୂଆଦିଲ୍ଲୀ: ଅନେକ ବାଦ ବିବାଦ ସତ୍ତ୍ବେ ଉତ୍ତରାଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି କେ ଏମ୍‍ ଯୋଶେଫଙ୍କ ନାମକୁ ସୁପ୍ରିମକୋର୍ଟର ବିଚାରପତି ଭାବେ ପଦୋନ୍ନତି ଦେବା ଲାଗି କଲେଜିୟମ୍‍ ପୁନର୍ବାର କେନ୍ଦ୍ର ସରକାରଙ୍କୁ ସୁପାରିସ କରିଛନ୍ତି। ଜଷ୍ଟିସ ଯୋଶେଫଙ୍କ ସହିତ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ବିନୀତ ଶରଣ ଓ ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ଇନ୍ଦିରା ବାନାର୍ଜୀଙ୍କ ନାମକୁ ଶୁକ୍ରବାର ସୁପ୍ରିମକୋର୍ଟ ବିଚାରପତି ପଦ ଲାଗି ସୁପାରିସ କରାଯାଇଛି। ଜଷ୍ଟିସ ଶରଣ ଓ ଜଷ୍ଟିସ ବାନାର୍ଜୀଙ୍କ ନାମକୁ ପ୍ରଥମ ଥର ଲାଗି ସୁପାରିସ କରାଯାଇଥିବାବେଳେ ଜଷ୍ଟିସ ଯୋଶେଫଙ୍କ ନାମକୁ ଦ୍ୱିତୀୟ ଥର ପାଇଁ ସୁପାରିସ କରାଯାଇଛି। ସର୍ବଭାରତୀୟ ସ୍ଥରରେ ବରିଷ୍ଠତା ତାଲିକାରେ ଜଷ୍ଟିସ ବାନାର୍ଜୀ ୪ର୍ଥରେ ଓ ଜଷ୍ଟିସ ଶରଣ ୫ମରେ ଅଛନ୍ତି। ପୂର୍ବରୁ ସୁପ୍ରିମକୋର୍ଟ କଲେଜିୟମ୍‍ ଜଷ୍ଟିସ ଯୋଶେଫଙ୍କ ନାମକୁ ଏହି ପଦୋନ୍ନତି ଲାଗି ସୁପାରିସ କରିଥିବାବେଳେ କେନ୍ଦ୍ର ସରକାର ଏହାକୁ ଅଗ୍ରାହ୍ୟ କରିଦେଇଥିଲେ। ଫଳରେ ଏହାକୁ ନେଇ ଅନେକ ବିବାଦ ଦେଖାଯାଇଥିଲା। ତେବେ ବିଚାରପତି ଯୋଶେଫଙ୍କୁ ସୁପ୍ରିମକୋର୍ଟ ବିଚାରପତି ଭାବେ ପଦୋନ୍ନତି ପ୍ରଦାନ କରାଯିବାରେ କୌଣସି ଅପ୍ରାସଙ୍ଗିକତା ନାହିଁ ବୋଲି ଦର୍ଶାଇ ସୁପ୍ରିମକୋର୍ଟ କଲେଜିୟମ ପୁନର୍ବାର ତାଙ୍କ ନାମ ଏଥିପାଇଁ ସୁପାରିସ କରିଛି।
ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ସମେତ ସୁପ୍ରିମକୋର୍ଟର ୫ ବରିଷ୍ଠ ବିଚାରପତିଙ୍କୁ ନେଇ ଗଠିତ କଲେଜିୟମ୍‍ ଗତ ମେ ମାସରେ ଜଷ୍ଟିସ ଯୋଶେଫଙ୍କ ନାମକୁ ପଦୋନ୍ନତି ଲାଗି ପୁନର୍ବାର ପଠାଇବାକୁ ନିଷ୍ପତ୍ତି ନେଇଥିଲେ। ଏବେ ଏହାକୁ ବିଧିବଦ୍ଧ ଭାବେ ସରକାରଙ୍କୁ ସୁପାରିସ କରାଯାଇଛି। ସୁପାରିସ କାଳରେ କଲେଜିୟମ୍‍ କେନ୍ଦ୍ର ସରକାରଙ୍କ ମତାମତକୁ ଗୁରୁତ୍ୱ ଦେଇଥିବା ଜଣାଯାଇଛି। ଏହା ପୂର୍ବରୁ ୧୦ ଜାନୁଆରୀ ୨୦୧୮ରେ କଲେଜିୟମ୍‍ ଜଷ୍ଟିସ ଯୋଶେଫଙ୍କ ନାମକୁ ପଦୋନ୍ନତି ଲାଗି ସୁପାରିସ କରିଥିଲେ। ମାତ୍ର ୨୬ ଏପ୍ରିଲ ୨୦୧୮ କେନ୍ଦ୍ର ସରକାର ଯୋଶେଫଙ୍କ ପଦୋନ୍ନତି ସୁପାରିସକୁ ଅଗ୍ରାହ୍ୟ ପୂର୍ବକ ଫେରାଇ ଦେଇଥିଲେ। କଲେଜିୟମ୍‍ ସୁପାରିସକୁ ଫେରାଇବା ସହିତ କେନ୍ଦ୍ର ଆଇନ ମନ୍ତ୍ରୀ ଏହି ପ୍ରସଙ୍ଗରେ କେତେକ ମତାମତ ଦେଇଥିଲେ। ବିଶେଷ କରି ପଦୋନ୍ନତି କ୍ଷେତ୍ରରେ ବରିଷ୍ଠତାକୁ ଗୁରୁତ୍ୱ ଦିଆଯାଉ ନ ଥିବା ଆଇନ ମନ୍ତ୍ରୀ ତାଙ୍କ ପର୍ଯ୍ୟବେକ୍ଷଣରେ ଦର୍ଶାଇଥିଲେ। ଏବେ ଜଷ୍ଟିସ ଯୋଶେଫଙ୍କ ନାମକୁ ପୁନର୍ବାର ସୁପାରିସ କରିବା ଅବସରରେ କଲେଜିୟମ୍‍ ଏହି ପର୍ଯ୍ୟବେକ୍ଷଣକୁ ଧ୍ୟାନ ଦେଇଥିବା ଜଣାଯାଇଛି।

Leave A Reply