‘ଜୁହାର’ ପରିବାର ପକ୍ଷରୁ ସୁରେନ୍ଦ୍ର ସାଏ ଓ ନେତାଜୀଙ୍କ ଜୟନ୍ତୀ ପାଳିତ

0

ସମ୍ବଲପୁର : ରାଜଧାନୀ ଦିଲ୍ଲୀ ଠାରେ ଓଡିଆ ମାନଙ୍କର ସାମାଜିକ ସାଂସ୍କୃତିକ ସଙ୍ଗଠନ ‘ଜୁହାର’ ପରିବାର ପକ୍ଷରୁ ଓଡିଶା ମାଟିର ବରପୁତ୍ର ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପୁଣ୍ୟ ଜନ୍ମତିଥି ଅବସରରେ ଜୟନ୍ତୀ ସମାରୋହ ପାଳିତ ହୋଇଯାଇଛି। ଦିଲ୍ଲୀର ହଜ ଖାସ ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଆୟୋଜିତ ଏହି ଜୟନ୍ତୀ ସମାରୋହରେ ୱାଲର୍ଡ ଫୋକସ ମାଗାଜିନର ମୁଖ୍ୟ ସମ୍ପାଦକ ଜି. କିଶୋର ମୁଖ୍ୟ ଅତିଥି, ବରିଷ୍ଠ ସାମ୍ବାଦିକ ଡ. ଭବାନୀ ଦୀକ୍ଷିତ, ଆଇଆଇଟି ଦିଲ୍ଲୀର ପ୍ର. ସୁକୁମାର ମିଶ୍ର ଓ ବରିଷ୍ଠ ଓକିଲ ସନ୍ଦିପ ମହାପାତ୍ର ଅତିଥି ଭାବରେ ଯୋଗ ଦେଇଥିଲେ। ମାଟିର ଦୁଇ ବରପୁତ୍ରଙ୍କ ଫଟୋ ଚିତ୍ର ସମ୍ମୁଖରେ ଦୀପ ପ୍ରଜ୍ୱଳନ ପରେ ମାର୍ଲ୍ୟାପଣ କରାଯାଇଥିଲା। ବୀର ସୁରେନ୍ଦ୍ର ସାଏଙ୍କ ସଂଗ୍ରାମ ଦ୍ୱାରା ବ୍ରିଟିଶ ସାମ୍ରାଜ୍ୟ ଦୋହଲି ଯାଇଥିବା ବେଳେ ଓଡିଶା ପ୍ରଦେଶରେ ସମ୍ବଲପୁରକୁ ବହୁ ସଂଘର୍ଷ ପରେ ଯାଇ ବ୍ରିଟିଶ ମାନେ ଅକ୍ତିୟାର କରିଥିଲେ। ୧୮୫୭ର ସିପାହୀ ବିଦ୍ରୋହର ପ୍ରାୟ ୩୦ ବର୍ଷ ପୁର୍ବରୁ ବୀର ସୁରେନ୍ଦ୍ର ବ୍ରିଟିଶ ସରକାରଙ୍କୁ ଚାଲେଞ୍ଜ କରି ସଂଗ୍ରାମ ଆରମ୍ଭ କରି ଦେଇଥିଲେ। ନେତାଜୀଙ୍କ ସଂଗ୍ରାମ ଓ ତ୍ୟାଗ ସହିତ ସମସ୍ତେ ପରିଚିତ ଥିବା ବେଳେ ବୀର ସୁରେନ୍ଦ୍ରଙ୍କର ସଂଗ୍ରାମକୁ ଦେଶ ବ୍ୟାପି ସେଭଳି ଖ୍ୟାତି ଆଜି ପର୍ଯ୍ୟନ୍ତ ମିଳିପାରି ନାହିଁ ବୋଲି ବକ୍ତା ମାନେ ମତ ଦେଇଥିଲେ। ଏଣୁ ପଶ୍ଚିମ ଓଡିଶାର ସ୍ୱାଧିନତା ସଂଗ୍ରାମ ଉପରେ ଆହୁରି ଗବେଷଣା ଆବଶ୍ୟକ ବୋଲି ବକ୍ତା ମାନେ କହିଥିଲେ। ଏହି ଅବସରରେ ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସରେ ଜାତୀୟ ବୀରତା ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ସୁନ୍ଦରଗଡର ରଞ୍ଜିତା ମାଝୀ, ସୋନପୁରର ଝୀଲ୍ଲି ବାଗ, ଜଗତସିଂହପୁରର ବିଶ୍ୱଜିତ ପୁହାଣ ଓ କେନ୍ଦ୍ରପଡାର ସିଟୁ ମଲ୍ଲିକଙ୍କ ଜୁହାର ପରିବାର ପକ୍ଷରୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଜୁହାର ପରିବାର ର ସଦସ୍ୟ ମାନେ ସେମାନଙ୍କର ସ୍ୱରଚିତ କବିତା ତଥା ଗୀତ ଓ ବକ୍ତୃତା ପାଠ କରିଥିଲେ। ଜୁହାରର ସଭାପତି ରଞ୍ଜନ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ସଦସ୍ୟ ଅନୁପମ ମିଶ୍ର ପରିଚାଳନା କରିଥିବା ବେଳେ ସଦସ୍ୟ ବାସୁଦେବ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply