ଉପେନ୍ଦ୍ର କୁଶୱାହାଙ୍କୁ ଆଉ ଏକ ଝଟକା, ଜେଡିୟୁରେ ଯୋଗ ଦେଲେ ଆରଏଲଏସ୍‍ପିର ୩ ବିଧାୟକ

ପାଟନା : ଲୋକସଭା ନିର୍ବାଚନରେ ଖାତା ଖୋଲି ପାରିନଥିବା ରାଷ୍ଟ୍ରୀୟ ଲୋକ ସମତା ପାର୍ଟି (ଆରଏଲଏସ୍‍ପି) ଅଧ୍ୟକ୍ଷ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଉପରେନ୍ଦ୍ର କୁଶୱାହାଙ୍କୁ ଆଉ ଏକ ଝଟକା ଲାଗିଛି। ତାଙ୍କ ଦଳର ୨ ବିଧାୟକ ଓ ଜଣେ ବିଧାନ ପରିଷଦ ସଦସ୍ୟ ଦଳ ତ୍ୟାଗ କରି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସଂଯୁକ୍ତ ଜନତା ଦଳ (ଜେଡିୟୁ)ରେ ଯୋଗ ଦେଇଛନ୍ତି। ବିଧାନସଭା ବାଚସ୍ପତି ବିଜୟ କୁମାର ଚୌଧୁରୀ ଏବଂ ବିଧାନପରିଷଦ ଉପାଧ୍ୟକ୍ଷ ହରୁନ ରଶିଦ ରବିବାର ଏହି ସୂଚନା ଦେଇଛନ୍ତି। ଆରଏଲଏସ୍‍ପିର ବିଧାୟକ ଲଲନ ପାଶୱାନ ଏବଂ ସୁଧାଂଶୁ ଶେଖର, ବିଧାନ ପରିଷଦ ସଦସ୍ୟ ସଂଜୀବ ସିଂହ ଜେଡିୟୁରେ ଯୋଗଦେଇଛନ୍ତି। ଚୌଧୁରୀ ଓ ରଶିଦଙ୍କ କହିବା ଅନୁସାରେ ଆରଏଲଏସ୍‍ପିର ୨ ଜଣ ବିଧାୟକ ଓ ବିଧାନ ପରିଷଦର ଜଣେ ସଦସ୍ୟ ନିଜକୁ ଜେଡିୟୁ ବିଧାୟକ ମାନ୍ୟତା ଦେବାକୁ ଆବେଦନ କରିଥିଲେ। ଆବେଦନରେ ସେମାନେ ଜେଡିୟୁ ଅନୁମୋଦିତ ପତ୍ର ସଲଗ୍ନ କରିଥିଲେ। ସେମାନଙ୍କୁ ବ୍ୟକ୍ତିଗତ ଭାବେ ହାଜର ହୋଇ ଆବଶ୍ୟକ ଔପଚାରିକତା ପୂରଣ କରିବାକୁ କୁହାଯାଇଥିଲା। ସେମାନେ ଏହି ଔପଚାରିକତା ପୂରଣ କରିଛନ୍ତି। ତେଣୁ ସେମାନଙ୍କୁ ଏବେଠୁ ଜେଡିୟୁ ବିଧାୟକ ଭାବେ ଗଣାଯିବ।
ପ୍ରକାଶ ଯେ ବିଜେପି ନେତୃତ୍ୱାଧୀନ ଏନଡିଏରୁ ଅଲଗା ହୋଇ ମହାମେଣ୍ଟରେ ସାମିଲ ହେବା ନେଇ କୁଶୱାହାଙ୍କ ନିଷ୍ପତ୍ତିକୁ ଦଳୀୟ ନେତାମାନେ ବିରୋଧ କରିଥିଲେ। ଏହାପରେ ବି କୁଶୱାହା ମହାମେଣ୍ଟରେ ସାମିଲ ହୋଇଥିଲେ। ଲୋକସଭା ନିର୍ବାଚନରେ ଆରଏଲଏସ୍‍ପି ଗୋଟିଏ ବି ଆସନ ଜିତି ପାରିନାହିଁ। ଫଳରେ ଆରଏଲଏସ୍‍ପି ବିଧାୟକ ଦଳ ଛାଡ଼ି ଜେଡିୟୁରେ ଯୋଗ ଦେଇଛନ୍ତି।

Comments are closed.