ବିବେକ ସାଗର ଅଧିନାୟକ ; ଓଡ଼ିଶାରୁ ସୁଦୀପ, ଅଭିଷେକ ଓ ସୁନୀଲ

କନିଷ୍ଠ ପୁରୁଷ ହକି ବିଶ୍ବକପ ଭାରତୀୟ ଦଳ ଘୋଷିତ

ଭୁବନେଶ୍ବର  : ଭୁବନେଶ୍ବର କଳିଙ୍ଗ ଷ୍ଟାଡ଼ିୟମରେ ଚଳିତ ନଭେମ୍ବର ୨୪ରୁ ଡିସେମ୍ବର ୫ ପର୍ୟ୍ୟନ୍ତ ଦ୍ବାଦଶ କନିଷ୍ଠ ପୁରୁଷ ହକି ବିଶ୍ବକପ ଖେଳାଯିବ। ଏଥିପାଇଁ ହକି ଇଣ୍ଡିଆ ପକ୍ଷରୁ ୧୮ ଜଣିଆ ଭାରତୀୟ ଦଳ ଗୁରୁବାର ଘୋଷଣା କରାଯାଇଛି। ଟୋକିଓ ଅଲିମ୍ପିକ୍‌ସ କାଂସ୍ୟ ପଦକ ବିଜୟୀ ଭାରତୀୟ ଦଳର ସଦସ୍ୟ ଥିବା ରକ୍ଷଣଭାଗ ଖେଳାଳି ବିବେକ ସାଗର ପ୍ରସାଦ ଅଧିନାୟକ ଓ ସଞ୍ଜୟ ଉପ ଅଧିନାୟକ ନିଯୁକ୍ତ ହୋଇଛନ୍ତି। ସେହିପରି ଦଳରେ ଓଡ଼ିଶାରୁ ୩ ଖେଳାଳି ସୁଦୀପ୍‌ ଚିର୍‌ମାକୋ, ଅଭିଷେକ ଲାକ୍ରା ଓ ସୁନୀଲ ଜୋଜୋ ସ୍ଥାନ ପାଇଛନ୍ତି। କନିଷ୍ଠ ପୁରୁଷ ହକି ବିଶ୍ବକପ ଲାଗି ହକି ଇଣ୍ଡିଆ ପକ୍ଷରୁ ଆୟୋଜିତ ସମ୍ଭାବ୍ୟ ପ୍ରଥମ ପର୍ୟ୍ୟାୟ ଶିବିର ଲାଗି ୩୩ଜଣିଆ ଖେଳାଳି ମନୋନୟନ କରାଯାଇଥିଲା। ଉକ୍ତ ଶିବିର ବାଙ୍ଗାଲୋରସ୍ଥିତ ସାଇ କେନ୍ଦ୍ରରେ ଆୟୋଜିତ ହୋଇଥିଲା। ଏଥିରୁ ଖେଳାଳିମାନଙ୍କ ପ୍ରଦର୍ଶନକୁ ଆଧାର କରି ଦ୍ବିତୀୟ ପର୍ୟ୍ୟାୟ ଶିବିର ଲାଗି ୨୪ଜଣିଆ ଦଳ ଘୋଷଣା କରାଯାଇଥିଲା। ଏଥିରେ ଓଡ଼ିଶାରୁ ୫ଜଣ ଖେଳାଳି ରହିଥିଲେ। ଚୂଡାନ୍ତ ୧୮ଜଣିଆ ଦଳରେ ୩ଜଣ ଓଡ଼ିଆ ରହିଥିବାବେଳେ ସିରିଲ ଲୁଗୁନ ଓ ସାହିଲ ନାୟକ ବାଦ୍‌ ପଡ଼ିଛନ୍ତି। ରାଉରକେଲା କ୍ରୀଡ଼ା ଛାତ୍ରାବାସର ଅଗ୍ରଭାଗ ଖେଳାଳି ସୁଦୀପ୍‌ ପୂର୍ବରୁ ଯୁବ ଅଲିମ୍ପି୍କ୍‌ସରେ ଭାରତୀୟ ଦଳ ପକ୍ଷରୁ ପ୍ରତିନିଧିତ୍ବ କରିଥିବାବେଳେ ରକ୍ଷଣାପନ୍ଥି ଖେଳାଳି ଅଭିଷେକ ଲାକ୍ରା ଓ ଭୁବନେଶ୍ବର କ୍ରୀଡ଼ା ଛାତ୍ରାବାସର ମଧ୍ୟଭାଗ ଖେଳାଳି ସୁନୀଲ ଜୋଜୋ ପ୍ରଥମ ଥର ପାଇଁ ଭାରତୀୟ କନିଷ୍ଠ ଦଳରେ ସ୍ଥାନ ପାଇଛନ୍ତି। ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଗ୍ରାହାମ ରିଡ୍‌ କହିଛନ୍ତି ଯେ, ୧୮ଜଣିଆ ଭାରତୀୟ ହକି ଦଳ ଏବେ ଦେଶ ପାଇଁ କନିଷ୍ଠ ପୁରୁଷ ହକି ବିଶ୍ବକପରେ ପ୍ରତିନିଧିତ୍ବ କରିବେ। କୋଭିଡ଼ -୧୯ ପାଇଁ ଖେଳାଳିମାନେ ଗତ ଏକବର୍ଷରୁ ଅଧିକ ସମୟ ଧରି ସଂଘର୍ଷ କରି ଆସୁଛନ୍ତି। ବିଶ୍ବକପରେ ଶ୍ରେଷ୍ଠ ପ୍ରଦର୍ଶନ କରିବା ନେଇ ଖେଳାଳିଙ୍କ ନିକଟରେ ଦକ୍ଷତା ରହିଛି। ଭୁବନେଶ୍ବର ଭାରତୀୟ ଦଳର ଘରୋଇ ପଡ଼ିଆ। ଏଠାରେ ଖେଳାଳିମାନେ ନିଶ୍ଚିତ ଭଲ ପ୍ରଦର୍ଶନ କରିବାକୁ ଉଦ୍ୟମ କରିବେ ବୋଲି ରିଡ୍‌ କହିଛନ୍ତି। ପ୍ରତିଯୋଗିତାରେ ମୋଟ ୧୬ଟି ଦଳ ଅଂଶଗ୍ରହଣ କରି​‌େ​‌ବ। ଭାରତ ୨୪ରେ ପ୍ରଥମ ମ୍ୟାଚ ଫ୍ରାନ୍ସ , ୨୫ରେ କାନାଡା, ୨୭ରେ ପୋଲାଣ୍ଡ ସହିତ ଲିଗ୍‌ ମ୍ୟାଚ ଖେଳିବ।
ଭାରତୀୟ ଦଳ : ଶ୍ରଦ୍ଧାନନ୍ଦ ତିୱାରୀ, ପ୍ରଶାନ୍ତ ଚୌହ୍ବାନ (ଗୋଲରକ୍ଷକ), ସଞ୍ଜୟ (ଉପଅଧିନାୟକ), ସୁଦୀପ୍‌ ଚିର୍‌ମାକୋ, ରାହୁଲ କୁମାର ରାଜବୀର, ମନିନ୍ଦର ସିଂହ, ପୱନ (ଗୋଲରକ୍ଷକ), ବିଷ୍ଣୁକାନ୍ତ ସିଂହ, ଅଙ୍କିତ ପାଲ, ଉତ୍ତମ ସିଂହ, ସୁନୀଲ ଜୋଜୋ, ମନଜିତ, ରବିଚନ୍ଦ୍ର ସିଂହ ମୈରାଙ୍ଗାଥାମ, ବିବେକ ସାଗର ପ୍ରସାଦ (ଅଧିନାୟକ), ଅଭିଷେକ ଲାକ୍ରା, ୟଶଦୀପ୍‌ ସିୱାଚ, ଗୁର୍‌ମୁଖ ସିଂହ, ଅରଜିତ ସିଂହ ହୁଣ୍ଡାଲ।

Comments are closed.