ଜୁନାଗଡ ବିଧାୟକଙ୍କ ଗିରଫ ଦାବିରେ ଆନ୍ଦୋଳନ

0

କୋକସରା/କଲମପୁର – ଜୁନାଗଡ ବିଧାୟକ କ୍ୟାପେଟେନ ଦିବ୍ୟ ଶଂକର ମିଶ୍ର ଜଣେ ଦିବ୍ୟାଙ୍ଗ ଯୁବକଙ୍କୁ ସଭାମଞ୍ଚରୁ ମାରିଦେବାକୁ ଧମକ ଘଟଣାରେ ଯାଦବ ସଂଘ ମୁଣ୍ଡ ପୁରାଇଛି। ଏହି ଘଟଣାରେ ସଂପୃକ୍ତ ଦିବ୍ୟାଙ୍ଗଙ୍କୁ ସମର୍ଥନ କରିବା ସହ ବିଧାୟକଙ୍କ ଏତାଦୃଶ କାର୍ଯ୍ୟକୁ ନିନ୍ଦା କରି କଳାହାଣ୍ଡି ଯାଦବ ସଂଘ ଓ ଯୁବ ଯାଦବ ସଂଘ ବିଧାୟକଙ୍କ ଗିରଫ ଦାବୀ କରିଛି ଏବଂ ତାଙ୍କ କୁଶପୁତ୍ତଳିକା ମଧ୍ୟ ଦାହ କରିଛି। ଏନେଇ ଦିବ୍ୟାଙ୍ଗ ଯୁବକଙ୍କ ତରଫରୁ ଧର୍ମଗଡ ଥାନାରେ ଏକ ଏତଲା ଦିଆଯାଇଛି। ଦିବ୍ୟାଙ୍ଗଙ୍କ ସମର୍ଥନରେ କଳାହାଣ୍ଡି ଯାଦବ ସଂଘ ଓ ଯୁବ ଯାଦବ ସଂଘ ଏକ ଶୋଭାଯାତ୍ରାରେ ବାହାରି କ୍ୟାପଟେନ ଶ୍ରୀ ମିଶ୍ରଙ୍କ ବିରୁଦ୍ଧରେ ବିଭିନ୍ନ ସ୍ଳୋଗାନ ଦେବା ସହ ଧର୍ମଗଡ ଥାନାକୁ ଆସି ଏତଲା ଦେଇଥିଲେ। ଏତଲାରେ ନିଜ ଜୀବନ ପ୍ରତି ବିପଦ ଥିବା ଦିବ୍ୟାଙ୍କ ଟଙ୍କଧର ଖର୍ସେଲ ଦର୍ଶାଇ ନିଜକୁ ସୁରକ୍ଷା ଯୋଗାଇ ଦେବାକୁ ଦାବି କରିଛନ୍ତି। ସୂଚନାନୁଯାୟୀ ଗତ ୨୪/୭ରେ ଧର୍ମଗଡ ବ୍ଳକ ଅନ୍ତର୍ଗତ ବୋଡେନ ଠାରେ ନନ୍ଦଗାଁ ପେକ୍ସ ତରଫରୁ ‘ସମବାୟ ଆପଣଙ୍କ ଦ୍ୱାରରେ’କାର୍ଯ୍ୟକ୍ରମ ଅନଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ କ୍ୟାପଟେନ ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ଶ୍ରୀ ମିଶ୍ର ତାଙ୍କ ବକ୍ତବ୍ୟ ପ୍ରଦାନ କରୁଥିବାବେଳେ ସେଠାରେ ଉପସ୍ଥିତ ଜନସାଧାରଣଙ୍କ ମଧ୍ୟରୁ ଇଛାପୁର ଗ୍ରାମର ଟଙ୍କଧର ଖର୍ସେଲ ନାମକ ଜନୈକ ବ୍ୟକ୍ତି ନିଜ ଅସନ୍ତୋଷ ପ୍ରକାଶ କରି ଅସଭ୍ୟ ଭାଷା ପ୍ରୟୋଗ କରିଥିଲେ। ଏଥିରେ କ୍ୟାପଟେନ ନିଜର ବାକ ସଂଯମତା ଭୂଲିଯାଇ ଉତକ୍ଷିପ୍ତ ହୋଇ ତାକୁ ମାରିଦେବାକୁ ଧମକ ଦେଇଥିଲେ। ମଞ୍ଚରୁ ଓହ୍ଳାଇ ତୋତେ ମାରିଦେବି ବୋଲି ବାରମ୍ବାର କହିଥିଲେ। ଯାହାର ଏକ ଭିଡିଓ କ୍ଳିପ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହାକୁ ନେଇ ସେଠାରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଜଣେ ନୀତି ନିଦ୍ଧାରଣକାରୀ ଉଚ୍ଚ ଶିକ୍ଷିତ ବିଧାୟକ ଗାଉଁଲି ଲୋକର ଭାଷାରେ ଏଭଳି ଉତ୍ତେଜିତ ହୋଇ ନିଜ ବାକ ସଂଞ୍ଜମତା ହରାଇବା ବିଧାୟକଙ୍କ ପକ୍ଷେ ଉଚିତ ହୋଇ ନାହିଁ ବୋଲି ସୋସିଆଲ ମିଡିଆରେ ମଧ୍ୟ ଅନେକ ମତ ପ୍ରକାଶ କରିଥିଲେ। ତେବେ ଧମକ ଦେବାର ପରବର୍ତ୍ତି ମୂହୁର୍ତ୍ତରେ ନିଜ ଭୂଲ ବୁଝିପାରି ବିଧାୟକ ଶ୍ରୀ ମିଶ୍ର ଟଙ୍କଧରଙ୍କୁ ଭୂଲ ମାଗି ସମସ୍ତ ପ୍ରକାର ସହଯୋଗର ପ୍ରତିଶ୍ରୁତି ଦେଇଥିବା ମଧ୍ୟ ବିଧାୟକ ପ୍ରକାଶ କରିଥିଲେ। କିନ୍ତୁ ଆଜି ଏହି ଘଟଣାରେ ଯାଦବ ସଂଘ ମୁଣ୍ଡ ପୁରେଇବା ପରେ ଘଟଣା ଭିନ୍ନ ମୋଡ ନେଇଛି। କଳାହାଣ୍ଡି ଯାଦବ ସଂଘ ସଭାପତି ଡମ୍ବରୁ ଲହଜଲ, କଲମପୁର ଯୁବ ଯାଦବ ସଂଘ ର ଲକ୍ଷ୍ମି ବାଗ,ପୂର୍ବତନ ସରପଂଚ ଧନୁ ଗୋପାଳ, ଗୋଲାମୁଣ୍ଡା ବ୍ଳକ ଯାଦବ ସଂଘ ଉପସଭାପତି ହର ବାଗ, ଘନ ଭାଟି, ଅଚ୍ୟୁତ ଭଇସାଲ, ସମେତ ଶତାଧିକ ଯାଦବ ସଂଘ କର୍ମକର୍ତ୍ତା ବିଧାୟକଙ୍କ ଗିରଫ ସହ ତାଙ୍କୁ ତୁରନ୍ତ ପଦବୀରୁ ବହିଷ୍କାର କରାଯାଉ ବୋଲି ଦାବି କରି ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ। ପରେ କର୍ମକର୍ତ୍ତା ଗହଣରେ ଟଙ୍କଧର ଧର୍ମଗଡ ଥାନାକୁ ଆସି ଏତଲା ଦେଇଥିଲେ। ଏନେଇ ସଂଘ ମୁଖ୍ୟ ମନ୍ତ୍ରୀ, ରାଜ୍ୟପାଳ, ମାନବାଧିକାର କମିଶନ ଓ ପୁଲିସ ମହନିର୍ଦ୍ଦେଶକଙ୍କୁ ମଧ୍ୟ ଅବଗତ କରାଇଛି। ଏହି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନହେଲେ ବିଜେଡି ପାଇଁ ମହଙ୍ଗା ପଡିବ ବୋଲି ସଂଘର କର୍ମକର୍ତ୍ତା ପ୍ରକାଶ କରିଛନ୍ତି। ବିଜେଡି ପାଇଁ ଯାଦବ ସଂପ୍ରଦାୟ ଏକ ଭୋଟ ବ୍ୟାଙ୍କ ଅଟେ। ଯାଦବ ସଂଘର ଏଭଳି ଚେତାବନୀ ଆଗାମୀ ଦିନରେ ଦଳ ପାଇଁ ବିପର୍ଯ୍ୟୟ ସୃଷ୍ଟି କରିପାରେ ବୋଲି ଚର୍ଚ୍ଚା ହେଉଛି। ଏନେଇ ବିଧାୟକ ଶ୍ରୀ ମିଶ୍ରଙ୍କ ପ୍ରତିକ୍ରିୟା ଅନୁସାରେ ତାହା ଏତଲା ନୁହେଁ , ଏକ ଅଭିଯୋଗ ଏବଂ ଯେଉଁମାନେ ଆଜି ଶୋଭାଯାତ୍ରା କରି କୁଶପୁତ୍ତଳିକା ଦାହ କଲେ ସେମାନେ ଜଣେ ଜଣେ ଆତ୍ମଘୋଷିତ ନେତା , ସେ ସଂପ୍ରଦାୟର କୌଣସି ନିର୍ବାଚିତ ନେତା ନୁହନ୍ତି ବୋଲି କହିଥିଲେ।

Leave A Reply