ଏହି ମହାନ୍‍ ଅଭିନେତାଙ୍କର ଆଜି ଶ୍ରାଦ୍ଧବାର୍ଷିକୀ : ମଜୁରୀଆରୁ ହୋଇଥିଲେ କମେଡ଼ି ବାଦ୍‍ସାହ

0

ମୁମ୍ବଇ : ନିଜ ଅଭିନୟ ମାଧ୍ୟମରେ ସମସ୍ତଙ୍କୁ ହସାଉଥିବା ଜନି ୱାକର୍‍ଙ୍କର ଆଜି ପବିତ୍ର ଶ୍ରାଦ୍ଧବାର୍ଷିକୀ। ତାଙ୍କର ପ୍ରକୃତ ନାମ ବଦ୍‍ରୁଦ୍ଦିନ୍‍ ଜମାଲୁଦ୍ଦିନ୍‍ ଥିଲା। ୫୦ ଓ ୬୦ ଦଶକରେ ହିନ୍ଦୀ ଚଳଚ୍ଚିତ୍ର ଜଗତରେ ବହୁ ଅନନ୍ୟ ଭୂମିକାରେ ଅଭିନୟ କରି ଆଜି ମଧ୍ୟ ସେ ଲୋକଙ୍କ ମନରେ ଏକ ଅଭୁଲା ସ୍ମୃତି ହୋଇ ରହିଛନ୍ତି।
ଜନି ୱାକର୍‍ଙ୍କ ଜନ୍ମ ମଧ୍ୟପ୍ରଦେଶର ଇନ୍ଦୋର୍‍ ଠାରେ ହୋଇଥିଲା। ଏକ ମଧ୍ୟବିତ୍ତ ପରିବାରରେ ଜନ୍ମ ନେଇଥିବା ଏହି ମହାନ କଳାକାରଙ୍କ ପିଲାଦିନ ବହୁ ସମସ୍ୟା ମଧ୍ୟ ଦେଇ ଗତି କରିଛି। ତାଙ୍କ ପିତା ଇନ୍ଦୋରର ଏକ କାରଖାନାରେ ମଜୁରୀଆ ଭାବେ କାମ କରୁଥିଲେ। ଜନି ମଧ୍ୟ ପିତାଙ୍କୁ ଏହି କାମରେ ସହଯୋଗ କରୁଥିଲେ। କିଛିଦିନ ପରେ କାରଖାନା ବନ୍ଦ ହୋଇଯିବା ଯୋଗୁଁ ତାଙ୍କର ପୁରା ପରିବାର ୧୯୪୨ ମସିହାରେ ମୁମ୍ବଇ ସ୍ଥାନାନ୍ତର ହୋଇଥିଲେ। ଜନି ୱାକର୍‍ ୧୦ ଭାଇଭଉଣୀ ମାନଙ୍କ ମଧ୍ୟରୁ ୨ୟ ଥିଲେ। ପିତାଙ୍କ ସହ ଘରର ଭରଣପୋଷଣର ଦାୟିତ୍ୱ ତାଙ୍କ ଉପରେ ମଧ୍ୟ ଥିଲା। ବହୁ ଚେଷ୍ଟା ପରେ ଜନିଙ୍କୁ ବସ୍‍ କଣ୍ଡକ୍ଟର୍‍ ଚାକିରି ମିଳିଥିଲା, ଯାହାଦ୍ୱାରା ତାଙ୍କୁ ମାସକୁ ୨୬ ଟଙ୍କା ମିଳୁଥିଲା। ସେ ଏହି ଚାକିରି କରୁଥିଲେ ସତ ହେଲେ ବାସ୍ତବରେ ତାଙ୍କର ଇଚ୍ଛା ଅଭିନୟ କ୍ଷେତ୍ରରେ ଥିଲା। ତେଣୁ ଚାକିରି କରୁଥିବା ସମୟରେ ମଝିରେ ମଝିରେ ସେ ମୁମ୍ବଇରେ ଥିବା ଷ୍ଟୁଡ଼ିଓ ମଧ୍ୟ ବୁଲିବାକୁ ଯାଉଥିଲେ। ଏହି ଅବସରରେ ଦିନେ ତାଙ୍କର ଭେଟ ନିର୍ଦ୍ଦେଶକ କେ. ଆସିଫ୍‍ଙ୍କ ସେକ୍ରେଟେରୀ ରଫିକ୍‍ଙ୍କ ସହ ହେଲା। ରଫିକ୍‍ଙ୍କ ବହୁ ଅନୁରୋଧ ପରେ ଚଳଚ୍ଚିତ୍ର ‘ଆଖ୍‍ରୀ ପୈମାନ’ ରେ ଜନିଙ୍କୁ ଏକ ଛୋଟ ଚରିତ୍ରରେ ଅଭିନୟ କରିବାର ସୁଯୋଗ ମିଳିଥିଲା। ସେହି ଚରିତ୍ର ପାଇଁ ତାଙ୍କୁ ୮୦ ଟଙ୍କା ମିଳିଥିଲା।
ସେହି ସମୟରେ ଅଭିନେତା ବଲ୍‍ରାଜ ସାହାନୀଙ୍କ ନଜର ଜନିଙ୍କ ଉପରେ ପଡ଼ିଲା। ସେ ତାଙ୍କୁ ଗୁରୁ ଦତ୍ତଙ୍କୁ ଭେଟିବାକୁ ପରାମର୍ଶ ଦେଇଥିଲେ। ତା’ପରେ ସେ ଗୁରୁ ଦତ୍ତଙ୍କୁ ଭେଟି ଏକ ମଦୁଆ ଚରିତ୍ରରେ ଅଭିନୟ କରି ତାଙ୍କ ମନ କିଣି ନେଇଥିଲେ। କୁହାଯାଏ ଯେ ଏହି ମଦୁଆ ଅଭିନୟ ଦେଖିବା ପରେ ଗୁରୁ ଦତ୍ତ ଖୁସି ହୋଇ ଏକ ଲୋକପ୍ରିୟ ମଦ ବ୍ରାଣ୍ଡ୍‍ ନାଁ’ରେ ତାଙ୍କୁ ଏହି ଜନି ୱାକର୍‍ ନାଁ ଦେଇଥିଲେ।
ଜନି ସେହି ସମୟର ବହୁ ନାମୀଦାମୀ ନିର୍ଦ୍ଦେଶକଙ୍କ ସହ କାମ କରିଥିଲେ। ତାଙ୍କର ମୁଖ୍ୟ ଚଳଚ୍ଚିତ୍ର ଗୁଡ଼ିକ ମଧ୍ୟରେ ‘ଜାଲ୍‍’, ‘ହମ୍‍ସଫର୍‍’, ‘ମୁଗଲ ଏ ଆଜାମ’, ‘ମେରେ ମେହେବୁବ୍‍’, ‘ବୋହୂ ବେଗମ’, ‘ମେରେ ହୁଜୁର୍‍’, ‘ଟ୍ୟାକ୍ସି ଡ୍ରାଇଭର୍‍’, ‘ଦେବଦାସ’, ‘ମଧୁମତୀ’, ଓ ‘ନୟା ଅନ୍ଦାଜ୍‍’ ଆଦି ବହୁ ଲୋକପ୍ରିୟତା ହାସଲ କରିଥିଲା।

Leave A Reply