୬ ଉଚ୍ଚନ୍ୟାୟାଳୟ ପାଇଁ ୨୩ ବିଚାରପତିଙ୍କ ନାମ ସୁପାରିସ

ନୂଆଦିଲ୍ଲୀ: ରାଜସ୍ଥାନ, କର୍ଣ୍ଣାଟକ, କଲକାତା, ମାଡ୍ରାସ, ଆଲ୍ଲାହାବାଦ ଏବଂ ପଞ୍ଜାବ ଓ ହରିୟାଣା ଭଳି ୬ ଉଚ୍ଚ ନ୍ୟାୟାଳୟରେ ନିଯୁକ୍ତ ହେବେ ୨୩ ବିଚାରପତି। ସର୍ବୋଚ୍ଚ ନ୍ୟାୟାଳୟ କଲେଜିୟମ ୬, ୭, ୮ ତାରିଖ କ୍ରମାଗତ ତିନି ଦିନ ଧରି ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନେଇଛନ୍ତି। ମନୋନୀତ ପ୍ରାର୍ଥୀଙ୍କ ମଧ୍ୟରେ ଆଇନଜୀବୀ, ବିଚାର ବିଭାଗୀୟ ଅଧିକାରୀ ଓ ଅତିରିକ୍ତ ବିଚାରପତି ଅଛନ୍ତି। ପାାଞ୍ଚ ଅତିରିକ୍ତ ବିଚାରପତିଙ୍କୁ ପଦୋନ୍ନତି ଓ ସ୍ଥାୟୀ ହେବେ। ପଞ୍ଜାବ ଓ ହରିୟାଣା ଉଚ୍ଚ ନ୍ୟାୟାଳୟର ସୁବୀର ସେହଗଲ, ଅଳକା ସାରିନ୍‌, ଜସଗୁରପ୍ରୀତ ସିଂ ପୁରୀ, ଅଶୋକ କୁମାର ବର୍ମା, ଶାନ୍ତା ପ୍ରକାଶଙ୍କୁ ପଦୋନ୍ନତି ମିଳିଥିବାବେଳେ ମୀନାକ୍ଷୀ ମେହତା, କରମଜିତ୍ ସିଂ, ବିବେକ ପୁରୀ, ଅର୍ଚ୍ଚନା ପୁରୀ ଓ ରାଜେଶ ଭରଦ୍ୱାଜଙ୍କୁ ସ୍ଥାୟୀ କରିବାକୁ ସୁପାରିସ କରାଯାଇଛି।

କଲକାତା ଉଚ୍ଚ ନ୍ୟାୟାଳୟର ବିଚାରପତି ସୌଭିକ ମିଟ୍ଟରଙ୍କୁ ପଦୋନ୍ନତି ଓ ଆଇନଜୀବୀ ଶାକ୍ୟ ସେନ୍‌ଙ୍କୁ ବିଚାରପତି ଭାବେ ନିଯୁକ୍ତି ପାଇଁ ସୁପାରିସ କରାଯାଇଛି। ମାଡ୍ରାସ ଉଚ୍ଚ ନ୍ୟାୟାଳୟର ଆଇନଜୀବୀ ସତ୍ୟ ନାରାୟଣ ପ୍ରସାଦଙ୍କୁ ବିଚାରପତି ଭାବେ ନିଯୁକ୍ତି ପାଇଁ ସୁପାରିସ କରାଯାଇଛି। ସେହିପରି ରାଜସ୍ଥାନ ଉଚ୍ଚ ନ୍ୟାୟାଳୟର ଆଇନଜୀବୀ କୁଲଦୀପ ମାଥୁର, ମନୀଷ ଶର୍ମା, ରେଖା ବୋରନା, ସମୀର ଜୈନଙ୍କୁ ବିଚାରପତି ଭାବେ ନିଯୁକ୍ତି ଏବଂ ବିଚାର ବିଭାଗୀୟ ଅଧିକାରୀ ଶୁଭ ମେହତାଙ୍କୁ ଉଚ୍ଚ ନ୍ୟାୟାଳୟକୁ ପଦୋନ୍ନତି ପାଇଁ ଅନୁମତି ମିଳିଛି। ଆଲ୍ଲାହାବାଦ ଉଚ୍ଚ ନ୍ୟାୟାଳୟ ଆଇନଜୀବୀ ମନୁ ଖାରେଙ୍କୁ ବିଚାରପତି ଭାବେ ଏବଂ କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟ ଆଇନଜୀବୀ ଅନନ୍ତ ରାମନାଥ ହେଗଡେ, ଚେପୁଦିରା ମନୋପ୍ପା ପୁନାଚା, ସିଦାଇହ ରାଚାଇ, କନ୍ନାନକୁଜିଲ୍ ଶ୍ରୀଧରନ୍ ହେମାଲେଖାଙ୍କୁ ବିଚାରପତି ଭାବେ ନିଯୁକ୍ତି ପାଇଁ ସୁପାରିସ କରାଯାଇଛି। ଅକ୍ଟୋବର ୨ରେ ଅନୁଷ୍ଠିତ ଏକ କାର୍ଯ୍ୟକମରେ ପ୍ରଧାନ ବିଚାରପତି ଏନ୍‌.ଭି ରମଣା ଦର୍ଶାଇଥିଲେ ଯେ ଗତ ମେ’ରୁ ଅଦ୍ୟାବଧି ୯ ମୁଖ୍ୟ ବିଚାରପତି ଓ ୧୧୫ ବିଚାରପତିଙ୍କ ନାମ ବିଭିନ୍ନ ଉଚ୍ଚ ନ୍ୟାୟାଳୟରେ ନିଯୁକ୍ତି ପାଇଁ ସୁପାରିସ କରାଗଲାଣି ସେହିଭଳି ୧୫ ବିଚାରପତିଙ୍କୁ ବିଭିନ୍ନ ଉଚ୍ଚ ନ୍ୟାୟାଳୟକୁ ବଦଳି କରାଯାଇଛି। ଅପରପକ୍ଷରେ ଶନିବାର ୪ ଉଚ୍ଚ ନ୍ୟାୟାଳୟ ମୁଖ୍ୟ ବିଚାରପତି ଓ ୮ ବିଚାରପତିଙ୍କ ନିଯୁକ୍ତି ଓ ବଦଳି ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି।

Comments are closed.