ତାତିଲେ କନିଷ୍ଠ ଶିକ୍ଷକ ଆଶାୟୀ ସଂଘ : ପିଏମ୍‌ଜିରେ ଧସ୍ତାଧସ୍ତି, ବିଧାନସଭା ସମ୍ମୁଖରେ ଧାରଣା

ବିଧାନସଭା ସୁରକ୍ଷା ନେଇ ଉଠିଲା ପ୍ରଶ୍ନବାଚୀ ?

୪୦୦ କର୍ମୀ ଅଟକ, ୧୦ ଗିରଫ, ୫ ଆହତ, ଗୁଇନ୍ଦାସୂତ୍ର ବିଫଳ, ଗଣମାଧ୍ୟମରୁ ଜାଣିଲେ ପୁଲିସ

ଭୁବନେଶ୍ବର : ଡିସେମ୍ବର ପହିଲାରେ ବିଧାନସଭା ଅଧିବେଶନ। ଏହାରି ଭିତରେ ବିଧାନସଭା ସୁରକ୍ଷାକୁ ନେଇ ସୃଷ୍ଟି ହୋଇଛି ବିରାଟ ପ୍ରଶ୍ନବାଚୀ। ଅହରହ ସୁରକ୍ଷାକର୍ମୀଙ୍କ ନଜରରେ ରହୁଥିବା ବିଧାନସଭାକୁ ଧସେଇ ପଶିବାକୁ ଉଦ୍ୟମ ହୋଇଥିଲା। ଆଜି ମଧ୍ୟାହ୍ନରେ କନିଷ୍ଠ ଶିକ୍ଷକ ଅଶାୟୀ ସଂଘ ଶୋଭାଯାତ୍ରା କରୁଥିବା କିଛି ହାତଗଣତି କର୍ମୀ ପୁଲିସର ସୁରକ୍ଷା ବଳୟକୁ ଭେଦ କରି ବିଧାସସଭା ଫାଟକ-୩ରେ ପ୍ରବେଶ କରିବାକୁୁ ଚେଷ୍ଟା କରିଥିଲେ। ସେଠା‌େ‌ର କାର୍ଯ୍ୟରତ ସୁରକ୍ଷା କର୍ମୀ ଅଟକାଇବାରୁ ଫାଟକ ସାମ୍ନାରେ ଚାକିରି ଦିଅ ନହେଲେ ଜେଲ ନିଅ…ଆଦି ସରକାର ବିରୋଧୀ ନାରାବାଜି ଦେଇ ଧାରଣାରେ ବସିଥିଲେ। ଗଣମାଧ୍ୟମରୁ ଖବର ଜାଣିବା ପରେ ସେଠାରେ ପୁଲିସ କର୍ମୀ ପହଞ୍ଚି ଧାରଣା ଦେଇଥିବା କର୍ମୀଙ୍କୁ ଗିରଫ କରିଥିଲା। ଏଭଳି ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ହେଉଛି। ନିରବତା ପରର ଝଡ ଭଳି ଆଜି କନିଷ୍ଠ ଶିକ୍ଷକ ଆଶାୟୀ ସଂଘଙ୍କ ଉଗ୍ରରୂପ ଦେଖିବାକୁ ମିଳିଥିଲା ରାଜଧାନୀରେ। ଲୋୟର ପିଏମ୍‌ଜିରେ ଗତ ମାସ ୨୭ ତାରିଖରୁ କନିଷ୍ଠ ଶିକ୍ଷକ ନିଯୁକ୍ତି ଏବଂ ବୟସସୀମା ୩୨ରୁ ୪୨ ବୃଦ୍ଧି ନେଇ ଲୋୟର ପିଏମ୍‌ଜିଠାରେ ଧାରଣା ଦେବା ସହିତ ଚଳିତ ମାସ ୯ ତାରିଖରୁ ଅନଶନରେ ବସିଛନ୍ତି। ଏହାରି ଭିତରେ ସରକାର ସେମାନଙ୍କ ସହିତ କୌଣସି ଆଲୋଚନା କରିନାହାନ୍ତି। ଏହାର ପ୍ରତିବାଦ କରି ଆଜି ହଜାର ହଜାର ଶିକ୍ଷକ ଲୋୟର ପିଏମଜିରୁ ଶୋଭାଯାତ୍ରା କରି ବିଧାନସଭା ଅଭିମୁଖେ ବାହାରିଥିଲେ। ଧାରଣାସ୍ଥଳରୁ ବାହାରି ପ୍ରଥମ ବ୍ୟାରିକେଡ ଭାଙ୍ଗି ଆଗକୁ ବଢିଥିଲେ। ପରେ ପୁଲିସ ବାହିନୀ ସଂଘ କର୍ମୀଙ୍କୁ ଅଟକାଇ ଥିଲେ। ଏହାରି ଭିତରେ ସଂଘର କର୍ମୀ ଏବଂ ପୁଲିସ ମଧ୍ୟରେ ଧସ୍ତାଧସ୍ତି ଆରମ୍ଭ ହୋଇଯାଇଥିଲା। ପୁଲିସ କିଛି କର୍ମୀଙ୍କୁ ଘଟଣାସ୍ଥଳରୁ ପ୍ରାୟ ୪୦୦ରୁ ଅଧିକ କର୍ମୀଙ୍କୁ ଅଟକ ରଖିଥିଲା। ସେପଟେ ପୁଲିସକୁ ଚକ୍‌ମା ଦେଇ ସଂଘର କିଛି କର୍ମୀ ବିଧାନସଭା ଫାଟକ-୩ ସାମ୍ନାରେ ଧାରଣା ଦେଇଥିବା ୧୦ କର୍ମୀଙ୍କୁ ଗିରଫ କରିଥିଲା।
ପୂର୍ବାହ୍ନ ସାଢେ ୧୧ଟାରେ କନିଷ୍ଠ ଶିକ୍ଷକ ଆଶାୟୀ ସଂଘର ପ୍ରାୟ ୫୦୦୦ରୁ ଅଧିକ ସଦସ୍ୟ ଏକ ବିଶାଳ ଶୋଭାଯାତ୍ରାରେ ଦାବି ପୂରଣ ନେଇ ବିଧାନସଭା ଅଭିମୁଖେ ବାହରିଥିଲେ। ପ୍ରଥମ ବ୍ୟାରିକେଡ ଭାଙ୍ଗିବା ପରେ ଏକ ସଭା କରାଯାଇଥିଲା। ସେଠାରେ ସଂଘର ମୁଖିଆ ବକ୍ତବ୍ୟ ରଖିବା ପରେ ଉତ୍ତେଜିତ ହୋଇ ସଂଘର କର୍ମୀ ଆଗକୁ ବଢିଥିଲେ। ପୁଲିସ ସେମାନଙ୍କୁ ଅଟକାଇ ଥିବାବେଳେ ଧସ୍ତାଧସ୍ତି ଆରମ୍ଭ ହୋଇଯାଇଥିଲା। ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଯିବା ପରେ ସେଠରୁ ପ୍ରାୟ ୪୦୦ କର୍ମୀଙ୍କୁ ପୁଲିସ ଅଟକ ରଖିଥିଲା। ଧସ୍ତାଧସ୍ତିରେ ସଂଘର ୫ କର୍ମୀ ଆହତ ହୋଇଥିବା‌େ‌ବଳେ ସେମାନଙ୍କୁ ରାଜଧାନୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।
ଏପଟେ ପୁଲିସ କର୍ମୀ ଉପସ୍ଥିତ ଥିବାବେଳେ ସଂଘର କିଛି କର୍ମୀ ପ୍ଲାକାର୍ଡ ଧରି ବିଧାନସଭା ସାମ୍ନାରେ ପହଞ୍ଚି ଧାରଣା ଆରମ୍ଭ କରିଦେଇଥିଲେ। ଅନ୍ୟପକ୍ଷରେ ଏହି ଖବର ଗଣମାଧ୍ୟମରେ ପ୍ରସାରିତ ହେବା ପରେ ପୁଲିସ ଅଧିକାରୀ ସେଠାରେ ପହଞ୍ଚି କର୍ମୀଙ୍କୁ ଗିରଫ କରିଥିଲେ। ଲୋୟର ପିଏମ୍‌ଜିରୁ ଅଟକ ହୋଇଥିବା କର୍ମୀଙ୍କୁ ସନ୍ଧ୍ୟାରେ ପୁଲିସ ଛାଡି ଦେଇଥିବାବେଳେ ବିଧାନସଭା ଫାଟକ ନିକଟରୁ ଗିରଫ ହୋଇଥିବା କର୍ମୀଙ୍କୁ ଛାଡିନାହାନ୍ତି। ଏହାର ପ୍ରତିବାଦରେ ସଂଘର କର୍ମୀମାନେ ସହିଦନଗର ଥାନା ‌େ‌ଘରାଉ କରିଥିଲେ। ଏହାପରେ କ୍ୟାପିଟାଲ ଥାନା ମଧ୍ୟ ଘେରାଉ କରିଥିଲେ, ମାତ୍ର କିଛି ସୁଫଳ ମିଳିନଥିଲା। ଗିରଫ ହୋଇଥିବା କର୍ମୀଙ୍କ ଫୋନ ବନ୍ଦ ଥିବାରୁ ପୁଲିସ ପକ୍ଷରୁ ସେମାନଙ୍କ ବାବଦରେ କୌଣସି ଖବର ଦିଆଯାଇନାହିଁ। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଧାରଣା ଏବଂ ଅନଶନ ଜାରି ରହିବ ବୋଲି ସଂଘର ସଭାପତି ଜୀବନବନ୍ଧୁ ଭୋଇ ସୂଚନା ଦେଇଛନ୍ତି।

Comments are closed.