ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋସେଫ ଆର. ବାଇଡେନ

- ୪୯ତମ ଉପରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କଲେ ଭାରତୀୟ ବଂଶୋଦ୍ଭବ କମଲା ହାରିସ

ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଆଜି ଜୋସେଫ ଆର. ବାଇଡେନ ଶପଥ ଗ୍ରହଣ କରିଛନ୍ତି। ତାଙ୍କ ସହ ଭାରତୀୟ ବଂଶୋଦ୍ଭବ କମଲା ହାରିସ ୪୯ତମ ଉପରାଷ୍ଟ୍ରପତି ଭାବେ ମଧ୍ୟ ଶପଥ ଗ୍ରହଣ କରିଛନ୍ତି। ୭୮ ବର୍ଷୀୟ ଡେମୋକ୍ରାଟ ଜୋସେଫ ଆର. ବାଇଡେନଙ୍କ ସହ ୫୬ ବର୍ଷୀୟ କମଲା ହାରିସ ପ୍ରଥମ ମହିଳା ଉପରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରି ଇତିହାସ ସୃଷ୍ଟି କରିଛନ୍ତି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜନ୍‌ ରବର୍ଟସ୍‌ ବାଇଡେନଙ୍କୁ ଶପଥପାଠ କରାଇଥିବା ବେଳେ କମଳା ହାରିସଙ୍କୁ ସୁପ୍ରିମକୋର୍ଟ ବିଚାରପତି ସୋନିଆ ସୋଟୋମେୟର ଶପଥପାଠ କରାଇଥିଲେ।

ଆମେରିକା ସଂସଦ ଭବନ (କ୍ୟାପିଟଲ ହିଲ୍‌)ର ୱେଷ୍ଟ ଫ୍ରଣ୍ଟରେ ବୁଧବାର ସନ୍ଧ୍ୟାରେ ଆୟୋଜିତ ଉତ୍ସବରେ ଉଭୟ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ଶପଥ ଗ୍ରହଣ କରିଛନ୍ତି। ବାଇଡେନ ତାଙ୍କ ପରିବାରର ୧୨୭ବର୍ଷର ପୁରୁଣା ବାଇବେଲ୍‌କୁ ଛୁଇଁ ଶପଥ ପାଠ କରିଥିଲେ। ବାଇବେଲକୁ ବାଇଡେନଙ୍କ ପତ୍ନୀ ଜିଲ୍ ବାଇଡେନ ଧରିଥିଲେ। ସେହିପରି କମଳା ଦୁଇଟି ବାଇବେଲକୁ ଛୁଇଁ ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତିଙ୍କ ଏହି ଶପଥ ଗ୍ରହଣ ଉତ୍ସବରେ ପୂର୍ବତନ ରାଷ୍ଟ୍ରପତି, ଜର୍ଜ ଡବ୍ଲ୍ୟୁ ବୁଶ, ବିଲ୍ କ୍ଲିଣ୍ଟନ, ବରାକ ଓବାମା, ସେମାନଙ୍କ ପତ୍ନୀ ଲୋରା ବୁଶ, ହିଲାରି କ୍ଲିଣ୍ଟନ ଓ ମିସେଲ ଓବାମା, ବିଦାୟୀ ଉପରାଷ୍ଟ୍ରପତି ମାଇକ ପେନ୍ସ, ତାଙ୍କ ପତ୍ନୀ କାରେନ ପେନ୍ସ, ବାଚସ୍ପତି ନାନ୍ସି ପେଲୋସି, ଗୃହର ନେତା କେଭିନ ମ୍ୟାକ୍‌କାର୍ଥେ, ରିପବ୍ଲିକାନ ସିନେଟ ନେତା ମିଚ୍ ମ୍ୟାକୋନେଲ ଡେମୋକ୍ରାଟିକ ଓ ରିପବ୍ଲିକାନ ପାର୍ଟିର ନେତା ଓ ଅନ୍ୟ ଅତିଥିମାନେ ଉପସ୍ଥିତ ରହିଥିଲେ।

ନୂଆ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ନିମନ୍ତେ ରାଜଧାନୀ ୱାଶିଂଟନ ଡିସିରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ସହରକୁ ସମ୍ପୂର୍ଣ୍ଣ ନାକାବନ୍ଦୀ କରାଯିବା ସହିତ ୨୫ହଜାର ସୁରକ୍ଷାକର୍ମୀ ମୁତୟନ ହୋଇଥିଲେ। ବିଚ୍ଛିନ୍ନତାବାଦୀଙ୍କ ପକ୍ଷରୁ ଆକ୍ରମଣ ଆଶଙ୍କାକୁ ଏଡାଇବା ପାଇଁ ଏଫବିଆଇ ଓ ପେଣ୍ଟାଗନ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥାକୁ ଆପଣାଇଥିଲା। ଏପରିକି ଆମେରିକାର ରାଜଧାନୀ ଗ୍ୟାରିସନ ସିଟିରେ ପରିଣତ ହୋଇଥିଲା। ଶପଥ ଗ୍ରହଣ ପରେ ବାଇଡେନ ଓ କମଳାଙ୍କୁ ପ୍ରେସିଡେନ୍ସିଆଲ ଏସକର୍ଟ ମାଧ୍ୟମରେ ହ୍ବାଇଟ ହାଉସକୁ ନିଆଯାଇଥିଲା। ବାଇଡେନ ହ୍ବାଇଟ ହାଉସର ଓଭାଲ ଅଫିସରେ ପହଞ୍ଚିବା ପରେ ତାଙ୍କ ଟେବୁଲ ଉପରେ ପରମ୍ପରାକ୍ରମେ ରଖାଯିବାକୁ ଥିବା ପୂର୍ବସୁରୀଙ୍କ କୌଣସି ପତ୍ର ନଥିଲା। ବାଇଡେନ ତାଙ୍କର ପ୍ରଥମ ସମ୍ବୋଧନରେ ନୂଆ ଆମେରିକା ଗଠନ ପାଇଁ ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି। ସେ କହିଛନ୍ତି ଏକତା ଆମର ଶକ୍ତି। ଏକତା ଯୋଗୁଁ ଆମେ କେବେ ପରାସ୍ତ ହୋଇନାହୁଁ। ତେଣୁ ଆଗାମୀ ଦିନରେ ଆମେରିକାବାସୀଙ୍କୁ ଏକଜୁଟ୍ ହେବାକୁ ସେ ଆହ୍ବାନ ଦେଇଛନ୍ତି। ଏହା ସହିତ ଆମେରିକାରୁ ଆତଙ୍କବାଦର ମୂଳୋତ୍ପାଟନ ଓ ଗୋରା ଲୋକଙ୍କ ଆଧିପତ୍ୟକୁ ହ୍ରାସ କରିବାକୁ ପ୍ରତିଜ୍ଞା କରିଛନ୍ତି।

ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ବାଇଡେନ କହିଛନ୍ତି, ଆଜି ହେଉଛି ଆମେରିକା ପାଇଁ ନୂଆ ଦିନ। ଆଜି ଆମେରିକା ପାଇଁ ଗଣତନ୍ତ୍ରର ଦିନ। ଆଜି ଆମେରିକା ପାଇଁ ଆଶା ଓ ଭରଷାର ଦିନ। ସେ କହିଛନ୍ତି ଯେ କୌଣସି ପ୍ରତିଯୋଗୀର ବିଜୟ ଉତ୍ସବ ପାଳନ ପାଇଁ ସେମାନେ ଏକତ୍ରିତ ହୋଇନାହାନ୍ତି, ବରଂ ସେମାନେ ଲୋକତନ୍ତ୍ରର ବିଜୟ ଉତ୍ସବ ପାଳନ ପାଇଁ ଏକତ୍ରିତ ହୋଇଛନ୍ତି। ସେ କହିଛନ୍ତି ଯେ ପୁଣିଥରେ ଆମେ ଅନୁଭବ କରୁଛେ ଯେ ଗଣତନ୍ତ୍ର ଅତ୍ୟନ୍ତ ମୂଲ୍ୟବାନ ଓ ସମ୍ବେଦନଶୀଳ ଏବଂ ଲୋକତନ୍ତ୍ରର ବିଜୟ ଘଟିଛି।

ଏହି ଅବସରରେ ସେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇବା ସହ କହିଛନ୍ତି ଯେ ଆମେରିକାରେ ଦୁଇ ସହ ବର୍ଷ ହେବ ଶାନ୍ତିପୂର୍ଣ୍ଣ କ୍ଷମତା ହସ୍ତାନ୍ତରଣର କିଛିଦିନ ପୂର୍ବରୁ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିଲା। ସେ କହିଛନ୍ତି,’ଉତ୍ସବ ସ୍ଥଳକୁ ଆସିନଥିବା ସେହି ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଉଛି କାରଣ ସେ ଆମେରିକାର ସେବା କରିବା ପାଇଁ ସୁଯୋଗ ପାଇଥିଲେ।’

ବାଇଡେନ କହିଛନ୍ତି ଯେ ଆମେ ସମସ୍ତେ ଭଲ ଲୋକ ଏବଂ ଆମକୁ ଦୀର୍ଘ ରାସ୍ତା ଅତିକ୍ରମ କରିବାର ଅଛି। ଆଗାମୀ ଦିନରେ ଆମକୁ ବହୁତ କିଛି କରିବାକୁ ପଡିବ ଏବଂ ସଫଳତା ହାସଲ କରିବାକୁ ପଡିବ। ସେ କହିଛନ୍ତି, ଏବେ ଆମେରିକାରେ ଯେଉଁଭଳି ପରିସ୍ଥିତି ଲାଗି ରହିଛି, ସେଭଳି ଆଗରୁ କେବେ ଘଟିନଥିଲା। ଦ୍ଵିତୀୟ ବିଶ୍ୱଯୁଦ୍ଧ ସମୟରେ ମଧ୍ୟ ଏଭଳି ହୋଇନଥିଲା ବୋଲି ବାଇଡେନ କହିଛନ୍ତି। ଲକ୍ଷ ଲକ୍ଷ ଲୋକ ଜୀବିକା ହରାଇଛନ୍ତି, ବ୍ୟବସାୟ ବନ୍ଦ ହୋଇଛି। ଆମେରିକାର ଭବିଷ୍ୟତ ନିର୍ଦ୍ଧାରଣ ପାଇଁ ଆମକୁ କଥାଠାରୁ ଅଧିକ ବେଗରେ କାର୍ଯ୍ୟ କରିବାର ଆବଶ୍ୟକତା ରହିଥିବା ସେ କହିଛନ୍ତି। ସମ୍ପୂର୍ଣ୍ଣ ଆମେରିକାକୁ ଏକଜୁଟ ରଖିବା ପାଇଁ ସେ ସମ୍ପୂର୍ଣ୍ଣ ସମର୍ପଣର ସହ କାର୍ଯ୍ୟ କରିବେ ବୋଲି ଶପଥ ଗ୍ରହଣ ସମାରୋହରେ କହିଛନ୍ତି।

ଆଜିର ଶପଥ ଗ୍ରହଣ ସମୟରେ ବାଇଡେନ କଳା ରଙ୍ଗର ସୁଟ୍‌ ପରିଧାନ କରିଥିବାବେଳେ କମଳା ହାରିସ୍‌ ବାଇଗଣୀ ରଙ୍ଗର ସୁଟ୍‌ ପିନ୍ଧିଥିଲେ। ବାଇଡେନଙ୍କ ପତ୍ନୀ ଜିଲ୍ ଓ କମଳାଙ୍କ ସ୍ବାମୀ ଡୌଗ ଏମହୋଫ ଶପଥ ଗ୍ରହଣ ଉତ୍ସବରେ ଉପସ୍ଥିତ ରହିଥିଲେ। ଶପଥ ଗ୍ରହଣ ପୂର୍ବରୁ ବାଇଡେନ ଚର୍ଚ୍ଚରେ ପ୍ରାର୍ଥନା କରିଥିଲେ। ୱାଶିଂଟନ ଡିସିସ୍ଥିତ ସେଣ୍ଟ ମ୍ୟାଥ୍ୟୁ କ୍ୟାଥେଡ୍ରାଲ୍‌ରେ ବାଇଡେନଙ୍କ ସହିତ ଡେମୋକ୍ରାଟିକ ଓ ରିପବ୍ଲିକାନ ନେତାମାନେ ଉପସ୍ଥିତ ରହିଥିଲେ। ବାଇଡେନଙ୍କ ସହିତ ଉଭୟ ଦଳର ସଦସ୍ୟଙ୍କ ଉପସ୍ଥିତି ଏକତାର ବାର୍ତ୍ତା ଦେଇଥିଲା। ତେବେ ବାଇଡେନଙ୍କର ଶପଥ ଗ୍ରହଣ ଉତ୍ସବରେ ବ୍ୟତିକ୍ରମ ଦେଖାଯାଇଥିଲା। ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଶପଥ ଗ୍ରହଣ ଉତ୍ସବରେ ଉପସ୍ଥିତ ରହି ନଥିଲେ। ଯାହା ଦେଶର ୧୫୦ବର୍ଷର ପରମ୍ପରାକୁ ଭାଙ୍ଗିଥିଲା। ବାଇଡେନଙ୍କ ଶପଥ ଗ୍ରହଣ ଉତ୍ସବରେ ଟ୍ରମ୍ପ ଉପସ୍ଥିତ ରହି ନଥିବାବେଳେ ନୂଆ ରାଷ୍ଟ୍ରପତିଙ୍କୁ ହ୍ବାଇଟ ହାଉସକୁ ସ୍ବାଗତ କି ନିମନ୍ତ୍ରଣ କରି ନଥିଲେ।

Comments are closed.