୨୦୩୦ସୁଦ୍ଧା ଜେଏସପିଏଲ ଅନୁଗୋଳ ଇସ୍ପାତ କାରଖାନାର କ୍ଷମତା ୨୦ ନିୟୁତ ଟନ୍‍କୁ ବୃଦ୍ଧି କରିବ

0

ଭୁବନେଶ୍ୱର : ଜିନ୍ଦଲ ଷ୍ଟିଲଏଣ୍ଡ୍‍ ପାୱାର (ଜେଏସପିଏଲ) ଏହାର ଅନୁଗୋଳସ୍ଥିତ ପ୍ରକଳ୍ପରେ ଇସ୍ପାତ ଉତ୍ପାଦନ କ୍ଷମତା ୨୦୩୦ ସୁଦ୍ଧା ବାର୍ଷିକ ୨୦ ନିୟୁତ ଟନ୍‍କୁ ବୃଦ୍ଧି କରିବ।। ଅନୁଗୋଳର ଇସ୍ପାତ କାରଖାନାକୁ ସଂପୂର୍ଣ୍ଣ ଭାବେ ମଜଭୁତ କରିବା ପରେ ୨୦୨୧ରୁ କମ୍ପାନୀ ଏକ ନୂଆ ଯାତ୍ରା ଆରମ୍ଭ କରିବ। ଭାରତ ସରକାରଙ୍କ ଜାତୀୟ ଇସ୍ପାତ ନୀତି ଅନୁଯାୟୀ ୨୦୩୦ରେ ବାର୍ଷିକ ୩୦୦ ନିୟୁତ ଟନ୍‍ ଇସ୍ପାତ ଉତ୍ପାଦନ ଲକ୍ଷ୍ୟକୁ ସମର୍ଥନ କରି ୨୦୩୦ ମଧ୍ୟରେ ଅନୁଗୋଳ ଇସ୍ପାତ କାରାଖାନାର କ୍ଷମତା ବୃଦ୍ଧି କରାଯିବ। ଶୁକ୍ରବାର ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କୁ ଭେଟିବା ପରେ ବୋଲି ଜେଏସପିଏଲର ଅଧ୍ୟକ୍ଷ ନବୀନ ଜିନ୍ଦଲ ଏହି ସୂଚନା ଦେଇଛନ୍ତି।
ଶ୍ରୀ ଜିନ୍ଦଲ କହିଛନ୍ତି ଯେ ଜେଏସପିଏଲ ତା’ର କ୍ଷମତା ସଂପ୍ରସାରଣ ନିମନ୍ତେ ଋଣ ନକରି ନିଜସ୍ୱ ରୋଜଗାର ଓ ଇକ୍ୱିଟି ମାଧ୍ୟମରେ ଅର୍ଥ ଯୋଗାଡ କରିବ। ଆଗାମୀ ୧୨ ବର୍ଷ ମଧ୍ୟରେ ବାର୍ଷିକ ୨୦ ନିୟୁତ ଟନ୍‍ କ୍ଷମତା ହାସଲକରିବା ନିମନ୍ତେ ଜେଏସପିଏଲ ଲକ୍ଷ୍ୟ ରଖିଛି। ସେ କହିଥିଲେ ଯେ ଅନୁଗୋଳଠାରେ ପ୍ରତିଷ୍ଠା ହୋଇଥିବା ବ୍ଲାଷ୍ଟ ଫର୍ଣ୍ଣେସ ଏବେ ଦୈନିକ ୯୦୦୦ ଟନ୍‍ ଉତ୍ତପ୍ତ ଲୁହା ଉତ୍ପାଦନ କରୁଛି। ଚଳିତବର୍ଷ ୩ ନିୟୁତ ଟନ ଇସ୍ପାତ ଉତ୍ପାଦନ ସହିତ ଆସନ୍ତା ବର୍ଷ ୫.୪ ନିୟୁତ ଟନ ଇସ୍ପାତ ଉତ୍ପାଦନ ପାଇଁ କଂପାନୀ ଆଶା ରଖିଛି। ପ୍ରାୟ ୫୦୦ କୋଟି ଟଙ୍କା ନିବେଶ କରି ଜେଏସପିଏଲ ଅନୁଗୋଳରେ ଏକ ଇଣ୍ଡଷ୍ଟ୍ରିଆଲ ପାର୍କ ପ୍ରତିଷ୍ଠା କରିବା ସହିତ ୯୫୦ କୋଟି ଟଙ୍କା ନିବେଶ କରି ବଡବିଲଠାରୁ ଅନୁଗୁଳ ପର୍ଯ୍ୟନ୍ତ ଏକ ସ୍ଲରି ପାଇପ୍‍ଲାଇନ୍‍ ନିର୍ମାଣ କରିବ। ମୁଖ୍ୟ ସଚିବଙ୍କ ସହିତ ଆଲୋଚନା କାଳରେ ଶ୍ରୀ ଜିନ୍ଦଲ କହିଥିଲେ ଯେ କଞ୍ଚାମାଲ ଏବେ ବି ଏକ ସମସ୍ୟା ହୋଇ ରହିଛି। ଭାରତ ବିଶ୍ୱର ପଞ୍ଚମ ବୃହତ କୋଇଲା ଗଚ୍ଛିତ ରାଷ୍ଟ୍ର ଭିତରେ ଥିଲେ ବି ଏଠିକାର କୋଇଲା ବିଶ୍ୱର ଅନ୍ୟାନ୍ୟ ଦେଶ ତୁଳନାରେ ବ୍ୟୟସାପେକ୍ଷ। ଶିଳ୍ପାନୁଷ୍ଠାନଗୁଡ଼ିକୁ ଉଚିତ ମୂଲ୍ୟରେ କୋଇଲା ପହଞ୍ଚାବାକୁ କୋଲ୍‍ଇଣ୍ଡିଆ ନିଶ୍ଚିତ କରିବା ଆବଶ୍ୟକ। ଗତ ବର୍ଷକ ମଧ୍ୟରେ ଲୁହାପଥର ଦର ଦୁଇଗୁଣରୁ ଅଧିକ ବୃଦ୍ଧି ପାଇଛି। ଲୁହାପଥର ଯୋଗାଣ ବୃଦ୍ଧି କରିବା ନିମନ୍ତେ ସରକାର ବନ୍ଦଥିବା ଖଣିଗୁଡିକୁ ଚାଲୁକରିବା ନିମନ୍ତେ ପଦକ୍ଷେପ ନେବା ସହିତ ଉଚିତ ମୂଲ୍ୟରେ ଇସ୍ପାତ କଂପାନୀଗୁଡ଼ିକୁ ଲୁହାପଥର ଯୋଗାଣ ବ୍ୟବସ୍ଥା କରିବା ଆବଶ୍ୟକ। ଏହା ଦ୍ୱାରା ରାଜ୍ୟରେ ଥିବା ଇସ୍ପାତ ଶିଳ୍ପର ବିକାଶ ହେବ। ମେକ୍‍ଇନ୍‍ ଓଡିଶା କାର୍ଯ୍ୟକ୍ରମରେ ରାଜ୍ୟରେ ପୁଞ୍ଜି ନିବେଶବୃଦ୍ଧି ନିମନ୍ତେ ସରକାରଙ୍କ ପ୍ରଚେଷ୍ଟାକୁ ପ୍ରଶଂସା କରି ଶ୍ରୀ ଜିନ୍ଦଲ କହିଲେ ଯେ ଓଡିଶାରେ ପ୍ରଚୁର ସମ୍ଭାବନା ରହିଛି। ରାଜ୍ୟରେ ଏକ ବିଶାଳ ଯୁବଶକ୍ତି ଅଛନ୍ତି। ରାଜ୍ୟରେ ପୁଞ୍ଜି ନିବେଶ କ୍ଷେତ୍ରରେ ସରକାରଙ୍କ ପ୍ରଚେଷ୍ଟାକୁ ସେ ସମର୍ଥନ କରିଥିଲେ। ଏହି ଅବସରରେ ଶ୍ରୀ ଜିନ୍ଦଲ ଇସ୍ପାତ ଓ ଖଣି ବିଭାଗ ପ୍ରମୁଖ ସଚିବ ଆର.କେ.ଶର୍ମା ଏବଂ ଶିଳ୍ପ ବିଭାଗ ପ୍ରମୁଖ ସଚିବ ସଂଞ୍ଜୀବ ଚୋପ୍ରାଙ୍କୁ ମଧ୍ୟ ଭେଟିଥିଲେ ।

Leave A Reply