ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍‍ ଇନ୍ଦ୍ରଜିତ ମହାନ୍ତି

ଭୁବନେଶ୍ବର: ପ୍ରଥମ ଓଡିଆ ଭାବେ ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଜଷ୍ଟିସ୍‍ ଇନ୍ଦ୍ରଜିତ୍‍ ମହାନ୍ତି। ରବିବାର ରାଜସ୍ଥାନ ରାଜ୍ୟପାଳ କଲରାଜ ମିଶ୍ର ଇନ୍ଦ୍ରଜିତ ମହାନ୍ତିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏଠାରେ ସୂଚନାଯୋଗ୍ୟ ଜଷ୍ଟିସ ଇନ୍ଦ୍ରଜିତ ମହାନ୍ତି ଓଡିଶାର ଖ୍ୟାତନାମା ଆଇନଜୀବୀ ବାରିଷ୍ଟର ରଣଜୀତ ମହାନ୍ତିଙ୍କ ବଡ ପୁଅ।ଲଣ୍ଡନର ଏଲ୍‍ଏଲ୍‍ଏମ୍‍ ପାସ୍‍ କରି ଫେରିବା ପରେ ତାଙ୍କ ପିତା ବାରିଷ୍ଟର ରଣଜୀତ ମହାନ୍ତିଙ୍କ ଚାମ୍ବରରେ ଜଣେ ଜୁନିୟର ଓକିଲ ଭାବେ ତାଙ୍କର କାର୍ଯ୍ୟ ଆରମ୍ଭ କରିଥିଲେ। ଜଷ୍ଟିସ୍‍ ଇନ୍ଦ୍ରଜିତ୍‍ ମହାନ୍ତି ତାଙ୍କ ପିତା ବାରିଷ୍ଟର ରଣଜିତ ମହାନ୍ତିଙ୍କ ଦେହାନ୍ତ ପରେ ନାଲକୋ, ମହାନଦୀ କୋଲ୍ଡ ଫିଲ୍ଡ ଏବଂ ପାରାଦୀପ ପୋର୍ଟ ପରି ବହୁ ବଡବଡ ସଂସ୍ଥାର ଆଇନଜୀବୀ ଭାବରେ କାର୍ଯ୍ୟ କରିଥିଲେ ଯାହା ତାଙ୍କ ଦକ୍ଷତ୍ୟାର ପରିଚୟ ଦେଇଥିଲା।୨୦୦୮ରେ ଓଡିଶା ହାଇକୋର୍ଟର ଅନ୍ୟତମ ବିଚାରପତି ଭାବରେ ନିଯୁକ୍ତ ହୋଇ କାର୍ଯ୍ୟ ଆରମ୍ଭ କରିଥିଲେ । ୨୦୧୮ ମସିହାରେ ଜଷ୍ଟିସ୍‍ ଇନ୍ଦ୍ରଜିତ୍‍ ମହାନ୍ତି ବମ୍ବେ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ବମ୍ବେ ହାଇକୋର୍ଟରେ ପ୍ରଥମ ଓଡ଼ିଆ ବିଚାରପତି ଥିବା ଜଷ୍ଟିସ୍ ଇନ୍ଦ୍ରଜିତ୍ ମହାନ୍ତି ପ୍ରଥମ ଓଡ଼ିଆ ଭାବେ ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ରୂପେ ଦାୟିତ୍ୱ ଗ୍ରହଣ କରିଛନ୍ତି।

Comments are closed.