ପତ୍ନୀଙ୍କୁ ସନ୍ତାନବତୀ କରିବା ପାଇଁ କଏଦୀଙ୍କୁ ୧୫ ଦିନ ପାରୋଲ

ଯୋଧପୁର : ପତ୍ନୀଙ୍କୁ ସନ୍ତାନବତୀ କରିବା ପାଇଁ ଜନୈକ କଏଦୀଙ୍କୁ ୧୫ ଦିନ ଛୁଟି (ପାରୋଲ) ଦେଇଛନ୍ତି ରାଜସ୍ଥାନ ଉଚ୍ଚ ନ୍ୟାୟାଳୟର ଯୋଧପୁର ପୀଠ। ମାତୃତ୍ବର ଅଧିକାର ସାବ୍ୟସ୍ତ ପାଇଁ ପତିଙ୍କୁ ଛାଡ଼ିବାକୁ ପତ୍ନୀ ଉଚ୍ଚ ନ୍ୟାୟାଳୟରେ ଆବେଦନ କରିଥିଲେ। ଏହାକୁ ଗ୍ରହଣ କରି ବିଚାରପତି କଏଦୀଙ୍କୁ ପିତୃତ୍ବର ସୁଯୋଗ ଦେଇଛନ୍ତି। ସମ୍ପୃକ୍ତ କଏଦୀ ୩୪ବର୍ଷୀୟ ନନ୍ଦଲାଲ ଏକ ମାମଲାରେ ଭିଲୱାଡ଼ା ଅଦାଲତ ଦ୍ବାରା ଦୋଷୀ ସାବ୍ୟସ୍ତ ହୋଇ ଆଜମେର କାରାଗାରରେ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି। ନନ୍ଦଲାଲ ୨୦୨୧ରେ ୨୦ଦିନ ପାଇଁ ପାରୋଲରେ ଯାଇଥିଲେ ଏବଂ ସେତେବେଳେ ତାଙ୍କର ବ୍ୟବହାର ଉତ୍ତମ ଥିଲା। ପାରୋଲ ଅବଧି ଶେଷ ମାତ୍ରେ ସେ କାରାଗାରକୁ ଫେରିଥିଲେ। ଏଥର ୧୫ଦିନର ଛୁଟିରେ ସେ ଶାନ୍ତିପୂର୍ଣ୍ଣ ଭାବେ ସାମାଜିକ ଜୀବନ ବିତାଇବା ଉଚିତ ବୋଲି ବିଚାରପତି ନିର୍ଦେଶ ଦେଇଛନ୍ତି। ଉଚ୍ଚ ନ୍ୟାୟାଳୟ ବିଚାରପତି ସନ୍ଦୀପ ମେହତା ଓ ଫରଜାନ୍ଦ ଅଲୀ ଏହି ମାମଲାରେ ସ୍ବାମୀ କାରାଦଣ୍ଡ ଭୋଗୁଥିବାରୁ ଆବେଦନକାରୀ ମହିଳା ରେଖାଙ୍କ ଭାବାବେଗ ଓ ଯୌନାକାଙ୍‌କ୍ଷା ପ୍ରଭାବିତ ହେଉଥିବା ଦର୍ଶାଇଛନ୍ତି।
ବିଚାରପତି ପାରୋଲ ଅନୁମତି ପ୍ରଦାନବେଳେ ଋକ୍‌ ବେଦ ସହ ଇସ୍‌ଲାମ ଓ ଖ୍ରୀଷ୍ଟ ଧର୍ମର ଦୃଷ୍ଟାନ୍ତ ରଖି ଗର୍ଭଧାରଣର ୧୬ଟି ଉପାଦାନ ଉପରେ ଚର୍ଚ୍ଚା କରିଛନ୍ତି। ବଂଶରକ୍ଷା ପାଇଁ ସନ୍ତାନବତୀ ହେବା ଭାରତୀୟ ଧାର୍ମିକ, ସାଂସ୍କୃତିକ ପରମ୍ପରାରେ ସ୍ବୀକୃତ। ଏ କ୍ଷେତ୍ରରେ ପୁରୁଷାର୍ଥର ସର୍ବାଧିକ ଭୂମିକା ରହିଛି। ଏ ସମ୍ପର୍କରେ ଏକାଧିକ ବିଚାର ବିଭାଗୀୟ ରାୟ ମଧ୍ୟ ରହିଛି। ସନ୍ତାନ ସମ୍ଭବା ହେବାର ଅଧିକାରକୁ ସମ୍ବିଧାନର ଧାରା-୨୧ ସ୍ବୀକୃତି ପ୍ରଦାନ କରିଛି। ଏହା ମହିଳାଙ୍କର ଅଧିକାର ବୋଲି ବିଚାରପତି ଦର୍ଶାଇଛନ୍ତି। କୌଣସି ନାଗରିକକୁ; ସେ କଏଦୀ ହୋଇଥିଲେ ମଧ୍ୟ ଆଇନର ଗଣ୍ଡି ଭିତରେ ନିଜର ବ୍ୟକ୍ତିଗତ ଜୀବନ ଓ ସ୍ବାଧୀନତାରୁ ବଞ୍ଚିତ କରାଯାଇପାରିବ ନାହିଁ ବୋଲି ସମ୍ବିଧାନ ଅଧିକାର ପ୍ରଦାନ କରିଛି। ସ୍ବାମୀ କାରାଗାରରେ ରହିବା ଦ୍ବାରା ବୈବାହିକ ଜୀବନ ବାଧାପ୍ରାପ୍ତ ହେଉଛି। ସ୍ବାମୀଙ୍କ ଭୁଲ୍‌ ପାଇଁ ନିର୍ଦୋଷ ପତ୍ନୀ କାହିଁକି ମାତୃତ୍ବ ଭଳି ଜୀବନର ଶ୍ରେଷ୍ଠ ଅଧିକାରରୁ ବଞ୍ଚିତ ହେବେ ବୋଲି ବିଚାରପତି ପ୍ରଶ୍ନ କରିଛନ୍ତି। ଏ କ୍ଷେତ୍ରରେ ସର୍ବୋଚ୍ଚ ନ୍ୟାୟାଳୟ ଦ୍ବାରା ପ୍ରଦତ୍ତ ‘ଡି ଭୂବନ ମୋହନ ପଟ୍ଟନାୟକ ବନାମ ଆନ୍ଧ୍ରପ୍ରଦେଶ’ ମାମଲା ରାୟକୁ ବିଚାରପତି ଉଦ୍ଧୃତ କରିଛନ୍ତି। କଏଦୀ ହେଲେ ମଧ୍ୟ ଜଣଙ୍କୁ ମୌଳିକ ଅଧିକାରରୁ ବଞ୍ଚିତ କରାଯାଇପାରିବ ନାହିଁ ବୋଲି ରାୟରେ ଉଲ୍ଲେଖ ରହିଛି। ସେହିଭଳି ୨୦୧୫ର ଯଶବୀର ସିଂହ ବନାମ ପଞ୍ଜାବ ସରକାର’ ମାମଲାରେ କଏଦୀଙ୍କ ବୈବାହିକ ଜୀବନ ସମ୍ପର୍କିତ ରାୟକୁ ବିଚାରପତି ଉଦ୍ଧୃତ କରିଛନ୍ତି।

Comments are closed.