ଜଗତସିଂହପୁର ଜିଲା ଜଟାଧାରରେ ହେବ ଇସ୍ପାତ କାରଖାନା: ମୁଖ୍ୟମନ୍ତ୍ରୀଙ୍କ ସହ ସଜ୍ଜନ ଜିନ୍ଦଲ କଲେ ଆଲୋଚନା

ଭୁବନେଶ୍ବର: ଜଗତସିଂହପୁର ଜିଲା ଜଟାଧାରରେ ବାର୍ଷିକ ୧୩.୨ ନିୟୁତ ଟନ୍ ଇସ୍ପାତ କାରଖାନା ସ୍ଥାପନ କରିବ ସଜ୍ଜନ ଜିନ୍ଦଲଙ୍କ ଜେଏସଡ଼ବ୍ଲ୍ୟୁ କମ୍ପାନୀ । ଏଥିନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଜେଏସଡ଼ବ୍ଳ୍ୟୁର ମୁଖ୍ୟ ସଜ୍ଜନ ଜିନ୍ଦଲଙ୍କ ମଧ୍ୟାରେ ଆଲୋଚନା ହୋଇଛି ଏହି ପ୍ରକଳ୍ପ ନିମନ୍ତେ ରାଜ୍ୟ ସରକାର ଜମି, ବିଜୁଳି ଓ ଜଳ ବ୍ୟବସ୍ଥା ଯୋଗାଇବାରେ ସହଯୋଗ କରିବେ ।  ଆଲୋଚନାକାଳରେ ମୁଖ୍ୟମନ୍ତ୍ରୀ ରାଜ୍ୟ ସମ୍ବଳର ସଦୁପଯୋଗ ସହ ନିଯୁକ୍ତି ସୁଯୋଗ ସୃଷ୍ଟି ଓ ରାଜସ୍ବ ସଂଗ୍ରହ ଉପରେ ଗୁରୁତ୍ବ ଦେଇଛନ୍ତି ।

ଅନ୍ୟପକ୍ଷରେ ଶ୍ରୀ ଜିନ୍ଦଲ ରାଜ୍ୟରେ ଆଗାମୀ ୧୦ ବର୍ଷ ମଧ୍ୟରେ ଏକ ଲକ୍ଷ କୋଟି ଟଙ୍କା ନିବେଶ କରିବାୁ ଯୋଜନା କରିଥିବା ସୂଚନା ଦେଇଛନ୍ତି । ରାଜ୍ୟରେ ଇସ୍ପାତ ଶିଳ୍ପ ସ୍ଥାପନ ନିମନ୍ତେ ଜେଏସଡ଼ବ୍ଲ୍ୟୁ ପ୍ରତିଶ୍ରୁତିବଦ୍ଧ ଏବଂ ରାଜ୍ୟ ସରକାରଙ୍କ ସହଯୋଗରେ ଏହା ସମ୍ପୂର୍ଣହୋଇପାରିବ । ଜେଏସଡ଼ବ୍ଲୁ ସମ୍ବଲପୁର ଆଇଆଇଏମ୍ ସହ ‘ଜେଏସଡ଼ବ୍ଲୁ ସେଣ୍ଟର ଫର ଡ଼େଭଲପମେଣ୍ଟ ଷ୍ଟଡ଼ିଜ୍ ଫର ଓଡ଼ିଶା’ ନିମନ୍ତେ ସହବନ୍ଧିତ ହୋଇଛି । ଏହା ସହ ସୁନ୍ଦରଗଡ଼ ଜିଲାର କୋଇଡ଼ାଠାରେ ୧୦୦ ଶଯ୍ୟା ବିଶିଷ୍ଟ ଏକ ଡ଼ାକ୍ତରଖାନା ଓ ଏକ ସ୍କୁଲ ସ୍ଥାପନ ନିମନ୍ତେ ମଧ୍ୟ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛି । ସରକାରୀ-ଘରୋଇ ସହଭାଗିତାରେ ଏହି ଡ଼ାକ୍ତରଖାନା ଓ ସ୍କୁଲ ନିର୍ମାଣ ହେବ । ଏହାଦ୍ବାରା ସ୍ଥାନୀୟ ଜନସାଧାରଣ ଉପକୃତ ହୋଇପାରିବେ । ଏହି ଭର୍ଚ୍ୟୁଆଲ ବୈଠକରେ ମୁଖ୍ୟ ସଚିବ, ଖଣି ଓ ଇସ୍ପାତ ବିଭାଗ ପ୍ରମୁଖ ସଚିବ, ଶିଳ୍ପ ବିଭାଗ ପ୍ରମୁଖ ସଚିବଙ୍କ ସହ ଇପିକଲ ପରିଚାଳନା ନିର୍ଦେଶକ ଓ ୫-ଟି ସଚିବ ଉପସ୍ଥିତ ଥିଲେ ।

Comments are closed.