ଛାତ୍ରନେତାରୁ ରାଷ୍ଟ୍ରୀୟ ଅଧ୍ୟକ୍ଷ, କଣ ରହିଛି ଜେପି ନଡ୍ଡାଙ୍କ ପାଇଁ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: ଜେପି ଆନ୍ଦୋଳନରୁ ରାଜନୀତିକୁ ଆସିଥିବା ଜଗତ ପ୍ରକାଶ ନଡ୍ଡା ବିଶ୍ବର ସର୍ବ ବୃହତ ରାଜନୌତିକ ଦଳ ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ବିଜେପିର କାର୍ଯ୍ୟ ନିର୍ବାହୀ ଅଧ୍ୟକ୍ଷ ରହିଥିବା ଜଗତ ପ୍ରକାଶ ନଡ୍ଡା ସୋମବାର ଦଳର ଅଧ୍ୟକ୍ଷ ଭାବରେ ନିର୍ବାଚତ ହୋଇଛନ୍ତି। ଏନେଇ ବିଜେପିର ନିର୍ବାଚନ ଅଧିକାରୀ ତଥା ପୂର୍ବ କେନ୍ଦ୍ରମନ୍ତ୍ରୀ ରାଧାମୋହନ ସିଂହ ଘୋଷଣା କରିଛନ୍ତି।

ବିଜେପି ସ୍ଥାପନା ପରେ ପ୍ରଥମ ଥର ପାଇଁ ହିମାଚଳ ପ୍ରଦେଶର କୌଣସି ନେତା ଦଳର ଅଧ୍ୟକ୍ଷ ହୋଇଛନ୍ତ। ୨ ଡିସେମ୍ବର ୧୯୬୦ରେ ପାଟଣାରେ ଜନ୍ମ ଗ୍ରହଣ କରିଥିଲେ। ସେହି ସମୟରେ ଜେପି ନଡ୍ଡାଙ୍କ ପିତା ପାଟନା ବିଶ୍ବବିଦ୍ୟାଳୟ‌ରେ ଅଧ୍ୟାପକ ରହିଥିଲେ। ଏହାପରେ ନଡ୍ଡାଙ୍କ ପିତା ରାଞ୍ଚି ବିଶ୍ବବିଦ୍ୟାଳୟର କୁଳପତି ହୋଇଥିଲେ।  ଜେପି ନଡ୍ଡା ୧୯୭୭ ରୁ ୧୯୭୯ ପର୍ୟ୍ୟନ୍ତ ରାଞ୍ଚିରେ ରହିଥିଲେ। ୧୯୭୫‌ରେ ଜେପି ଆନ୍ଦୋଳନରେ ଭାଗନେବା ପରେ ଜଗତ ପ୍ରକାଶ ନଡ୍ଡା ବିହାର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦରେ ଯୋଗ ଦେଇଥିଲେ। ଏହାପରେ ହିମାଚଳ ବିଶ୍ବବିଦ୍ୟାଳୟରେ ପାଠ ପଢା ଆରମ୍ଭ କରିଥିଲେ। ହିମାଚଳ ବିଶ୍ୱବିଦ୍ୟାଳୟରେ ପଢ଼ିବା ସମୟରୁ ହିଁ ସେ ଛାତ୍ର ରାଜନୀତିରେ ଯୋଗ ଦେଇଥିଲେ।ଏହି ସମୟରେ ଛାତ୍ର ରାଜନୀତିରୁ ବିଜେପିରେ ଯୋଗଦେଇଥିଲେ ନଡ୍ଡା।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବା ଜେପି ନଡ୍ଡା ୧୯୯୩ରେ ହିମାଚଳ ବିଧାନସଭା ନିର୍ବାଚନରେ ଭାଗନେବା ପରେ ବିଜେପି ବିଧାୟକ ଦଳ ନେତା ହୋଇଥିଲେ। ୧୯୯୮ ବିଧାନସଭା ନିର୍ବାଚନରେ ହିମାଚଳରେ ବିଜେପିର ବିଜୟ ପରେ ଜେପି ନଡ୍ଡାଙ୍କୁ ଦଳ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଥିଲେ। କିନ୍ତୁ ଜେପି ନଡ୍ଡା ପଛଘୁଞ୍ଚା ଦେବାରୁ ପ୍ରେମ କୁମାର ଧୁମାଲ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଜେପି ନଡ୍ଡା ପ୍ରଥମ ଥର ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀ ହୋଇଥିଲେ। ସେ ବିଜେପି ଟିକେଟରେ ତିନି ଥର (୧୯୯୩, ୧୯୯୮ ଓ ୨୦୦୭)ହିମାଚଳ ପ୍ରଦେଶ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

ଜେପି ନଡ୍ଡାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖ ଲୋକ ହିସାବରେ ଗଣାଯାଏ। ଏହି କାରଣରୁ ୧୯୯୧ରେ ମୋଦୀ ଦଳର ମହାସଚିବ ଥିବା ବେଳେ ନଡ୍ଡା ଯୁବ ମୋର୍ଚ୍ଚାର ଦାୟିତ୍ୱ ଗ୍ରହଣ କରିଥିଲେ। ସେହିଦିନ ଠାରୁ ଉଭୟେ ନିକଟବର୍ତ୍ତୀ ହୋଇ ଆସିଛନ୍ତି। ନଡ୍ଡା ୨୦୧୦ରେ ଜାତୀୟ ରାଜନୀତିରେ ପ୍ରଥମ ଥର ପାଇଁ ପ୍ରବେଶ କରିଥିଲେ। ସେହି ବର୍ଷ ସେ ନିତିନ ଗଡକରୀଙ୍କଠାରୁ ଦଳର ମହାସଚିବ ପଦ ହାସଲ କରିଥିଲେ । ତା ପରେ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି। ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦାୟିତ୍ୱ ଗ୍ରହଣ କରିବା ପରେ ନଡ୍ଡାଙ୍କୁ କ୍ୟାବିନେଟ ମନ୍ତ୍ରୀ କରାଯାଇଥିଲା। ୨୦୧୯ରେ ବିଜେପି କ୍ଷମତାକୁ ଫେରିବା ପରେ ଅମିତ ଶାହା ଗୃହମନ୍ତ୍ରୀ ହେଲେ। ଅମିତ ଶାହା ଗୃହ ମନ୍ତ୍ରୀ ହେବାପରେ ଦଳର ଅଧ୍ୟକ୍ଷ ପଦ ଖାଲି ପଡିଥିଲା। ଏହି କାରଣରୁ ଜୁଲାଇ ୨୦୧୯ରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଥିବା ନଡ୍ଡା ଆଉ ମନ୍ତ୍ରିମଣ୍ଡଳରେ ନରହି ଦଳର କାର୍ୟ୍ୟକାରୀ ସଭାପତି ଭାବେ ଦାୟିତ୍ବ ନେଇଥିଲେ। ବଡ଼ ବଡ଼ ଭାଷଣବାଜିରୁ ନିଜକୁ ଦୂରରେ ରଖିଥିବା ନଡ୍ଡାଙ୍କର ହୁଏତ ନେତା ହିସାବରେ ଏତେ ବଡ଼ କରିସ୍ମା ନାହିଁ। କିନ୍ତୁ ଦଳର ସଙ୍ଗଠନ ଉପରେ ତାଙ୍କର ଦବଦବା ସବୁବେଳେ ରହି ଆସିଛି।

କଣ ରହିଛି ଜେପି ନଡ୍ଡାଙ୍କ ପାଇଁ ଚ୍ୟାଲେଞ୍ଜ

ଦଳର ପୂର୍ବ ଅଧ୍ୟକ୍ଷ ଅମିତ ଶାହାଙ୍କୁ ବିଜେପିର ଚାଣକ୍ୟ କୁହାଯାଉଥିଲା। କାରଣ ତାଙ୍କ ନେତୃତ୍ବରେ ଦଳ ଅନେକ ରାଜ୍ୟରେ ନିର୍ବାଚନ ଜିତିବାରେ ସକ୍ଷମ ହୋଇଥିଲା। ଏମିତିକି ଅନ୍ତିମ ସାଧାରଣ ନିର୍ବାଚନରେ ବିଜେପି ୨୦୧୪ ନିର୍ବାଚନ ତୁଳନାରେ ଅଧିକ ଆସନରେ ବିଜୟୀ ହୋଇଥିଲା। ବିରୋଧୀ ବିଜେପି ବିରୋଧରେ ଅନେକ ଅଭିଯୋଗ ଆଣି ମୋଦି ବିରୋଧୀ ବାତାବରଣ ତିଆରି କରିଥିଲେ ମଧ୍ୟ ଶାହଙ୍କ ରଣନୀତି ଆଗରେ ସେ ସବୁ ଫେଲ ମାରିଥିଲା। ଶାହା ଦଳକୁ ଯେଉଁ ଶିଖରରେ ପହଞ୍ଚାଇଥିଲେ ନଡ୍ଡାଙ୍କୁ ମଧ୍ୟ ଏହାକୁ ଅନୁସରଣ କରି ଆଗକୁ ଆଗକୁ ବଢିବାକୁ ପଡିବ। ଜେପି ନଡ୍ଡାଙ୍କ ଆଗରେ ବହୁତ ପ୍ରକାର ଚ୍ୟାଲେଞ୍ଜ ରହିଛି ଯାହକୁ ନେଇ ଭବିଷ୍ୟତ କାର୍ୟ୍ୟ ପନ୍ଥା ସ୍ଥିର କରିବାକୁ ପଡିବ। ନଡ୍ଡାଙ୍କ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ଭାବେ ଉଭାହେବ ପଶ୍ଚିମବଙ୍ଗ, ଓଡ଼ିଶା, କେରଳ, ଆନ୍ଧ୍ର ପ୍ରଦେଶ ଏବଂ ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ବିଜେପି ସଫଳ କରାଇବା ଏବଂ ପୂର୍ବ ଭାରତର ରାଜ୍ୟ ଗୁଡ଼ିକରେ ଭାଜପାର ସାମ୍ପ୍ରତିକ ସ୍ଥିତିକୁ ବଜାୟ ରଖିବା ନଡ୍ଡାଙ୍କ ପାଇଁ ମଧ୍ୟ ଅନ୍ୟ ଏକ ବଡ ଚ୍ୟାଲେଞ୍ଜ ସଦୃଶ ହେବ ବୋଲି ଅନୁମାନ କରାଯାଉଛି। ଶାହଙ୍କ ନେତୃତ୍ୱରେ ନଡ୍ଡା କାର୍ୟ୍ୟ ନିର୍ବାହୀ ଅଧ୍ୟକ୍ଷ ଭାବେ ୮ ମାସ କାର୍ୟ୍ୟ କରିଛନ୍ତି। ଏହି ସମୟରେ ହାସଲ କରିଥିବା ଅଭିଜ୍ଞତା ବର୍ତ୍ତମାନର ପୂର୍ଣ୍ଣକାଳୀନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାର ଗ୍ରହଣ ପରେ କେତେ ଦୂର ସହାୟକ ହେବ ତାହା ଦେଖିବାକୁ ବାକି ରହିଛି। 

Comments are closed.