କୋଭିଡ ସଂଗ୍ରାମୀଙ୍କୁ ଆହ୍ୱାନ – କରୋନା ମହାମାରୀ ମୁକାବିଲାରେ ସାମିଲ ହୁଅନ୍ତୁ

ସମାଜ ପୋର୍ଟାଲ ଡେସ୍କ: ରାଜ୍ୟରେ କରୋନା ମହାମାରୀ ମୁକାବିଲାରେ ସ୍ଵେଚ୍ଛାସେବୀମାନଙ୍କୁ ଯୋଦ୍ଧା ଭାବରେ ଯୋଗଦେବା ପାଇଁ ଆଜି ରାଜ୍ୟ ସରକାର ଏକ ୱେବସାଇଟ ଉତ୍ସର୍ଗ କରିଛନ୍ତି। ଏହି ୱେବସାଇଟ ‘www.covidsangramee.odisha.gov.in’କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଉନ୍ମୋଚନ କରିଛନ୍ତି।

କରୋନା ମହାମାରୀର ମୁକାବିଲା ପାଇଁ ରାଜ୍ୟ ସରକାର ତାଙ୍କର ସମସ୍ତ ସମ୍ବଳ ବିନିଯୋଗ କରୁଥିବା ବେଳେ ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତିୟ ଅନୁଷ୍ଠାନ ତଥା ସ୍ଵେଚ୍ଛାସେବୀ ସଂଗଠନ ଏହି ବିପର୍ୟ୍ୟୟ ମୁକାବିଲାରେ ସରକାରଙ୍କୁ ସହଯୋଗ କରିବା ପାଇଁ ଆଗେଇ ଆସିଛନ୍ତି। ତେବେ ଅନେକ ବ୍ୟକ୍ତିବିଶେଷ ଅଛନ୍ତି ଯେଉଁମାନେ କୌଣସି ସଂସ୍ଥା ସହିତ ଜଡିତ ନୁହଁନ୍ତି, ମାତ୍ର ସ୍ଵ-ଇଚ୍ଛାରେ ଏହି ବିପର୍ୟ୍ୟୟ ମୁକାବିଲାରେ ସରକାରଙ୍କୁ ସହଯୋଗ କରିବା ପାଇଁ ଚାହୁଁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଵେଚ୍ଛାସେବୀମାନଙ୍କୁ କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାର ଗ୍ରହଣ କରିଥିବା ବିଭିନ୍ନ କାର୍ୟ୍ୟକ୍ରମରେ ସକ୍ରିୟ ସହଯୋଗ ଦେବା ପାଇଁ ସ୍ୱେଚ୍ଛାକୃତ ଭାବରେ ଆଗେଇ ଆସିବାକୁ ଆହ୍ୱାନ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି…
କରୋନା ଯୁଦ୍ଧର ଯୋଦ୍ଧା ହୁଅନ୍ତୁ
କୋରୋନା ମହାମାରୀ ସାରା ବିଶ୍ୱ ପାଇଁ ଏକ ବିରାଟ ଆହ୍ୱାନ ସୃଷ୍ଟି କରିଛିI ରାଜ୍ୟ ସରକାର ନିଜର ସମସ୍ତ ପ୍ରସ୍ତୁତି ସହିତ ଏହି ଅଭୂତପୂର୍ବ ମହାମାରୀର ମୁକାବିଲା କରୁଛନ୍ତିI ମାତ୍ର ଦିନକୁ ଦିନ ବଢିଚାଲିଥିବା ଏହି ମହାମାରୀକୁ ସଫଳତାର ସହିତ ପ୍ରତିହତ କରିବା ପାଇଁ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ସ୍ୱେଚ୍ଛାସେବୀ ଯୋଦ୍ଧାମାନଙ୍କର ଆବଶ୍ୟକତା ଅନୁଭୂତ ହେଉଛିI

ଇତି ମଧ୍ୟରେ ବିଭିନ୍ନ ଆନ୍ତର୍ଜାତିକ ସାହାଯ୍ୟ ପ୍ରଦାନକାରୀ ସଂସ୍ଥା ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସରକାରଙ୍କୁ ସହଯୋଗ କରିବା ପାଇଁ ସ୍ଵତଃସ୍ପୃତ ଭାବରେ ଆଗେଇ ଆସିଛନ୍ତିI ଆମ ସମାଜରେ ଏଭଳି ଅନେକ ବ୍ୟକ୍ତିବିଶେଷ ମଧ୍ୟ ଅଛନ୍ତି ଯେଉଁମାନେ ଏହି ମହାମାରୀ ବିରୁଦ୍ଧରେ ସରକାରଙ୍କ ଉଦ୍ୟମରେ ସକ୍ରିୟ ଯୋଗଦାନ କରିବା ପାଇଁ ଆଗ୍ରହୀI

ମୁଁ ମୋ ରାଜ୍ୟର ଏହି ଉଦାର ହୃଦୟର ବ୍ୟକ୍ତିମାନଙ୍କୁ ନିବେଦନ କରୁଛି ଯେ କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାର ଗ୍ରହଣ କରିଥିବା ବିଭିନ୍ନ କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ ଦେବା ପାଇଁ ସେମାନେ ସ୍ୱେଚ୍ଛାକୃତ ଭାବରେ ଆଗେଇ ଆସନ୍ତୁI ଯେଉଁମାନେ ଏହି କରୋନା ମହାମାରୀ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ରାଜ୍ୟର ଜନସାଧାରଣଙ୍କ ସେବାରେ ନିଜକୁ ଜଣେ ‘ଯୋଦ୍ଧା’ ଭାବରେ ନିୟୋଜିତ କରିବାକୁ ଚାହୁଁଛନ୍ତି ସେମାନେ covidsangramee.odisha.gov.in ରେ ନିଜକୁ ପଞ୍ଜୀକରଣ କରାଇବା ପାଇଁ ବିନମ୍ର ନିବେଦନI

ନବୀନ ପଟ୍ଟନାୟକ

ଏହି ୱେବସାଇଟଟିକୁ ମିଳିତ ଜାତିସଂଘର ଶିଶୁକଲ୍ୟାଣ ବିଭାଗ ସହଯୋଗରେ ଓଡିଶା ରାଜ୍ୟ ବିପର୍ୟ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଦ୍ଵାରା ବିକଶିତ କରାଯାଇଛି ଏବଂ ଏହାଦ୍ୱାରା ବ୍ୟକ୍ତି ବିଶେଷ ତଥା ସଂସ୍ଥାଗୁଡ଼ିକ ନିଜେ ପଞ୍ଜୀକୃତ କରିପାରିବେ ଏବଂ କେଉଁ କ୍ଷେତ୍ରରେ ତାଙ୍କର କାର୍ୟ୍ୟଦକ୍ଷତା ରହିଛି ବା କେଉଁ ଅଞ୍ଚଳଗୁଡିକରେ ସେମାନେ କାମ କରିବାକୁ ଇଚ୍ଛା କରୁଛନ୍ତି ସେ ବିଷୟରେ ମଧ୍ୟ ସବିଶେଷ ତଥ୍ୟ ଦେଇ ପାରିବେ। ସ୍ୱେଚ୍ଛାସେବୀମାନେ ଘରେ ରହି ବା ସରକାରୀ ଅଫିସଗୁ଼ଡିକରେ ବା ନିର୍ଦ୍ଧିଷ୍ଚ ଅଂଚଳ ଗୁଡିକରେ ଜନ ସଚେତନତା ଓ ସୂଚନା ଦେବା ତଥା ଅତ୍ୟାବଶ୍ୟକ ସେବା ଯୋଗାଇବା, ସ୍ୱାସ୍ଥ୍ୟ ତଥା ରିଲିଫ କ୍ୟାମ୍ପ ପରିଚାଳନା ଭଳି କାମ କରିପାରିବେ।

Comments are closed.