ପୁନରୁଦ୍ଧାର ଅପେକ୍ଷାରେ ଭତ୍ରା ଜଳସେଚନ ପ୍ରକଳ୍ପ

ଜୁନାଗଡ଼ : କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ପ୍ରକୃତିଦତ୍ତ ଭତ୍ରା ଜଳସେଚନ ପ୍ରକଳ୍ପ ଦୀର୍ଘଦିନ ହେଲା ପୁନରୁଦ୍ଧାର ନ ହୋଇ ପଙ୍କ ଓ ଦଳରେ ଭର୍ତ୍ତି ହୋଇ ପଡ଼ିଛି। ପଚାଶ ଦଶକରେ କାର୍ଯ୍ୟକ୍ଷମ ହୋଇଥିବା ଏହି ଜଳସେଚନ ପ୍ରକଳ୍ପ ଦ୍ୱାରା ଅଞ୍ଚଳର ଚାଷୀ ଉପକୃତ ହେଉଥିଲେ, ମାତ୍ର ପ୍ରଶାସନର ଅବହେଳା ଯୋଗୁ ଏବେ ଏହି ପ୍ରକଳ୍ପ ଏକ ପ୍ରକାର ଅକାମି ହୋଇପଡ଼ିଛି। ବର୍ଷାଋତୁରେ ବର୍ଷାଜଳ ସଂରକ୍ଷିତ କରିପାରୁଥିବା ୩ଶହ ଏକର ପରିମିତ ଏହି ପ୍ରାକୃତିକ ଜଳାଶୟକୁ ନେଇ ବିଗତ ଶତାବ୍ଦୀର ୫୦ ଦଶକରେ ଏକ ଜଳସେଚନ ପ୍ରକଳ୍ପର ଚିନ୍ତା କରାଯାଇଥିଲା ଏବଂ ଆବଶ୍ୟକ ନିର୍ମାଣ ପରେ ମଧ୍ୟମ ଜଳସେଚନ ପ୍ରକଳ୍ପ ତାକୁ ୧୯୫୨ ମସିହାରେ କ୍ଷୁଦ୍ର ଜଳସେଚନ ବିଭାଗକୁ ହସ୍ତାନ୍ତର କରିଥିଲା। ଏହା ପରେ ୨୦୦୧ ମେ ୧୨ ତାରିଖରେ ଏହାର ଦାୟିତ୍ଵ ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପ (ଡାହଣ କେନାଲ, ଡିଭିଜନ-୧) ଗ୍ରହଣ କରିଥିଲା। ଏହି ଜଳାଶୟ ଚାରିପଟେ ରହିଛି ଜୁନାଗଡ଼ ବ୍ଲକର ବକ୍ସି ତୁଲସୀପାଲି ପଞ୍ଚାୟତର ରଣପୁର, ଏକନାଗୁଡ଼ା, କଲେଗଁ। ପଞ୍ଚାୟତର ଜାମଚୁଆଁ, ଦାବ୍ରିଗୁଡ଼ା, ଦେଦର ପଞ୍ଚାୟତର ଗୋଲାମୁଣ୍ଡା ଓ ସୁରଷୋମାଲ ପଭୃତି ଗ୍ରାମ। ପ୍ରକଳ୍ପ କାର୍ଯ୍ୟକାରୀ ହେବା ପରଠାରୁ ରଣପୁର, ବକ୍ସିତୁଳସୀପାଲି, କୁପାଗାଁ, କୃଷ୍ଣପୁର, ମାଲଗୁଣ୍ଡ, ମେରିଆ ବନ୍ଧଲି ଓ ଜୁନାଗଡ଼ ସମେତ ସାନ ଡୁମେରବାହାଲ, କଲେଇ ଗାଁ, କୁଲିହାରି, ଚାର ଭାଟି ଅଞ୍ଚଳର ପ୍ରାୟ ୧୨ଶହରୁ ୧୮ଶହ ହେକ୍ଟର ଚାଷଜମି ଏହାଦ୍ବାରା ଉପକୃତ ହୋଇପାରୁଥିଲା। ପରିତାପର ବିଷୟ ହେଲା ଦୀର୍ଘ ୭୦ବର୍ଷ ଧରି ନିରବଚ୍ଛିନ୍ନ ଭାବରେ ସେବା ଯୋଗାଇ ଆସୁଥିବା ଏହି ପକଳ୍ନ ଆବଶ୍ୟକ ମରାମତି ଓ ରକ୍ଷଣାବେକ୍ଷଣ ଅଭାବରୁ ପୂର୍ବପରି ସେବା ଯୋଗାଇବାକୁ ଅକ୍ଷମ ହୋଇ ପଡ଼ିଛି। ନିୟମିତ ପୁନରୁଦ୍ଧାର ଅଭାବରୁ ଏହାର ଶଯ୍ୟାରୁ ପ୍ରାୟ ୧୫ଫୁଟ ଯାଏ ମାଟି ଜମା ହୋଇରହିଥବାରୁ ଏହାର ଜଳଧାରଣ କ୍ଷମତା ହ୍ରାସ ପାଇଥିବା ଅନୁମାନ କରାଯାଉଛି। ସେହିପରି ଏଠାରେ ଜମି ରହିଥିବା ବିପୁଳ ପରିମାଣର ଦଳ ମଧ୍ୟ ଏଥିରେ ପ୍ରତିବନ୍ଧକ ସୃଷ୍ଟି କରୁଛି। ଫଳରେ ରବି ଋତୁରେ ଏହା ଉପରେ ନିର୍ଭର କରୁଥିବା ସମୁଦାୟ ଚାଷଜମିରୁ ଅନ୍ୟୂନ ୫୦ ପ୍ରତିଶତ ଜମିକୁ ପାଣି ପହଞ୍ଚିପାରୁ ନାହିଁ।

 

ସୂଚନାଯୋଗ୍ୟ ଯେ ବନ୍ଧ ନିରାପତ୍ତା (ଡ୍ୟାମ୍‌ ସେଫ୍ଟି) ଅଧୀନରେ ଥିବାରୁ ଏହାର ପୁନରୁଦ୍ଧାର ପାଇଁ ପ୍ରତିବର୍ଷ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯାଉଛି ଏବଂ ସେହିଭଳି ଗତବର୍ଷ ବିଭାଗ ପକ୍ଷରୁ ଡ୍ୟାମର ପୁନରୁଦ୍ଧାର ପାଇଁ ଡିପିଆର ମଧ୍ୟ ପ୍ରଦାନ କରାଯାଇଥିବା ବିଭାଗୀୟ ସୂତ୍ରରୁ ଜଣା ପଡ଼ିଛି।
ଗତ ଜାନୁଆରୀ ୧୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଜିଲାର ଜୟପାଟଣାରେ ବହୁ ପ୍ରତିକ୍ଷୀତ ବୃହତ୍‌ ଉଠା ଜଳସେଚନ ବ୍ୟବସ୍ଥା (ମେଗା ଲିଫ୍ଟ ଇରିଗେସନ ପଏଣ୍ଟ) ଉଦ୍‌ଘାଟନ କରିବା ସହ ୫୨ଟି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ, ତେବେ ୭ଦଶନ୍ଧି ଧରି ସେବା ଯୋଗାଇ ଆସୁଥିବା ଏହି ପ୍ରାକୃତିକ ପ୍ରକଳ୍ପର ଆବଶ୍ୟକ ପୁନରୁଦ୍ଧାର ଓ ରକ୍ଷଣାବେକ୍ଷଣ ପ୍ରତି ଦୃଷ୍ଟି ଦିଆ ନଯିବା ଦୁର୍ଭାଗ୍ୟର ବିଷୟ ବୋଲି ସଂପୃକ୍ତ ଚାଷୀ ମହଲରେ ଆଲୋଚନା ହେଉଛି। ଅନ୍ୟପକ୍ଷରେ ସ୍ଥାନୀୟ ରାଜନେତାମାନେ ମଧ୍ୟ ଏ ଦିଗରେ ଆଗ୍ରହ ପ୍ରକାଶ କରୁନଥିବାରୁ ଉକ୍ତ ମହଲରେ ତୀବ୍ର ଅସନ୍ତୋଷ ଦାନା ବାନ୍ଧୁଛି।

Comments are closed.