ଲକ୍‍ଡାଉନ ସତ୍ତ୍ବେ ଜେଏସପିଏଲର ରପ୍ତାନି ୧୦୯% ବୃଦ୍ଧି

ଭୁବନେଶ୍ୱର: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସପିଏଲ) ଚଳିତ ବର୍ଷ ଏପ୍ରିଲରେ ଇସ୍ପାତ ଉତ୍ପାଦନରେ ନୂଆ ରେକର୍ଡ ପ୍ରତିଷ୍ଠା କରିବା ସହିତ ଏହି ମାସରେ ଇସ୍ପାତ ଓ ଆନୁଷଙ୍ଗିକ ସାମଗ୍ରୀ ରପ୍ତାନିରେ ମଧ୍ୟ ଉତ୍ସାହଜନକ ଅଭିବୃଦ୍ଧି ହାସଲ କରିଛି। ଏପ୍ରିଲରେ ଜେଏସପିଏଲ ମୋଟ ୨,୪୮,୦୦୦ ନିୟୁତ ଟନ୍‍ ଇସ୍ପାତ ଓ ଆନୁଷଙ୍ଗିକ ସାମଗ୍ରୀ ରପ୍ତାନି କରିଛି, ଯାହା ଚଳିତ ବର୍ଷ ମାର୍ଚ୍ଚ ତୁଳନାରେ ୧୦୯% ଅଧିକ। କମ୍ପାନୀର ମୋଟ ବ୍ୟବସାୟରେ ରପ୍ତାନିର ୭୪% ଅଂଶ ରହିଥିବା ଜଣାଯାଇଛି। କୋଭିଡ-୧୯ଜନିତ ଲକ୍‍ଡାଉନ ପରିସ୍ଥିତି ସତ୍ତ୍ବେ ଜେଏସପିଏଲ ଚଳିତ ବଷଁ ଏପ୍ରିଲ ମାସରେ ୫,୫୦,୦୦୦ ନିୟୁତ ଟନ୍‍ ଇସ୍ପାତ ଏବଂ ଗ୍ରାନୁଲେଟେଡ ପିଗ୍‍ ଆଇରନ ଉତ୍ପାଦନ କରିବା ସହିତ ଏକ୍ଷେତ୍ରରେ ୫% ଅଭିବୃଦ୍ଧି ହାସଲ କରିଛି। ଏପ୍ରିଲରେ ଜେଏସପିଏଲ ଗ୍ରୁପ୍‍ ସମୂହ ମୋଟ ୬,୫୫,୦୦୦ ନିୟୁତ ଟନ୍‍ ଇସ୍ପାତ ଉତ୍ପାଦନ କରିଛି।

ଏହି ସମୟରେ କମ୍ପାନୀ କୋଭିଡ-୧୯ ସମ୍ପର୍କିତ ସମସ୍ତ ସରକାରୀ ନିର୍ଦ୍ଦେଶକୁ ଅନୁପାଳନ କରିବା ସହିତ ସାମାଜିକ ଦୂରତା ବଜାୟ ରଖିବାକୁ ସମସ୍ତ ପଦକ୍ଷେପ ଗ୍ରହଣ କରିଛି। ସୂଚନାଯୋଗ୍ୟ ଯେ ଓଡ଼ିଶାର ଅନୁଗୁଳଠାରେ ଥିବା ଦେଶର ସର୍ବବୃହତ ବ୍ଲାଷ୍ଟଫର୍ଣ୍ଣେସ ଏପ୍ରିଲରେ ସର୍ବାଧିକ ୨,୯୮,୦୦୦ ନିୟୁତ ଟନ୍‍ ହଟ୍‍ମେଟାଲ ଉତ୍ପାଦନ କରିଥିଲା। ଜେଏସପିଏଲର ପରିଚାଳନା ନିର୍ଦ୍ଦେଶକ ଭି ଆର ଶର୍ମା କହିଛନ୍ତି ଯେ କୋଭିଡ-୧୯ ସତ୍ତ୍ବେ କମ୍ପାନୀ ଚୀନ, ମାଲୟେସିଆ, ଜର୍ମାନୀ, ସ୍ପେନ, ଇଟାଲି, ଡେନମାର୍କ, ଫ୍ରାନ୍ସ, ସାଉଦିଆରବ, ଓମାନ, କାତାର ଏବଂ ୟୁଏଇ ଆଦି ରାଷ୍ଟ୍ରକୁ ଇସ୍ପାତ ରପ୍ତାନି କରୁଛି।

Comments are closed.