ଜୋକୋଭିକ୍‌ଙ୍କୁ ୮ମ ଅଷ୍ଟ୍ରେଲିଆନ୍ ଓପନ୍‌ ଟାଇଟଲ

ମେଲ୍‌ବୋର୍ଣ୍ଣ : ସର୍ବିୟାର ନୋଭାକ୍ ଜୋକୋଭିକ୍ ଚଳିତବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟେନିସ୍ ଚମ୍ପିଆନ୍‌ସିପ୍ ଅଷ୍ଟ୍ରେଲିଆନ୍ ଓପନ୍‌ରେ ପୁରୁଷ ସିଙ୍ଗଲ୍‌ସ ଟାଇଟଲ ଜିତିଛନ୍ତି। ରବିବାର ଖେଳା ଯାଇଥିବା ଫାଇନାଲ ମ୍ୟାଚ୍‌ରେ ୨ୟ ସିଡ୍ ଜୋକୋଭିକ୍ ୧-୨ ସେଟ୍‌ରେ ପଛୁଆ ରହିବା ସତ୍ତ୍ବେ କଡ଼ା ମୁକାବିଲା କରି ୫ମ ସିଡ୍ ଅଷ୍ଟ୍ରିଆର ଡମିନିକ୍ ଥିଏମ୍‌ଙ୍କୁ ୬-୪, ୪-୬, ୨-୬, ୬-୩, ୬-୪ ସେଟ୍‌ରେ ପରାସ୍ତ କରିଛନ୍ତି। ଏହାପୂର୍ବରୁ ସର୍ବାଧିକ ଥର ଅଷ୍ଟ୍ରେଲିଆନ୍ ଓପନ୍‌ରେ ପୁରୁଷ ସିଙ୍ଗଲ୍‌ସ ଟାଇଟଲ ଜିତିବାର ବିଶ୍ବରେକର୍ଡ ମଧ୍ୟ ଜୋକୋଭିକ୍‌ଙ୍କ ନାମରେ ଥିଲା। ଏହି ତାଲିକାରେ ଆଉ ଏକ ଟାଇଟଲ ଯୋଗକରି ଜୋକୋଭିକ୍ ୮ମ ଅଷ୍ଟ୍ରେଲିଆନ୍ ଓପନ୍‌ ଟାଇଟଲ ଜିତି ପାରିଛନ୍ତି। କେବଳ ଏତିକି ନୁହେଁ; ଏହାକୁ ମିଶାଇ ଜୋକୋଭିକ୍ ୧୭ଶ ଗ୍ରାଣ୍ଡସ୍ଲାମ୍ ଟାଇଟଲ ଜିତିଛନ୍ତି। ରଜର ଫେଡେରରଙ୍କ ୨୦ଟି ଓ ରାଫେଲ ନାଦାଲଙ୍କ ୧୯ଟି ଗ୍ରାଣ୍ଡସ୍ଲାମ୍ ପୁରୁଷ ସିଙ୍ଗଲ୍‌ସ ଟାଇଟଲ ପରେ ଜୋକୋଭିକ୍‌ ୧୭ଟି ଟାଇଟଲ ସହ ୩ୟ ସ୍ଥାନରେ ରହିଛନ୍ତି। ଏଠାରେ ଚମ୍ପିଆନ୍ ହେବା ସହ ନୋଭାକ୍ ଜୋକୋଭିକ୍ ଆସନ୍ତା ସପ୍ତାହରେ ଏଟିପି ପକ୍ଷରୁ ପ୍ରକାଶ ପାଇବାକୁ ଥିବା ପୁରୁଷ ସିଙ୍ଗଲ୍‌ସ ମାନ୍ୟତାରେ ନାଦାଲଙ୍କୁ ପଦଚ୍ୟୁତ କରି ନୂଆ ୧ନଂ ଖେଳାଳି ହେବାକୁ ଯାଉଛନ୍ତି।

କେବଳ ଏତିକି ନୁହେଁ; ୩ଟି ଦଶନ୍ଧିରେ ଗ୍ରାଣ୍ଡସ୍ଲାମ୍ ସିଙ୍ଗଲ୍‌ସ ଟାଇଟଲ ଜିତିବାରେ ନୋଭାକ୍ ଜୋକୋଭିକ୍ ବିଶ୍ବର ପ୍ରଥମ ପୁରୁଷ ଖେଳାଳି ହୋଇଛନ୍ତି। ମହିଳା ବର୍ଗରେ ମାର୍ଟିନା ନଭ୍ରତିଲୋଭା ଓ ସେରେନା ୱିଲିୟମ୍‌ସ ଏହି କୃତିତ୍ବ ହାସଲ କରିଛନ୍ତି। ନୋଭାକ୍ ଜୋକୋଭିକ୍ ଓ ଡମିନିକ୍ ଥିଏମ୍‌ଙ୍କ ମଧ୍ୟରେ ଏହି ଫାଇନାଲ ମ୍ୟାଚ୍‌ରେ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା। ଜୋକୋଭିକ୍ ପ୍ରଥମ ସେଟ୍‌କୁ ଜିତି ନେଇଥିବା ବେଳେ ଥିଏମ୍ ଆକ୍ରମଣାତ୍ମକ ଟେନିସ୍ ପ୍ରଦର୍ଶନ କରି ପରବର୍ତ୍ତୀ ୨ଟି ସେଟ୍‌କୁ ହାତେଇ ନେଇଥିଲେ। ତେବେ ତାଙ୍କ ଅଭିଜ୍ଞତା ବଳରେ ଜୋକୋଭିକ୍ ପରବର୍ତ୍ତୀ ୨ଟି ସେଟ୍‌ ଜିତିନେଇ ମ୍ୟାଚ୍ ହାତେଇ ନେଇଥିଲେ। ଜୋକୋଭିକ୍‌ଙ୍କ ଏହି ବିଜୟ ସହ ଟେନିସ୍ ଦୁନିଆର ବିଗ୍ ୩ ଭାବେ ପରିଚିତ- ରଜର ଫେଡେରର, ରାଫେଲ ନାଦାଲ ଓ ନୋଭାକ୍ ଜୋକୋଭିକ୍ ଗ୍ରାଣ୍ଡସ୍ଲାମ୍ ଟୁର୍ଣ୍ଣାମେଣ୍ଟରେ ପୁରୁଷ ସିଙ୍ଗଲ୍‌ସ ଟାଇଟଲ ଉପରେ ସେମାନଙ୍କ ପ୍ରାଧାନ୍ୟ ଜାହିର ରଖିଛନ୍ତି। ୨୦୦୬ ୟୁଏସ୍ ଓପନ୍‌ରେ ସ୍ବିଜରଲାଣ୍ଡର ଷ୍ଟାନିଆସ୍ ୱାରିଙ୍କା ଚମ୍ପିଆନ୍ ହେବା ପରେ ସମସ୍ତ ଗ୍ରାଣ୍ଡସ୍ଲାମ୍‌ରେ ପୁରୁଷ ସିଙ୍ଗଲ୍‌ସ ଟାଇଟଲରେ ଉପରୋକ୍ତ ବିଗ୍-୩ ହିଁ ୧୩ଟିଯାକ ଟାଇଟଲ ଜିତିଛନ୍ତି। ଅନ୍ୟପକ୍ଷରେ ଏହି ସମୟରେ ୧୧ ଜଣ ୧୩ଟି ମହିଳା ସିଙ୍ଗଲ୍‌ସ ଟାଇଟଲ ଜିତିଛନ୍ତି। ୨୦୦୮ରେ ନୋଭାକ୍ ଜୋକୋଭିକ୍ ଅଷ୍ଟ୍ରେଲିଆନ୍ ଓପନ୍ ଜିତି ଜୀବନର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଜିତି ପାରିଥିଲେ। ଏହା ପରଠାରୁ ଏହି ଗ୍ରାଣ୍ଡସ୍ଲାମ୍ ସହ ଜୋକୋଭିକ୍‌ ତାଙ୍କ ପ୍ରେମ ସମ୍ପର୍କ ଜାରି ରଖିଛନ୍ତି। ଗତବର୍ଷ ମଧ୍ୟ ଜୋକୋଭିକ୍ ଏଠାରେ ଚମ୍ପିଆନ୍ ହୋଇଥିଲେ।

Comments are closed.