‘ଏକ୍‍ ଭିଲେନ୍‍-୨’ରେ ଜନ୍‍ ଓ ଆଦିତ୍ୟ!

ମୁମ୍ବଇ: କିଛି ଦିନ ତଳେ ‘ପାଗଲପନ୍ତି’ ଚଳଚ୍ଚିତ୍ରରେ କମେଡ଼ି ଚରିତ୍ରରେ ଅଭିନୟ କରି ଦର୍ଶକଙ୍କୁ ହସାଇ ହସାଇ ବେଦମ କରିବା ପରେ ଜନ୍‍ ଆବ୍ରାହମ୍‍ ଏବେ ଗମ୍ଭୀର ଚରିତ୍ରରେ ନଜର ଆସିବେ। ତାଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ମଧ୍ୟରେ ‘ସତ୍ୟମେବ ଜୟତେ-୨’, ‘ଆଟାକ୍‍’ ଓ ‘ମୁମ୍ବଇ ସାଗା’ ଆଦି ରହିଛି। ଏସବୁ ଚଳଚ୍ଚିତ୍ର ବ୍ୟତୀତ ଜନ୍‍ ଖୁବଶୀଘ୍ର ଆଦିତ୍ୟ ରୟ କୁପରଙ୍କ ସହ ‘ଏକ୍‍ ଭିଲେନ୍‍-୨’ରେ ନଜର ଆସିବେ ବୋଲି ଶୁଣିବାକୁ ମିଳିଛି। ତେବେ ଏହା କେତେ ଦୂର ସତ ତାହା ଜଣାପଡ଼ି ନାହିଁ।

ସୂଚନା ଅନୁସାରେ, ମୋହିତ ସୁରୀଙ୍କ ନିର୍ଦ୍ଦେଶିତ ଆଗାମୀ ଚଳଚ୍ଚିତ୍ର ‘ଏକ୍‍ ଭିଲେନ୍‍-୨’ରେ ଜନ୍‍ ଅଭିନୟ କରିପାରନ୍ତି। ଏହା ପୂର୍ବରୁ ମୋହିତ ସିଦ୍ଧାର୍ଥ ମାଲହୋତ୍ରା ଓ ରିତେଶ ଦେଶମୁଖଙ୍କ ଅଭିନୀତ ‘ଏକ୍‍ ଭିଲେନ୍‍’ର ନିର୍ଦ୍ଦେଶନା ଦେଇଥିଲେ। ‘ଏକ୍‍ ଭିଲେନ୍‍-୨’ରେ ଜନ୍‍ ଓ ଆଦିତ୍ୟଙ୍କୁ ଏକାଠି ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି। ଚଳଚ୍ଚିତ୍ରକୁ ନେଇ ନିର୍ମାତା ଓ ନିର୍ଦ୍ଦେଶକ ଦୁହିଁଙ୍କ ସହ କଥା ହୋଇଛନ୍ତି। ମିଳିଥିବା ଖବର ଅନୁସାରେ, ଭୂଷଣ କୁମାର ଓ ଏକତା କପୁର ଏହାର ପ୍ରଯୋଜନା ଭାର ବହନ କରିବେ। ଏବେ ନିର୍ମାତା ଚଳଚ୍ଚିତ୍ର ପାଇଁ ନାୟିକା ସନ୍ଧାନରେ ଲାଗିଛନ୍ତି। ଜୁନ୍‍ ମାସରେ ଚଳଚ୍ଚିତ୍ରର ଶୁଟିଂ ଆରମ୍ଭ ହେବ ବୋଲି ଜଣାପଡ଼ିଛି।

Comments are closed.