ଚତୁର୍ଥ ଦିନରେ ସାମ୍ବାଦିକଙ୍କ ଧାରଣା ; ଘଟଣାସ୍ଥଳରେ ପହଞ୍ଚିଲେ ଜିଲ୍ଲାପାଳ, ଏସପି, ବିଧାୟକ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ମିଡ଼ିଆ ୟୁନିଅନ ତରଫରୁ ନବରଙ୍ଗପୁର ଜିଲ୍ଲାର କୋଭିଡ ହସ୍ପିଟାଲ୍ ର ବିଭିନ୍ନ ସମସ୍ୟା ନେଇ ୪ ଦଫା ବିଶିଷ୍ଟ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନବରଙ୍ଗପୁର ଜିଲ୍ଲାପାଳଙ୍କୁ ପ୍ରଦାନ କରିବା ପରେ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଦାବି ପୂରଣ ନ ହେବାରୁ ସାମ୍ବାଦିକ ସଂଘ ନବରଙ୍ଗପୁର ଉପ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଗତ ୧୨ ତାରିଖ ଠାରୁ ଧାରଣାରେ ବସିଛନ୍ତି। ଆଜି ଚତୁର୍ଥ ଦିନରେ ଜିଲ୍ଲାପାଳ ଡ଼ ଅଜିତ କୁମାର ମିଶ୍ର , ଏସପି ନୀତିନ କୁଲ୍ ସେକର ଓ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ପ୍ରମୁଖ ଧାରଣାସ୍ଥଳକୁ ଆସି ଧାରଣାରତ ସାମ୍ବାଦିକ ମାନଙ୍କ ସହ ଆଲୋଚନା କରି ୪ ଦଫା ଦାବି ରୁ ୩ଟି ଦାବି ପୂରଣ କରି ନେଇଥିବା କହିଥିଲେ। କୋଭିଡ ମେଡିକାଲ୍ ରେ  ଭେଣ୍ଟିଲେଟର କାର୍ଯ୍ୟକ୍ଷମ କରିବା ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସଚିବଙ୍କ ସହ ଆଲୋଚନା ଚାଲିଥିବା ବେଳେ କିଛି ଦିନ ମଧ୍ୟରେ କାର୍ଯ୍ୟକ୍ଷମ କରିବା ପାଇଁ ପ୍ରତିଶ୍ରୁତି ଦେଇ ଧାରଣା ପ୍ରତ୍ୟାହୃତ କରିବା ପାଇଁ ଜିଲ୍ଲାପାଳ ଅନୁରୋଧ କରିଥିଲେ । ଏନେଇ ସାମ୍ୱାଦିକ ସଂଘ ଏହି ଧାରଣାକୁ ସମର୍ଥନ ଦେଇଥିବା ବିଭିନ୍ନ ସଂଘଠାନ ସହ ଆଲୋଚନା କରି ନିଷ୍ପତି ନେବ ବୋଲି କହିଥିଲେ ।

ପ୍ରକାଶ ଥାଉ କି, ନବରଙ୍ଗପୁର ବିଧାୟକ ସଦାଶିବ ପ୍ର ଧାନୀ ସଂଘ ସହ ଆଲୋଚନା କରି ସେ ସାମ୍ବାଦିକଙ୍କ ଦାବିକୁ ଯଥାର୍ଥତା ଦର୍ଶାଇ ଏଦିଗରେ ମୁଖ୍ୟ ସ୍ବାସ୍ଥ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରିଛନ୍ତି ଏବଂ ସ୍ବାସ୍ଥ୍ୟ ବିଭାଗ ନିମନ୍ତେ ସମସ୍ୟାକୁ ଗୁରୁତର ଭାବେ ଗ୍ରହଣ କରି ଭେଣ୍ଟିଲେଟର କାର୍ଯ୍ୟକ୍ଷମ କରିବା ପାଇ ଆବଶ୍ୟକ ଥିବା ଟେକ୍ନିସିଆନ୍ ଏବଂ  ଭେଷଜ ବିଶେଷଜ୍ଞ ନିଯୁକ୍ତି କରିବା ପାଇଁ  ନିର୍ଦ୍ଦେଶ ଦେଇଥିବା କହିବା ସହ ବିଭିନ୍ନ ଏଜେଂସି ମାନଙ୍କ ସହ ଆଲୋଚନା ଚାଲିଥିବା କହିଥିଲେ । ଏହି ଦାବି ମୁତାବକ ଆଧୁନୀକ ଯନ୍ତ୍ରପାତିଖଞ୍ଜିତ ଆମ୍ବୁଲାନ୍ସ ବାବଦକୁ ନବରଙ୍ଗପୁର ବିଧାୟକ ୩୦ ଲକ୍ଷ ଟଙ୍କା ପ୍ରଦାନ କରିଥିବା ବେଳେ ଝୋରିଗା ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ ୫୦ ଲକ୍ଷ ଟଙ୍କା ତାଙ୍କ ପାଣ୍ଠିରୁ  ଆମ୍ବୁଲାନ୍ସ ପାଇ ପ୍ରଦାନ କରିଥିବା ସୂଚନା ଦେଇଛନ୍ତି । ସେହିପରି ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ମଧ୍ୟ ୩୦ ଲକ୍ଷ ଟଙ୍କା ଆମ୍ବୁଲାନ୍ସ ପ୍ରଦାନ କରିବା ପାଇଁ ଜିଲ୍ଲାପାଳ ଙ୍କ ସହ ଆଲୋଚନା କରିଥିବା ପ୍ରକାଶ କରିଛନ୍ତି । ଏ ପଟେ ଜିଲ୍ଲା ପ୍ରଶାସନ ପକ୍ଷରୁ ଧାରଣା ପ୍ରତ୍ୟାହୃତ ଅନୁରୋଧକୁ ଅଗ୍ରାହ୍ୟ କରିଛି ସଂଘ । ପ୍ରଶାସନ ଶାସକ ଦଳର ପ୍ରତିନିଧି ଏବଂ ସାମ୍ବାଦିକ ମାନଙ୍କ ମଧ୍ୟରେ ଦାବିକୁ ନେଇ ଆଲୋଚନା ଜାରି ରହିଛି । ଆଜି ୪ ର୍ଥ ଦିନ ଧାରଣାରେ ମଧ୍ୟ ବିଭିନ୍ନ ସଙ୍ଗଠନ ତଥା କୋଡ଼ିଙ୍ଗା ପୂର୍ବତନ ବିଧାୟକ ସଦନ ନାୟକ, ତେନ୍ତୁଳଖୁଣ୍ଟି ବ୍ଲକ ପୂର୍ବତନ ବ୍ଲକ ଅଧ୍ୟକ୍ଷ ନାରାୟଣ ପାତ୍ର, ନବରଙ୍ଗପୁର ଚର୍ଚ୍ଚ ପୁର୍ବତନ ସଭାପତି ନଗେନ୍ଦ୍ର ପଟ୍ଟନାୟକ, ନିଗମାନନ୍ଦ ଆଶ୍ରମ ସଭାପତି ନାରାୟଣ ପଣ୍ଡା, ମିନି ଟ୍ରକ ମାଲିକ ସଂଘ ସଭାପତି, ଲାଇନ ଡ୍ରାଇଭର ସଂଘ, ବଣିକ ସଂଘ ସମ୍ପାଦକ ପି.ଏଲ. ମୂର୍ତ୍ତି, କୋଷାଧକ୍ଷ ପି. ସତ୍ୟନାରାୟଣ, ସହିଦ ଲଖମନ ନାୟକ ଜିଲ୍ଲା ସ୍ବେଛାସେବୀ ସଂଗଠନ, ପୂର୍ବତନ ବାର ସଭାପତି ଉମା ଶଙ୍କର ତ୍ରିପାଠୀ, ପୂର୍ବତନ ବାର ସଭାପତି ଗଙ୍ଗାଧର ସାମନ୍ତରାୟ, ନିଖିଳ ଉତ୍କଳ ଶିକ୍ଷକ ସଂଘ ନବରଙ୍ଗପୁର ଶାଖା ସଭାପତି ରମଣୀ ରଞ୍ଜନ ତ୍ରିପାଠୀ, ପୂର୍ବତନ ଡାବୁଗାଁ ବିଧାୟକ ଭୁଜବଳ ମାଝୀ, ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ ପ୍ରମୁଖ ଧାରଣା କୁ ସମର୍ଥନ ଜଣାଇଥିଲେ l ଆସନ୍ତା କାଲି ନବରଙ୍ଗପୁର ଜିଲ୍ଲାର ଦଶ ଗୋଟି ବ୍ଲକର ସାମ୍ବାଦିକ ମାନଙ୍କୁ ନେଇ ଏକ ଜରୁରୀ ବୈଠକ ଅନୁଷ୍ଠିତ ହେବ l ଏହି ବୈଠକ ରେ ଧାରଣା ସମ୍ବନ୍ଧରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ l

Comments are closed.