ଆଇସୋଲେସନ କେନ୍ଦ୍ରରେ ପତିଙ୍କ ମୃତ୍ୟୁ; ଫାଶୀ ଲଗାଇ ଆତ୍ମହତ୍ୟା କଲେ ପତ୍ନୀ

ଜଗତସିଂହପୁର : ଜଗତସିଂହପୁର ଜିଲା ଏରସମା ବ୍ଲକ ପଲ୍ଲିକଣ୍ଟା ପଞ୍ଚାୟତରେ ଗୁରୁବାର ଘଟିଛି ଏକ ଅଭାବନୀୟ ଘଟଣା। ଆଇସୋଲେସନ କେନ୍ଦ୍ରରେ ସ୍ବାମୀଙ୍କ ମୃତ୍ୟୁ ପରେ ମ୍ରିୟମାଣ ପତ୍ନୀ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ମୃତ ଯୁବକଙ୍କ ନାମ ନିର୍ଲିପ୍ତ ଭୋଳ (୩୩) ଓ ଆତ୍ମହତ୍ୟା କରିଥିବା ତାଙ୍କ ପତ୍ନୀଙ୍କ ନାମ ସୁଭଦ୍ରା ସ୍ବାଇଁ (୨୮)ଙ୍କ ଘର ପଲ୍ଲିକଣ୍ଟା ପଞ୍ଚାୟତ ଅନ୍ତର୍ଗତ କଟିଜଙ୍ଗା ଗାଁରେ ବୋଲି ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ନିର୍ଲିପ୍ତ ଓ ତାଙ୍କ ପତ୍ନୀ ସୁଭଦ୍ରା କିଛି ଦିନ ତଳେ ହାଇଦ୍ରାବାଦରୁ ଫେରିଥିଲେ । ସଙ୍ଗରୋଧରେ ରହିବା ପାଇଁ ପଞ୍ଚାୟତକୁ ଯାଇଥିଲେ, ମାତ୍ର  ତାଙ୍କୁ ଏସଭିଏମ କଲେଜରେ ଯାଇ ନାମ ପଞ୍ଜିକରଣ କରି ଆସିବାକୁ କୁହାଯିବାରୁ ସେମାନେ ଜଗତସିଂହପୁରସ୍ଥିତ ଏସଭିଏମ୍ କଲେଜକୁ  ଆସିଥିଲେ । ବୁଧବାର ନିର୍ଲିପ୍ତଙ୍କୁ ଜ୍ବର ଓ କାଶ ହେବାରୁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟ ଆଇସୋଲେସନରେ ଭର୍ତ୍ତି କରାଯାଇଥିଲା । ମାତ୍ର ଗୁରୁବାର ଅପରାହ୍ନରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା । ଏଥିରେ ସୁଭଦ୍ରା ଭାଙ୍ଗି ପଡ଼ିଥିଲେ ।  ମାନସିକ ଭାରସାମ୍ୟ ହରାଇ କାଚରେ ହାତ କାଟି ଦେଇଥିଲେ। ମାତ୍ର ଡ଼ାକ୍ତର ଓ ନର୍ସ ତାଙ୍କର ଚିକିତ୍ସା କରିଥିଲେ, ହାତକୁ ବ୍ୟାଣ୍ଡେଜ କରିଦେଇଥିଲେ । ମାତ୍ର ସୁଭଦ୍ରା ଭିତରୁ କବାଟ ଦେଇ ଶାଢ଼ୀରେ ଝୁଲି ଆତ୍ମହତ୍ୟା କରିଦେଇଥିଲେ । ପୁଲିସ ଘଟଣାର ଅନୁସନ୍ଧାନ କରୁଛି ।

Comments are closed.