ଜ୍ଞାନ ହିଁ ଆଇନଜୀବୀଙ୍କ ମାପକାଠି: ଜଷ୍ଟିସ୍‌ ମିଶ୍ର

0

ଭୁବନେଶ୍ବର : ଜଣେ ଭଲ ଆଇନଜୀବୀ ନିଜର ସ୍ପଷ୍ଟ ଜ୍ଞାନ ବଳରେ ଜଣେ ଭଲ ଓକିଲ ହୋଇପାରିବେ ବୋଲି ମତ ଦେଇଛନ୍ତି ପୂର୍ବତନ ପ୍ରଧାନବିଚାରପତି ଦୀପକ ମିଶ୍ର। ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ୪୭ତମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟରେ ଏକ ଆଇନଜୀବୀ ଏକାଡେମି ଉପରେ ସେ ଗୁରୁତ୍ବାରୋପ କରିଥିଲେ। ରାଜ୍ୟ ସରକାର ଜୁଡିସିଆଲ୍‌ ଏକାଡେମି ପ୍ରତିଷ୍ଠା କରିଛନ୍ତି। ତେଣୁ ତୁରନ୍ତ ଏକ ଆଇନଜୀବୀ ଏକାଡେମି ପ୍ରତିଷ୍ଠା କରନ୍ତୁ। ଆଇନକୁ ପେସା ଭାବେ ଗ୍ରହଣ କରୁଥିବା ଆଇନଜୀବୀମାନେ ଏଠାରେ ଆଇନ ସମ୍ପର୍କିତ ସମସ୍ତ ପ୍ରକାର ପାଠ୍ୟକ୍ରମ ସମ୍ପର୍କରେ ଜ୍ଞାନ ହାସଲ କରିପାରିବେ। ଜଣେ ଭଲ ଆଇନଜୀବୀ ଉତ୍ତମ ଜ୍ଞାନ ବଳରେ ଜଣେ ଭଲ ଓକିଲ ଭାବେ ପ୍ରତିଷ୍ଠିତ ନିଜକୁ କରିପାରିବ। ରାଜ୍ୟ ସରକାର ଏସମ୍ପର୍କରେ ୩୦ ଦିନ ମଧ୍ୟରେ ନିଷ୍ପତ୍ତି ନିଅନ୍ତୁ। ଆଇନଜୀବୀଙ୍କ ସାମାଜିକ ସୁରକ୍ଷା ଲାଗି କଲ୍ୟାଣ ପାଣ୍ଠିର ବିନିଯୋଗ ପାଇଁ ଆଇନରେ ସଂଶୋଧନ ଆବଶ୍ୟକତା ରହିଛି। କଲ୍ୟାଣ ପାଣ୍ଠି ପାଇଁ ସମ୍ବଳ ଯୋଗାଡ଼ କରିବା ଲାଗି କୋର୍ଟ ଫି ବୃଦ୍ଧି ଲାଗି ସାଧାରଣ ଜନତାଙ୍କ ଉପରେ ବୋଝ ଲଦିବା ପ୍ରସଙ୍ଗରେ ପୂର୍ବତନ ପ୍ରଧାନବିଚାରପତି ତାଙ୍କ ମତ ଦେଇ କହିଥିଲେ, ଆଇନଜୀବୀମାନେ ଏସମ୍ପର୍କରେ ସେମାନଙ୍କର ସୁଚିନ୍ତିତ ମତାମତ ବ୍ୟବସ୍ଥାପକଙ୍କ ନିକଟରେ ପ୍ରଦାନ କରିବା ଉଚିତ। ଆଇନଜୀବୀଙ୍କର ସାମାଜିକ ସୁରକ୍ଷା ଜରୁରୀ ହୋଇପଡ଼ିଛି। ଆଇନଜୀବୀ କଲ୍ୟାଣ ପାଣ୍ଠିର ବିନିଯୋଗ, ଆଇନଜୀବୀଙ୍କ ସ୍ବାସ୍ଥ୍ୟ ବୀମା ଓ ଜୀବନ ବୀମା କରିବା ନେଇ ଆଇନରେ ସଂଶୋଧନ କରାଯିବା ଉପରେ ସେ ଗୁରୁତ୍ବାରୋପ କରିଥିଲେ।
ସମ୍ମାନିତ ଅତିଥି ଭାବେ ରାଜ୍ୟ ଆଇନ ଓ ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା କହିଥିଲେ, ରାଜ୍ୟ ସରକାର ଆଇନଜୀବୀଙ୍କ ପାଇଁ ଅନେକ ପଦକ୍ଷେପ ନେଇଛନ୍ତି। ରାଜ୍ୟରେ ଆଇନ ବିଶ୍ବବିଦ୍ୟାଳୟ ଏବଂ ଅାଇନଜୀବୀ ଏକାଡେମି ପାଇଁ ସରକାର ଚିନ୍ତା କରୁଛନ୍ତି। ଆଇନଜୀବୀମାନଙ୍କ ପାଇଁ ଏକ ସ୍ବାସ୍ଥ୍ୟବୀମା କରାଯିବା ଲାଗି ରହିଥିବା ଦାବିକୁ ସରକାର ଗ୍ରହଣ କରିଛନ୍ତି। ରାଜ୍ୟରେ ବିଚାରାଧୀନ ମାମଲା ସଂଖ୍ୟା ବୃଦ୍ଧି ପାଉଥିବାରୁ ସରକାର ରାଜ୍ୟରେ ଅଧିକ ସଂଖ୍ୟକ କୋର୍ଟ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ୩୧୪ ବ୍ଲକ୍‌ରେ ଜେଏମ୍‌ଏଫ୍୍‌ସି କୋର୍ଟ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ଆର୍ଥିକ ବର୍ଷରେ ରାଜ୍ୟରେ ୫୦ଟି କୋର୍ଟ ଖୋଲିବାକୁ ବ୍ୟୟ ଅଟକଳ କରାଯାଇଛି ବୋଲି ଆଇନମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି।
ଅନ୍ୟତମ ଅତିଥି ଭାବେ ସୁପ୍ରିମକୋର୍ଟ ବାର୍‌ର ନବନିର୍ବାଚିତ ସଭାପତି ରାକେଶ ଖାନ୍ନା କହିଥିଲେ ଦେଶରେ ୧୨ ଲକ୍ଷ ଆଇନଜୀବୀ ଅଛନ୍ତି। ଆଇନଜୀବୀମାନଙ୍କର ସାମାଜିକ ସୁରକ୍ଷା କିିଛି ନାହିଁ। ଓକିଲ କଲ୍ୟାଣ ପାଣ୍ଠି ୨୦୦୧ ଆଇନରେ ସଂଶୋଧନର ଆବଶ୍ୟକତା ରହିଛି। ଓକିଲ କଲ୍ୟାଣ ପାଣ୍ଠି ବୃଦ୍ଧି କରାଯିବା ଲାଗି କୋର୍ଟ ଫି ବୃଦ୍ଧି କରାଯିବା ନେଇ ପ୍ରସ୍ତାବ ଦେଇଥିଲେ। ଆଇନଜୀବୀଙ୍କ ପାଇଁ ଏକ ପୂର୍ଣ୍ଣ ସାମାଜିକ କଲ୍ୟାଣ ଯୋଜନା କରାଯିବା ଲାଗି ସେ ମତ ଦେଇଥିଲେ।
ଏହି ଉତ୍ସବ ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ସଭାପତି ଜ୍ଞାନରଞ୍ଜନ ମହାନ୍ତି ସ୍ବାଗତ ଅଭିଭାଷଣ ଦେଇଥିଲେ। ରାଜ୍ୟ ସରକାରଙ୍କ ନିକଟରେ ଆଇନଜୀବୀଙ୍କ କଲ୍ୟାଣ ପାଇଁ ପଦକ୍ଷେପ ନେବା ପାଇଁ ରାଜ୍ୟ ସରକାରଙ୍କୁ କେତକ ନୂତନ ପ୍ରସ୍ତାବ ଦେଇଥିଲେ। ସଂଘର ସାଧାରଣ ସମ୍ପାଦକ ବିଭୁପ୍ରସାଦ ତ୍ରିପାଠୀ ରାଜ୍ୟ ଓକିଲ କଲ୍ୟାଣ ଆଇନର ସଂଶୋଧନ ଉପରେ ସୁଚିନ୍ତିତ ମତାମତ ଦେଇଥିଲେ।
ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ କିଶୋର ଚନ୍ଦ୍ର କର, ଭୁବନେଶ୍ବର ବାର୍‌ର ସଭାପତି ଦୁର୍ଗାମାଧବ ମିଶ୍ର, ସମ୍ପାଦକ ଅଞ୍ଜନ କୁମାର ସାମନ୍ତରାୟ ଏବଂ ବାର୍‌ କାଉନସିଲର ସଦସ୍ୟ ସୀତାଂଶୁ ମୋହନ ଦ୍ବିବେଦୀ ପ୍ରମୁଖ ଉପସ୍ଥିତ ଥିଲେ। ବରିଷ୍ଠ ଆଇନଜୀବୀଙ୍କୁ ଏହି ଅବସରରେ ସମ୍ମାନିତ କରାଯିବା ସହିତ ମୁଖ୍ୟ ଅତିଥି ‘ ଦି ଲୟର’ ପୁସ୍ତକକୁ ଉନ୍ମୋଚନ କରିଥିଲେ।

Leave A Reply