ଯୋଗେଶ୍ବରଙ୍କ ନିଆରା ଉଦ୍ଭାବନ- ସ୍ମାର୍ଟ ହେଲମେଟ୍‌; ନ ପିନ୍ଧିଲେ ଗଡ଼ୁନି ବାଇକ

ନୀଳଗିରି: ଖେଳନା, ଟର୍ଚ୍ଚ ଓ ବ୍ୟାଟେରି ବିକି ନିଜ ପରିବାରକୁ ଦାନାକନା ଯୋଗାଉଥିବା ଜଣେ ସାଧାରଣ ଇଲେକ୍ଟ୍ରିକାଲ୍‌ ଦୋକାନୀଙ୍କ ଅସାଧାରଣ ଚିନ୍ତାଧାରା ସମ୍ପ୍ରତି ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି। ଦୁଇଚକିଆ ଯାନଚାଳକଙ୍କ ସୁରକ୍ଷା ନିମନ୍ତେ ରାଜ୍ୟ ଓ କେନ୍ଦ୍ର ସରକାର ଚିନ୍ତିତ ଥିବାବେଳେ ମାତ୍ର ଦେଢ଼ଦିନରେ ଏହି ଦୋକାନୀ ଜଣକ ଉଦ୍ଭାବନ କରିଛନ୍ତି ଏପରି ଏକ ସ୍ମାର୍ଟ ହେଲମେଟ, ଯାହାକୁ ନପିନ୍ଧିଲେ ଗଡ଼ୁନି ଗାଡ଼ି; ଅର୍ଥାତ ବାଇକ୍‌ ସହ ସଂଯୁକ୍ତ ହୋଇଥିବା ହେଲ୍‌ମେଟ୍‌ଟିକୁ ପିନ୍ଧିଲେ ହିଁ ତାହା ଷ୍ଟାର୍ଟ ହେବ ଓ ତାକୁ ଚଲାଇହେବ। ହେଲମେଟ ବିନା ବାଇକ ଚଳାଇବା ସୁରକ୍ଷିତ ନୁହେଁ, ଏହାରି ମାଧ୍ୟମରେ ସେ ଏହି ସଚେତନତା ମଧ୍ୟ ସୃଷ୍ଟି କରିପାରିଛନ୍ତି। କେବଳ ଏତିକି ନୁହଁ; ଏହି ସ୍ମାର୍ଟ ହେଲ୍‌ମେଟ୍‌ ଜରିଆରେ ବାଇକ ଚୋରିକୁ ମଧ୍ୟ ଯଥେଷ୍ଟ ପରିମାଣରେ ରୋକାଯାଇ ପାରିବ ବୋଲି ସେ ଦାବି କରିଛନ୍ତି।

ବାଲେଶ୍ୱର ଜିଲା ଅନ୍ତର୍ଗତ ନୀଳଗିରି ବଡ଼ଦାଣ୍ଡ ପାର୍ଶ୍ବରେ ଦୀର୍ଘ ୨୫ ବର୍ଷ ଧରି ଇଲେକ୍ଟ୍ରିକାଲ୍‌ ଦୋକାନ କରିଛନ୍ତି ଧୋବଶିଳା ଗାଁର ଯୋଗେଶ୍ୱର ମହାନ୍ତି ଓରଫ ପାଗଲା (୫୨)। ନନ୍ଦିଘୋଷ ଇଲେକ୍ଟ୍ରିକାଲ ନାମରେ ନିଜ ଦୋକାନର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। କିଛିଦିନ ପୂର୍ବରୁ ହେଲ୍‌ମେଟ୍‌ ପାଇଁ ପୁଲିସ ଧରପଗଡ଼ କରୁଥିବାବେଳେ ବାଲେଶ୍ୱରସ୍ଥିତ ଫକିରମୋହନ ଗୋଲେଇଠାରେ ଫସି ଯାଇଥିଲେ ଯୋଗେଶ୍ୱର। ଗାଡ଼ିଟିକୁ ସେହିଠାରେ ଛିଡ଼ା କରି ଦୌଡ଼ିଥିଲେ ଦୋକାନକୁ ଆଉ କିଣି ଆଣି ମୁଣ୍ଡରେ ପିନ୍ଧିଥିଲେ ହେଲମେଟ; ଫଳରେ ସେ ଜୋରିମାନା ଦେବାରୁ ବର୍ତ୍ତିଯାଇଥିଲେ।

ଏହି ଘଟଣା ଘରେ କହିବା ପରେ ପୁଅ ପବିତ୍ର ବହୁତ ମନଦୁଃଖ କରିଥିଲା। ପୁଅକୁ ଖୁସି କରାଇବାକୁ ଯାଇ ଯୋଗେଶ୍ୱର ଆରମ୍ଭ କଲେ ‘ନୋ ହେଲ୍‌ମେଟ୍‌, ନୋ ବାଇକ’ ପ୍ରକଳ୍ପ। ପ୍ରଥମେ ଏକ ଖେଳନା ବାଇକରେ ଏହି କୌଶଳ ପ୍ରୟୋଗ କରି ସଫଳ ହେବା ପରେ ସେ ବାଇକରେ ତାହାକୁ ଉପଯୋଗ କରିଥିଲେ। ସେ ବାଇକରେ ୨ଟି ସର୍କିଟ ଲଗାଇବା ସହ ହେଲ୍‌ମେଟ୍‌ରେ କଣ୍ଟ୍ରୋଲର ଲଗାଇଛନ୍ତି। ହେଲ୍‌ମେଟ୍‌ ପିନ୍ଧି ଫିତାକୁ ଲକ୍‌ ନ କରିବା ପର୍ଯ୍ୟନ୍ତ ବାଇକ ଷ୍ଟାର୍ଟ ହେବନାହିଁ। ସେହିପରି ବାଇକ ଆରୋହୀ ଜଣକ ଯଦି ନିଜ ହେଲ୍‌ମେଟ୍‌ ଫିତାକୁ ଲକ କରି ଧରିଥିବେ ଏବଂ ଏହାର ସୁଯୋଗରେ କେହି ବାଇକଟିକୁ ଚୋରି କରି ପଳାଇଯାଏ, ତେବେ ମାତ୍ର ୧୦ ମିଟର ଦୂରରେ ବାଇକର ଷ୍ଟାର୍ଟ ବନ୍ଦ ହେବା ସହ ହେଲମେଟକୁ ସିଗନାଲ ଦେଇଦେବ। ଏହି ନୂତନ କୌଶଳରେ ତିଆରି ହୋଇଥିବା ବାଇକ୍‌ ଦ୍ୱାରା ଜଣେ ଆରୋହୀ ନିଜ ଜୀବନ ସୁରକ୍ଷିତ ରଖିପାରିବା ସହ ବାଇକ ଚୋରିକୁ ମଧ୍ୟ ରୋକି ହେବ ବୋଲି କୁହାଯାଉଛି। ଏଥିପାଇଁ ମାତ୍ର ୩ ଶହରୁ ୪ ଶହ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ସେହିଭଳି ଏହି କୌଶଳକୁ କାର୍‌ରେ ମଧ୍ୟ ବିନିଯୋଗ କରିହେବ ବୋଲି ସମ୍ପୃକ୍ତ ଦୋକାନୀ କହିଛନ୍ତି। ଏଥିପ୍ରତି ସରକାରୀ ସ୍ତରରେ ଦୃଷ୍ଟି ଦିଆଗଲେ ହୁଏତ ଯୋଗେଶ୍ୱରଙ୍କ ଏହି ଚିନ୍ତାଧାରା ‘ନୋ ହେଲ୍‌ମେଟ୍‌, ନୋ ବାଇକ’ ଆଗାମୀ ଦିନରେ ଏକ ଉଦାହରଣ ସୃଷ୍ଟି କରିପାରିବ ବୋଲି ମତପ୍ରକାଶ ପାଇଛି।

Comments are closed.