ନିଯୁକ୍ତିର ୭ ବର୍ଷ ପରେ ୧୪ ବିଚାରପତିଙ୍କୁ ମିଳିଲା କୋର୍ଟଗୃହ

0

ଲକ୍ଷ୍ନୌ : ସମଗ୍ର ଦେଶରେ ଲକ୍ଷାଧିକ ମାମଲା ନ୍ୟାୟ ଅପେକ୍ଷାରେ ପଡି ରହିଥିବା ବେଳେ ବିଚାରପତି ନିଯୁକ୍ତି ତଥା ସେମାନଙ୍କୁ ଉଚିତ୍‍ ବ୍ୟବସ୍ଥା ପ୍ରଦାନ ଦିଗରେ ସରକାରଙ୍କର ଉଦାସୀନତାର ଆଉ ଏକ ନଜିର ଲୋକଲୋଚନକୁ ଆସିଛି। ବିଚାରପତି ଭାବେ ନିଯୁକ୍ତି ପାଇବାର ୭ ବର୍ଷ ପରେ ୧୪ ଜଣ ବିଚାରପତିଙ୍କୁ ଶୁଣାଣି କରିବା ନିମନ୍ତେ କୋର୍ଟ ଗୃହ ପ୍ରଦାନ କରାଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ ଏହି ବିଚାରପତିମାନଙ୍କୁ କୋର୍ଟ ଗୃହ ଆବଣ୍ଟନ କରାଯାଇଛି। ଏଭଳି ଏକ ଅପ୍ରତ୍ୟାଶିତ ଘଟଣା ଘଟିଛି ଉତ୍ତର ପ୍ରଦେଶରେ।
୨୦୦୧ରେ ଏହି ବିଚାରପତିମାନଙ୍କୁ ନିଯୁକ୍ତି ମିଳିଥିଲା। ଏହି ବର୍ଷ ମୈନ୍‍ପୁରୀ ଜିଲା ପାଇଁ ୧୪ଟି ବିଚାରପତି ପଦ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। କିନ୍ତୁ ଲିଖିତ ପରୀକ୍ଷା ପରେ ୨୮ ବିଚାରପତିଙ୍କୁ ନିଯୁକ୍ତ କରାଯାଇଥିଲା। ଏହି ନିଯୁକ୍ତିକୁ ନେଇ ବିବାଦ ଉପୁଜିବାରୁ ଆଲାହାବାଦ୍‍ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା। ନିଯୁକ୍ତି ପୂର୍ବରୁ ଅନୁଷ୍ଠିତ ଲିଖିତ ପରୀକ୍ଷା ବାତିଲ କରି ପୁନଃପରୀକ୍ଷା କରିବାକୁ ୨୦୦୮ରେ ହାଇକୋର୍ଟ ରାୟ ଦେଇଥିଲେ। ନିଯୁକ୍ତି ପାଇଥିବା ପ୍ରାର୍ଥୀଙ୍କ ଯୋଗ୍ୟତାର କୌଣସି ତାଲିକା ପ୍ରସ୍ତୁତ କରାଯାଇ ନ ଥିବା ହାଇକୋର୍ଟ ଉତ୍ତର ଖାତା ଯାଞ୍ଚ ପରେ ଜାଣିବାକୁ ପାଇଥିଲେ। କିଛି ପରୀକ୍ଷାର୍ଥୀ ରୋଲ୍‍ନମ୍ବର ସହିତ ନିଜ ନାମ ମଧ୍ୟ ଉତ୍ତର ଖାତାରେ ଉଲ୍ଲେଖ କରିଥିଲେ। ସମ୍ପୃକ୍ତ ପରୀକ୍ଷାର୍ଥୀ ନିଜ ପରିଚୟ ଜଣାଇବା ଉଦ୍ଦେଶ୍ୟରେ ଏଭଳି କରିଥିବା ପ୍ରତିପକ୍ଷ ଓକିଲ ଯୁକ୍ତି ବାଢିଥିଲେ।
ଏହିସବୁ ଘଟଣାକୁ ଦୃଷ୍ଟିରେ ରଖି ହାଇକୋର୍ଟ ପୁନଃପରୀକ୍ଷା ପାଇଁ ନିର୍ଦେଶ ଦେଇଥିଲେ ମଧ୍ୟ ତାହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ସୁପ୍ରିମକୋର୍ଟଙ୍କ ତିନି ଜଣିଆ ପୀଠ ଏହାର ଶୁଣାଣି କରି ହାଇକୋର୍ଟଙ୍କ ରାୟ କାଏମ ରଖିଥିଲେ। ଫଳତଃ ୨୦୧୧ରେ ପୁନଃ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏହାପରେ ୧୪ ଜଣ ବିଚାରପତି ନିଯୁକ୍ତ ହୋଇଥିଲେ; କିନ୍ତୁ ଏ ସମ୍ବନ୍ଧୀୟ କିଛି ମାମଲା କୋର୍ଟରେ ବିଚାରାଧୀନ ଥିବାରୁ ନିଯୁକ୍ତ ବିଚାରପତିମାନଙ୍କୁ କୌଣସି ମାମଲା ଶୁଣାଣି ପାଇଁ ଦିଆଯାଇ ନ ଥିଲା। ଶୁକ୍ରବାର ଉକ୍ତ ମାମଲା ଉପରେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ପୀଠଙ୍କ ନିର୍ଦେଶକ୍ରମେ ବିଚାରପତିମାନଙ୍କୁ କୋର୍ଟ ଗୃହ ଆବଣ୍ଟନ କରାଯାଇଛି।

Leave A Reply