ମାଡି ଆସିଲା ଉଚ୍ଚ ଜୁଆର : ଆରଡି-ତିହିଡି-ଚାନ୍ଦବାଲି ରାସ୍ତାରେ ୨ଫୁଟ୍ ଉଚ୍ଚର ପାଣି

0

ଆରଡି:  ଲଘୁଚାପ ପ୍ରଭାବରେ ବର୍ଷା ଯୋଗୁଁ ୨ଦିନ ହେଲା ଅଶାନ୍ତ ହୋଇ ପଡିଛି ସମୁଦ୍ର। ଉଚ୍ଚ ଜୁଆର ଢେଉ ସ୍ଥଳ ଭାଗ ଆଡକୁ ମାଡି ଆସୁଛି । ଭଦ୍ରକ ଜିଲା ତଳିଆ ଅଞ୍ଚଳ ଆରଡି, ନାନ୍ଦଡପୁର, ଓଳଗ ଓ ସନ୍ଦରପୁର ପଞ୍ଚାୟତରେ ଏପରି ସ୍ଥିତି ଦେଖିବାକୁ  ମିଳିଛି । ଏହି ପଞ୍ଚାୟତ ଅଧିନରେ ଥିବା ପ୍ରାୟ ୨୪ ଗୋଟି ଗାଁ ଦେଇ ପ୍ରବାହିତ ହେଉଥିବା ବୈତରଣୀ ଓ ସାଳନ୍ଦୀ ନଦୀ ଧାମରା ମୁହାଣ ସହ ସଂଯୋଗ କରୁଥିବାରୁ  ଜୁଆର ଢେଉରେ ଫୁଲି ଉଠିବା ସହ ବିଭିନ୍ନ ମାହାରା ଓ ଏସକେପ ଦେଇ ଜୁଆର ପାଣି ଆସିବାରୁ ହଜାର-ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇ ପଡିଛି । ଏହା ସହ ଆରଡି ପଞ୍ଚାୟତର ଶୀତଳପୁର ଗାଁ ଦାଣ୍ଡରେ ଜୁଆର ପାଣି ଲହଡି ଭାଙ୍ଗୁଛି ।

ଆରଡି-ତିହିଡି ରାସ୍ତାର ସତସଂଘ ଛକ ନିକଟରେ ୨ଫୁଟ ଉଚ୍ଚରେ ଜୁଆର ପାଣି ଚାଲୁଥିବାରୁ ଗମନା ଗମନ ବାଧାପ୍ରାପ୍ତ ହୋଇଛି ।ଏହି ରାସ୍ତାରେ  ଯାନବାହାନ ଚଳାଚଳ ବନ୍ଦ ହୋଇଯାଇଛି। ଆରଡି-ଚାନ୍ଦବାଲି ରାସ୍ତାର ମୁଆଁ ଘୋଷରା ନିକଟରେ ଜୁଆର ପାଣି ପ୍ରବାହିତ ହେଉଥିବାରୁ ଯାତାୟତରେ ବାଧା ଉପୁଜିଛି। ଶୀତଳପୁର ଗାଁର ବିଦ୍ୟାଳର ରାସ୍ତାରେ ୪ଫୁଟ୍ ଉଚ୍ଚରେ ଜୁଆର ପାଣି ପ୍ରବାହିତ ହେଉଥିବାରୁ ଗାଁରେ ଥିବା ପ୍ରାଥମିକ ବିଦ୍ୟାଳୟର ପାଠପଢା ସମ୍ପୁର୍ଣ୍ଣ ଠପ୍ ହୋଇଯାଇଛି ।  ଏପଟେ ଗତ ୨ଦିନ ହେଲା ହଜାର-ହଜାର ହେକ୍ଟର ସାରଦ ଧାନ ତଳିରେ ଜୁଆର ପାଣି ଜମି ରହିଥିବାରୁ ତାହା ପଚିବାର ଆଶଙ୍କା ଦେଖା ଦେଇଛି ବୋଲି   ଚାଷୀମାନେ ପ୍ରକାଶ କରିଛନ୍ତି। ଏବେ ଧାନ ତଳି ରୁଆ ହେଉଥିବାରୁ  ବହୁ ଚାଷଜମିରୁ ଧାନତଳି ଭାସି ଯାଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ।

Leave A Reply