ଦ୍ୱିତୀୟ ଦିନରେ ସାମ୍ବାଦିକଙ୍କ ଧାରଣା, ବିଭିନ୍ନ ରାଜନୈତିକ ଦଳ ଓ ଅନୁଷ୍ଠାନ ଧାରଣାସ୍ଥଳରେ ଆସି ସମର୍ଥନ ଜଣାଇଛନ୍ତି 

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ମିଡ଼ିଆ ୟୁନିୟନ(ଓୟୁଜେ) ତରଫରୁ ଧାରଣାର ୨ୟ ଦିନରେ ଆଜି ଜିଲ୍ଲା ପ୍ରଶାସନ ତରଫରୁ ନବରଙ୍ଗପୁର ଉପଜିଲ୍ଲାପାଳ ଭାସ୍କର ରହିତ ପହଞ୍ଚି ଧାରଣାରତ ସାମ୍ବାଦିକଙ୍କ ସହ ଆଲୋଚନା କରିଛନ୍ତି। କିଛି ଦିନ ସମୟ ସୀମା ଦେବାପାଇଁ କହି ଧାରଣାକୁ ପ୍ରତ୍ୟାହୃତ କରିବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ସାମ୍ବାଦିକ ସଂଘ ତାଙ୍କ ଜିଦରେ ଅଟଳ ରହି ଦାବି ପୂରଣ ନ ହେଲେ ଧାରଣାରୁ ଉଠିବେ ନାହିଁ ବୋଲି ରୋକଠୋକ ମନା କରିଦେଲେ। ଆଜି ୨ୟ ଦିନରେ ବିଜେଡି ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ପ୍ରହଲ୍ଲାଦ ତ୍ରିପାଠୀ ଧାରଣା ସ୍ଥଳକୁ ଆସି ସାମ୍ବାଦିକଙ୍କ ଦାବିଗୁଡିକୁ ଯଥାର୍ଥତା ଜଣାଇବା ସହ ଦାବି ପୂରଣ ଦିଗରେ ରାଜ୍ୟ ସରକାରଙ୍କ ସହ ଆଲୋଚନା ଚାଲିଥିବା କହିଥିଲେ। ସେହିପରି ଆଜି ନବରଙ୍ଗପୁର ଜିଲ୍ଲାର ଏକ ପ୍ରତିନିଧି ଦଳ ତଥା ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ପୂର୍ବତନ ସାଂସଦ ପର୍ଶୁରାମ ମାଝିଙ୍କ ସହ ୨୦ରୁ ଊର୍ଦ୍ଧ୍ବ କର୍ମୀ ଉପସ୍ଥିତ ରହି ସାମ୍ବାଦିକଙ୍କ ଧାରଣାକୁ ସମର୍ଥନ ଜଣାଇବା ସହ ଜିଲ୍ଲାପ୍ରଶାସନ ଉପରେ ବର୍ଷିଥିଲେ। ବିଧାୟକ ଶ୍ରୀ ଗଣ୍ଡ ଜିଲ୍ଲାରେ ଚାଲିଥିବା କୋଭିଡ ପରିଚାଳନାରେ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ବିଫଳ ହୋଇଥିବା କହିବା ସହ ନବରଙ୍ଗପୁର ଜିଲ୍ଲାରେ ଭେଣ୍ଟିଲେଟର ଏବଂ ଆମ୍ବୁଲାନ୍ସର ଘୋର ସମସ୍ୟା ଯୋଗୁଁ ଆକ୍ରାନ୍ତମାନେ ମୃତ୍ୟୁ ମୁଖରେ ପଡୁଛନ୍ତି ବୋଲି କହିଥିଲେ। ଏହାସହିତ ବିଗତ ଦିନରେ ସେ ନବରଙ୍ଗପୁର ଜିଲ୍ଲାପାଇଁ ୨ଟି ଆମ୍ବୁଲାନ୍ସ ପ୍ରଦାନ ପାଇଁ ବିଧାୟକ ପାଣ୍ଠିରୁ ୨୪ ଲକ୍ଷ ଟଙ୍କା ଦେଇଥିଲେ କିନ୍ତୁ ବିଭିନ୍ନ ଆଳ ଦେଖାଇ ଟଙ୍କା ଫେରସ୍ତ କରିଦେଇଥିବା ଅଭିଯୋଗ କରିବା ସହ ଦୁର୍ଭାଗ୍ୟଜନକ ବୋଲି କହିଥିଲେ। ସାମ୍ବାଦିକମାନେ ଲୋକଙ୍କ ସମସ୍ୟାକୁ ନେଇ କଲମ ମାଧ୍ୟମରେ ଲୋକଙ୍କୁ ସଚେତନ କରୁଥିବା ବେଳେ ଆଜି ଜିଲ୍ଲାର ସ୍ୱାର୍ଥ ପାଇଁ ନିଜେ ଧାରଣାରେ ବସିଥିବା ଆମ ପାଇଁ ଲଜ୍ୟାର ବିଷୟ ବୋଲି ପୂର୍ବତନ ସାଂସଦ ପର୍ଶୁରାମ ମାଝି କହିବା ସହ ସାମ୍ବାଦିକ ସଂଘର ଦାବିକୁ ଯଥାର୍ଥତା ଦର୍ଶାଇ ସାମ୍ବାଦିକଙ୍କ ୪ ଦଫା ଦାବି ପୂରଣ ନ ହେବା ଯାଏ ବିଜେପି ସାଥିରେ ରହିବ ବୋଲି ପ୍ରତିଶୃତି ଦେଇଥିଲେ। ଆଜି ଦ୍ୱିତୀୟ ଦିନରେ ନବରଙ୍ଗପୁରିୟା ଗ୍ରୁପ, ବଣିକ ସଂଘ, ପବ୍ଲିକ ରାଇଟ ଆସୋସିଏସନ, ଆଦିବାସୀ ଜନଜାତି ସୁରକ୍ଷା ମଞ୍ଚର ସଭାପତି ଗୋପୀନାଥ ମାଝି, ଜିଲ୍ଲା ଆଦିତ୍ୟ ବାହିନୀ, ଅଖିଳ ବିଶ୍ୱ ବ୍ରହ୍ମଣ ହିନ୍ଦୁ ଶକ୍ତି ମୋର୍ଚା, ମା ଭଣ୍ଡାର ଘରଣୀ ସେବାୟତ ମୁଖ୍ୟ, ପରିବର୍ତନ ଫାଉଣ୍ଡେସନ, ନବରଙ୍ଗପୁର ଜିଲ୍ଲା ବିକାଶ ପରିଷଦ, ଏଓପିଟିଏଫର ସମ୍ପାଦକ, ହିନ୍ଦୁ ମହାସଂଘ, ଜଗନ୍ନାଥ ମନ୍ଦିର ନିର୍ମାଣ କମିଟି କର୍ମକର୍ତା ପ୍ରମୁଖ ଧାରଣା ସ୍ଥଳରେ ପହଂଚି ସମର୍ଥନ ଜଣାଇଛନ୍ତି।

Comments are closed.