ରାଜ୍ୟରେ ବଢ଼ି ଚାଲିଛି ବନ୍ୟଯନ୍ତୁ ଶିକାର

0

ଭୁବନେଶ୍ୱର : ରାଜ୍ୟରେ ବନ୍ୟପ୍ରାଣୀ ଓ ମାନବ ମଧ୍ୟରେ ସଂଘର୍ଷ ଘଟଣା ତଥା ବନ୍ୟଯନ୍ତୁଙ୍କ ଶିକାର ବଢ଼ି ବଢ଼ି ଚାଲିଥିବା ବେଳେ ସ୍ଥାୟୀ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକଙ୍କ ଅଭାବ ସ୍ଥିତିକୁ ଅଧିକ ଜଟିଳ କରୁଛି। ଏହି କାରଣ ଯୋଗୁଁ ସୁନ୍ଦରୀ ବାଘୁଣୀକୁ ସ୍ଥାନାନ୍ତର, ବନ୍ୟଯନ୍ତୁଙ୍କ ସୁରକ୍ଷା ଭଳି ଅନେକ ସମ୍ବେଦନଶୀଳ ପ୍ରକ୍ରୀୟା ବେଶ୍‍ ପ୍ରଭାବିତ ହେଉଛି। ଓଡ଼ିଶା ବନ୍ୟପ୍ରାଣୀ ସମିତି ଆବାହକ ବିଶ୍ୱଜିତ ମହାନ୍ତି ଏନେଇ ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କୁ ପତ୍ର ଲେଖି ସ୍ଥାୟୀ ମୁଖ୍ୟ ବନ ତତ୍ତ୍ୱାବଧାରକ ନିଯୁକ୍ତି ପାଇଁ ଦାବି ଜଣାଇଛନ୍ତି।
ଶ୍ରୀ ମହାନ୍ତି ନିଜ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଗତ ଏକ ବର୍ଷ ହେଲା ରାଜ୍ୟରେ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ପଦବୀରେ ଜଣେ ସ୍ଥାୟୀ ଅଧିକାରୀଙ୍କୁ ନିଯୁକ୍ତି ମିଳିନି। ଯଦ୍ୱାରା ବନ୍ୟପ୍ରାଣୀ ସମ୍ପର୍କିତ ଅନେକ ସମସ୍ୟାର ତ୍ୱରିତ ସମାଧାନ ହୋଇପାରୁ ନାହିଁ। ମଧ୍ୟ ପ୍ରଦେଶରୁ ଆସିଥିବା ବାଘୁଣୀ ସୁନ୍ଦରୀକୁ ଓଡ଼ିଶା ଜଙ୍ଗଲରେ ଛଡ଼ାଯିବାର ଗୋଟିଏ ସପ୍ତାହ ପରେ ସ୍ଥିତି ଉଦ୍‍ବେଗଜନକ ହୋଇଛି। ବାଘୁଣୀକୁ ଏଠାରେ ଛାଡ଼ିବା ପୂର୍ବରୁ ଯେଉଁ ସର୍ବେକ୍ଷଣ କରାଯାଇ ଥିଲା ତାହା ଯଥେଷ୍ଟ ନଥିବା ପରବର୍ତ୍ତି ଅବସ୍ଥାରେ ଜଣା ପଡିଥିଲା। ଏପରିକି ଏଥିପାଇଁ ଏନ୍‍ଟିସିଏ’ର ଜାତୀୟ ମାନଦଣ୍ଡ ଅନୁକରଣ କରାଯାଇ ଏସ୍‍ଓପି ପାଳନ ହୋଇ ନଥିବା ବେଳେ ମୌସୂମିରେ ସୁନ୍ଦରୀକୁ ଜଙ୍ଗଲରେ ଛାଡ଼ିବା ନିଷ୍ପତ୍ତି ଭୂଲ୍‍ ଥିଲାବୋଲି ରିପୋର୍ଟରୁ ଜଣା ପଡିଛି। ଯଦି ଜଣେ ସ୍ଥାୟୀ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଥାନ୍ତେ ତେବେ ଆଜି ୨୫ କୋଟି ଟଙ୍କାର ବାଘୁଣୀ ସ୍ଥାନାନ୍ତର ପ୍ରକଳ୍ପ ବାଟବଣା ହୋଇନଥାନ୍ତା।
ଅପରପକ୍ଷେ ଗତ ୧୩ ମାସ ମଧ୍ୟରେ ହାତୀ ମଣିଷ ମଧ୍ୟରେ ଲଢ଼େଇର ୧୪୪ଟି ଘଟଣାରେ ୧୦୦ ବ୍ୟକ୍ତିଙ୍କର ପ୍ରାଣହାନୀ ଘଟିଛି। ଗତ ଆଠବର୍ଷ ମଧ୍ୟରେ ଏହା ସର୍ବାଧିକ କ୍ଷୟକ୍ଷତି ବୋଲି ଶ୍ରୀ ମହାନ୍ତି ଉଲ୍ଲେଖ କରିଛନ୍ତି। ସେହିପରି ବନ୍ୟଯନ୍ତୁଙ୍କ ଶିକାର ଅବାଧରେ ଚାଲିଛି।
ଗତ ୧୩ ମାସ ମଧ୍ୟରେ ୫ଟି କଲରାପତିରିଆ ବାଘର ଚମଡ଼ା ବଜବତ ହୋଇଥିବା ବେଳେ ୩ଟି ମାମଲାରେ ଅଭିଯୁକ୍ତ ଫେରାର ହୋଇ ଯାଇଛନ୍ତି। ଅପରାଧୀଙ୍କୁ ଦମନ କରିବାରେ ବନ ବିଭାଗ ଶୋଚନୀୟ ଭାବେ ବିଫଳ ହେବା ଚିନ୍ତାର ବିଷୟ। ବିଲୋପ ଦ୍ୱାରଦେଶରେ ପହଞ୍ଚିଥିବା ପେଙ୍ଗୁଲିନ୍‍ ମଧ୍ୟ ଓଡ଼ିଶାରେ ଅସୁରକ୍ଷିତ ହୋଇ ପଡିଛନ୍ତି। ହାତୀ ସମେତ ଅନ୍ୟ ବନ୍ୟଯନ୍ତୁଙ୍କ ଶିକାର ଜୋର୍‍ ଧରିବାରେ ଲାଗିଛି। କଇଁଚ ଚାଲାଣ ଓଡ଼ିଶାରେ ଏକ ଭଲ ବ୍ୟବସାୟରେ ପରିଣତ ହୋଇଛି।
ଏପରିସ୍ଥଳେ ଜଣେ ସ୍ଥାୟୀ ମୁଖ୍ୟ ବନ ତତ୍ତ୍ୱାବଧାରକ ନିଯୁକ୍ତ କରାଗଲେ ଏସବୁ ଘଟଣାର ଅନ୍ତ ଘଟାଇବା ପାଇଁ ଉପଯୁକ୍ତ ପଦକ୍ଷେପ ନେବା ସହଜ ହେବ ବୋଲି ଶ୍ରୀ ମହାନ୍ତି ଜଣାଇଛନ୍ତି।

Leave A Reply