ଉତ୍ତରପ୍ରଦେଶରେ ଜଙ୍ଗଲରାଜ ଭଳି ସ୍ଥିତି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ସରକାରଙ୍କ ଉପରେ ବିରକ୍ତି ହୋଇଗଲୁଣି। ଏଭଳି ଲାଗୁଛି ସେଠାରେ ଜଙ୍ଗଲରାଜ ଚାଲିଛି। ଏକ ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି। ବୁଲନ୍ଦସହରର ଶତାଧିକ ବର୍ଷ ପୁରୁଣା ଏକ ମନ୍ଦିରର ପରିଚାଳନା ସମ୍ପର୍କିତ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଥିଲେ, ଅଧିକାଂଶ ମାମଲାରେ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ଲଢ଼ୁଥିବା ଓକିଲମାନଙ୍କ ନିକଟରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ କୌଣସି ନିର୍ଦେଶ ରହୁନାହିଁ। ଏଭଳି କାହିଁକି ହେଉଛି ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି।

ବିଚାରପତି ଏନ.ବି. ରମନାଙ୍କ ଅଧ୍ୟକ୍ଷତାରେ ବସିଥିବା ଖଣ୍ଡପୀଠ ସରକାରଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ଅତିରିକ୍ତ ଏଜିଙ୍କୁ ପ୍ରଶ୍ନ କରିଥିଲେ ଯେ, ଉତ୍ତରପ୍ରଦେଶରେ କୌଣସି ଟ୍ରଷ୍ଟ ଆଇନ ରହିଛି ? ସେଠାରେ ମନ୍ଦିର ଏବଂ ସହାୟତା ଅର୍ଥରେ ଆଦାୟ କରାଯାଉଥିବା ଚାନ୍ଦାକୁ ନେଇ କିଛି ଆଇନ ଅଛି ? ଉତ୍ତରରେ ଅତିରିକ୍ତ ଏଜି କହିଥିଲେ ଏ ସମ୍ପର୍କରେ ତାଙ୍କ ନିକଟରେ କୌଣସି ସୂଚନା ନାହିଁ। ଏଭଳି ଉତ୍ତର ଶୁଣି ଖଣ୍ଡପୀଠ ଅସନ୍ତୋଷ ପ୍ରକାଶ କରି କହିଥିଲେ, ଏଭଳି ଲାଗୁଛି ଯେ ସେଠାରେ ଆଇନକାନୁନ ରହୁ ବୋଲି ରାଜ୍ୟ ସରକାର ଚାହୁଁନାହାନ୍ତି। ଲାଗୁଛି ସେଠାରେ ଜଙ୍ଗଲରାଜ ଚାଲିଛି। ଆମେ ଉତ୍ତରପ୍ରଦେଶ ସରକାରଙ୍କ ଉପରେ ବିରକ୍ତ ହୋଇଗଲୁଣି। ପ୍ରତିଦିନ ଏପରି ଦେଖିବାକୁ ମିଳୁଛି ଯେ ସରକାରଙ୍କ ପକ୍ଷରୁ ଆସୁଥିବା ଓକିଲମାନଙ୍କ ନିକଟରେ ବିଭାଗୀୟ କର୍ତ୍ତୃପକ୍ଷଙ୍କର କୌଣସି ଉଚିତ ନିର୍ଦେଶ ରହୁନାହିଁ। ଏପରି କାହିଁକି ହେଉଛି ବୋଲି ଖଣ୍ଡପୀଠ ପ୍ରଶ୍ନ କରିଥିଲେ।

Comments are closed.