କେଜରିୱାଲଙ୍କ ଶପଥ ଗ୍ରହଣ ଉତ୍ସବରେ ଦେଖାଦେଲେ “କୁନି ମଫଲରମ୍ୟାନ୍”

ନୂଆଦିଲ୍ଲୀ : ଆମ୍‍ ଆଦ୍ମୀମ ପାର୍ଟି(ଆପ୍)ର ମୁଖ୍ୟ ଅରବିନ୍ଦ କେଜରିୱାଲ ରବିବାର ତୃତୀୟଥର ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ପ୍ରାୟ ଅପରାହ୍ନ ୧୨ଟା ୧୫ ମିନିଟ ସମୟରେ ଦିଲ୍ଲୀର ରାମଲୀଳା ମଇଦାନରେ ସେ ଶପଥ ଗ୍ରହଣ କରିଥିଲେ। ଦିଲ୍ଲୀର ଉପରାଜ୍ୟପାଳ ଅନୀଲ ବୈଜଲ ତାଙ୍କୁ ପଦ ଏବଂ ଗୋପନୀୟତାର ଶପଥପାଠ କରାଇଥିଲେ। ଏହି ଶପଥ ଗ୍ରହଣ ଉତ୍ସବରେ ବହୁ ସଂଖ୍ୟାରେ ଦିଲ୍ଲୀବାସୀ ରାମଲୀଳା ମଇଦାନରେ ଉପସ୍ଥିତ ରହିଥିଲେ। ତେବେ ପୁଣିଥରେ ଏଠାରେ ମଧ୍ୟ “କୁନି ମଫଲରମ୍ୟାନ୍” ବା “କୁନି କେଜରିୱାଲ”ଙ୍କ ଉପସ୍ଥିତି ଦିଲ୍ଲୀବାସୀଙ୍କ ହୃଦୟ ଜିତିଥିଲା। ଗୋଟେପଟେ କେଜରିୱାଲ ଓ ତାଙ୍କ ମନ୍ତ୍ରୀ ମଣ୍ଡଳ ଶପଥ ଗ୍ରହଣ କରୁଥିବା ବେଳେ ଅନ୍ୟପଟେ “କୁନି ମଫଲରମ୍ୟାନ୍” ବା “କୁନି କେଜରିୱାଲ”ଙ୍କୁ ଦେଖି ଲୋକମାନେ ଉତ୍ସାହର ସହ ତାଙ୍କର ଅନେକ ଗୁଡ଼ିଏ ଫଟୋ ଉଠାଇଥିଲେ।
ଉଲ୍ଲେଖ ଯୋଗ୍ୟ, ଭୋଟ ଗଣତି ଦିନ ମଧ୍ୟ ଏହି “କୁନି ମଫଲରମ୍ୟାନ୍” ବା “କୁନି କେଜରିୱାଲ” ଦେଖାଯାଇଥିଲେ। ଏହା ସର୍ବାଧିକ ଲୋକପ୍ରିୟତା ଲାଭ କରିଥିଲା। ଏହି ଶିଶୁର ପରିଚୟ ମିଳିଥିଲା ଓ ତାର ନାମ ଅଭ୍ୟାନ୍‌ ତୋମାର ବୋଲି ଜଣାପଡ଼ିଥିଲା। ଅଭ୍ୟାନ୍‌ ହେଉଛି ବ୍ୟବସାୟୀ ରାହୁଲ ଓ ମୀନାକ୍ଷୀ ତୋମାରଙ୍କ ପୁଅ ଏବଂ ତାର ବୟସ ମାତ୍ର ଏକ ବର୍ଷ। ଏହି ଦମ୍ପତି ଆପ୍‌ ସମର୍ଥକ। ଟ୍ବିଟରରେ ପ୍ରଥମେ ଅଭ୍ୟାନ୍‌ର ମଫଲର, ଟୋପିପିନ୍ଧା ଫଟୋ ପ୍ରସାରିତ ହୋଇଥିଲା। ଏହାପରେ ଏହା ଭାଇରାଲ ହେବାରେ ଲାଗିଥିଲା। ତେବେ ଆମ୍ ଆଦମୀ ପାର୍ଟି(ଆପ୍) ପକ୍ଷରୁ ଅଭ୍ୟାନଙ୍କୁ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ପାଇଁ ନିମନ୍ତ୍ରଣ କରାଯାଇଥିଲା।

Comments are closed.