କନିଷ୍ଠ ପୁରୁଷ ହକି ବିଶ୍ବକପ୍‌: ପୁଲ୍‌ ‘ବି’ରେ ଭାରତ, ଇଂଲଣ୍ଡ ସ୍ଥାନରେ ଖେଳିବ ପୋଲାଣ୍ଡ

ଲାଓସାନେ: ଭୁବନେଶ୍ବରର କଳିଙ୍ଗ ଷ୍ଟାଡ଼ିୟମରେ ଆସନ୍ତା ନଭେମ୍ବର ୨୪ରୁ ଡିସେମ୍ବର ୫ ପର୍ୟ୍ୟନ୍ତ ଦ୍ବାଦଶତମ କନିଷ୍ଠ ପୁୁରୁଷ ହକି ବିଶ୍ବକପ ଖେଳାଯିବ। ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଥିବା ୧୬ଟି ଦଳକୁ ୪ଟି ଗ୍ରୁପରେ ବିଭକ୍ତ କରାଯାଇଛି। ପୁଲ-ଏ ରେ ବେଲଜିୟମ, ଚିଲି, ମାଲେସିଆ ଓ ଦକ୍ଷିଣ ଆଫ୍ରିକା ରହିଥିବାବେଳେ ପୁଲ-ବି ରେ ଡିଫେଣ୍ଡିଂ ଚମ୍ପିଆନ ଭାରତ ,ଫ୍ରାନ୍ସ, କାନାଡା ଓ ପୋଲାଣ୍ଡ ,ପୁଲ-ସି ରେ କୋରିଆ, ନେଦରଲାଣ୍ଡ୍‌ସ, ସ୍ପେନ ଓ ଆମେରିକା ରହିଥିବାବେଳେ ପୁଲ-ଡି ରେ ଆର୍ଜେଣ୍ଟିନା, ଇଜିପ୍ଟ, ଜର୍ମାନୀ ଓ ପାକିସ୍ତାନ ରହିଛନ୍ତି।

ନଭେମ୍ବର ୨୪ରେ ଆୟୋଜକ ଭାରତ ଓ ଫ୍ରାନ୍ସ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ ଖେଳାଯିବ। ଉକ୍ତ ଦିନ ଅନ୍ୟ ୪ଟି ମ୍ୟାଚ ବେଲଜିୟମ- ଦକ୍ଷିଣଆଫ୍ରିକା, ମାଲେସିଆ- ଚିଲି, ଜର୍ମାନୀ- ପାକିସ୍ତାନ, କାନାଡା- ପୋଲାଣ୍ଡ ମଧ୍ୟରେ ଖେଳାଯିବ। ସେହିପରି ଭାରତ ନଭେମ୍ବର ୨୫ରେ କାନାଡା ଓ ୨୭ରେ ପୋଲାଣ୍ଡ ବିପକ୍ଷରେ ମ୍ୟାଚ ଖେଳିବ। ଲିଗ୍‌ ପର୍ୟ୍ୟାୟରେ ମୋଟ ୨୪ଟି ମ୍ୟାଚ ନଭେମ୍ବର ୨୮ ପର୍ୟ୍ୟନ୍ତ ଖେଳାଯିବ। ଡିସେମ୍ବର ୩ରେ ସେମିଫାଇନାଲ ଓ ୫ରେ ଫାଇନାଲ ମ୍ୟାଚ ଖେଳାଯିବ।ପ୍ରତିଯୋଗିତାରୁ ଅଷ୍ଟ୍ରେଲିଆ ,ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ଓହରି ଯାଇଥିବାବେଳେ ତାଙ୍କ ସ୍ଥାନରେ ଆମେରିକା , କାନାଡା ଓ ପୋଲାଣ୍ଡ ସ୍ଥାନ ପାଇଛନ୍ତି।

Comments are closed.