ଗର୍ଭବତୀଙ୍କୁ କୋଭିଡ୍‌ କହି ଫେରେଇଦେଲା ଟାଟା ଡାକ୍ତରଖାନା ; ରାସ୍ତାରେ ଜନ୍ମ ପରେ ପ୍ରାଣ ହରାଇଲା ଶିଶୁପୁତ୍ର

ଯୋଡା : ଯୋଡା ଖଣି ଅଞ୍ଚଳରେ ଦିନକୁ ଦିନ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହେବାରେ ଲାଗିଛି। ଖଣି ଅଞ୍ଚଳବାସୀଙ୍କ ସ୍ୱାସ୍ଥ୍ୟସେବା ନିମନ୍ତେ ସରକାର ଜିଲା ଖଣିଜ ପାଣ୍ଠିରୁ ଯୋଗାଇ ଦେଉଥିବା ଅନୁଦାନ ସମୁଦ୍ରକୁ ଶଙ୍ଖେ ହୋଇଥିବାରୁ ଯୋଡା କମାରଯୋଡା ଠାରେ ଥିବା ୩୦ ଶଯ୍ୟା ବିଶିଷ୍ଟ ସରକାରୀ ଡାକ୍ତରଖାନା ପୁନଃ କାର୍ଯ୍ୟକ୍ଷମ ହୋଇପାରି ନଥିବାବେଳେ ସୋମବାର ବିଳମ୍ବିତ ରାତିରେ ଘଟିଥିବା ପୁଣି ଏକ ଅଭାବନୀୟ ଘଟଣା ଯୋଡାବାସୀଙ୍କ ମଧ୍ୟରେ ଉଦ୍‍ବେଗ ସୃଷ୍ଟି କରିଛି। ଡାକ୍ତରଖାନା ଫେରାଇଦେବାରୁ ଜଣେ ମହିଳା ରାସ୍ତାରେ ଏକ ଶିଶୁପୁତ୍ର ଜନ୍ମଦେବାର କିଛି ସମୟ ପରେ ସେ ପ୍ରାଣ ହରାଇଥିବା ଜଣାପଡ଼ିଛି।

କେନ୍ଦୁଝର ଜିଲା ଯୋଡା ବ୍ଲକ ଅନ୍ତର୍ଗତ ଜଲହରି ପଞ୍ଚାୟତ ଆଇଟିସି କଲୋନୀର ସୁକୁମଣି ପୂର୍ତ୍ତି ଗର୍ଭ ଯନ୍ତ୍ରଣା ହେବାରୁ କମାରଯୋଡା ସରକାରୀ ଡାକ୍ତରଖାନାରେ ସୋମବାର ଅପରାହ୍ନ ୨ଟାରେ ପହଞ୍ଚିଥିଲେ। ଅତ୍ୟଧିକ ଯନ୍ତ୍ରଣା ହେବାରୁ କମାରଯୋଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଶିଶିର ପଟ୍ଟନାୟକ ତାଙ୍କୁ ଅପରେସନ କରିବାକୁ ପଡ଼ିବ ବୋଲି କହିଥିଲେ। କିନ୍ତୁ ସେଠାରେ ଅପରେସନ ବ୍ୟବସ୍ଥା ନ ଥିବାରୁ ଜିଲା ମୁଖ୍ୟ ଚିକିତ୍ସାଳୟ କିମ୍ବା ଚମ୍ପୁଆସ୍ଥିତ ସରକାରୀ ଡାକ୍ତରଖାନାକୁ ନେଇଯିବା ପାଇଁ ପରାମର୍ଶ ଦେଇଥିଲେ। ତେବେ ପ୍ରସୂତିଙ୍କ ଶାଶୂ ଘାସ ନାଏକ ଏବଂ ତାଙ୍କ ସ୍ୱାମୀ କପିଳାସ ରାସ୍ତାର ଦୁରବସ୍ଥା ଯୋଗୁଁ ମହିଳାଙ୍କୁ ଯୋଡାସ୍ଥିତ ଟାଟା କମ୍ପାନୀର ଡାକ୍ତରଖାନାକୁ ନେବା ପାଇଁ ଚାହିଁଥିଲେ। ସୋମବାର ରାତି ପ୍ରାୟ ସାଢେ ୮ଟାରେ ସେମାନେ ଟାଟା କମ୍ପାନୀ ଡାକ୍ତରଖାନାରେ ପହଞ୍ଚିଥିଲେ। ସେଠାରେ ତାଙ୍କର ଚିକିତ୍ସା କରା ନ ଯାଇ ତାଙ୍କୁ ଡାକ୍ତର ନଥିବା କହି ଫେରାଇ ଦିଆଯାଇଥିଲା। ଏପରିକି ତାଙ୍କୁ ଆମ୍ବୁଲାନ୍ସ ମଧ୍ୟ ଯୋଗାଇ ଦିଆଯାଇ ନ ଥିଲା। ଫଳରେ ମହିଳାଙ୍କ ଶାଶୂ ଏବଂ ସ୍ୱାମୀ ୨ଜଣଙ୍କ କାନ୍ଧରେ ଭରାଦେଇ ସେ ଚାଲି ଚାଲି ୪ କିମି ଦୂରରେ ଥିବା ସରକାରୀ ଡାକ୍ତରଖାନାକୁ ଯିବାବେଳେ ମଙ୍ଗଳା ମନ୍ଦିର ନିକଟ ରାସ୍ତାରେ ସେ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ; ହେଲେ ଶିଶୁପୁତ୍ରଟି ଜନ୍ମ ହେବାର କିଛି ସମୟ ପରେ ମୃତ୍ୟୁ ଘଟିଥିଲା। ତେବେ ରକ୍ତାକ୍ତ ଅବସ୍ଥାରେ ମା’ ଏବଂ ଶିଶୁ ତଳେ ପଡ଼ିଥିବାବେଳେ ମା’ ଛଟପଟ ହେଉଥିବା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ଆମ୍ବୁଲାନ୍ସ ଡାକି ସରକାରୀ ଡାକ୍ତରଖାନାକୁ ପଠାଇଥିଲେ।

ଏବେ ମା’ ସୁସ୍ଥ ହୋଇ ଘରକୁ ଚାଲି ଯାଇଥିବାବେଳେ ଏହି ଘଟଣାଟି ବୁଦ୍ଧୀଜୀବୀ ମହଲରେ ଗଭୀର ରେଖାପାତ କରିଥିଲା। ଟାଟା ଭଳି ଏକ ବହୁରାଷ୍ଟ୍ରୀୟ କମ୍ପାନୀର ଡାକ୍ତରଖାନାରେ ଏଭଳି ଅବ୍ୟବସ୍ଥାକୁ କେହି ସହଜରେ ଗ୍ରହଣ କରିପାରି ନାହାନ୍ତି। ପରିଚାଳନାଗତ ତ୍ରୁଟି ଯୋଗୁଁ ଏହି ଡାକ୍ତରଖାନାରୁ ୭ଜଣ ଡାକ୍ତର ଇସ୍ତଫା ଦେଇ ଚାଲିଯାଇଥିବାବେଳେ ଅନ୍ୟ କେତେ ଜଣ କୋଭିଡ୍‌ ସଂକ୍ରମିତ ଥିବା ଜଣାପଡ଼ିଛି। ଫଳରେ ସ୍ୱାସ୍ଥ୍ୟସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି।

ଏ ସଂକ୍ରାନ୍ତରେ ଡାକ୍ତରଖାନାର ମୁଖ୍ୟ ପରିଚାଳକ ଏମ୍‍.କେ. ତ୍ରିପାଠୀଙ୍କୁ ପଚାରିବାରୁ ସେ ପ୍ରସୂତିଙ୍କ କୋଭିଡ୍‌ ଟେଷ୍ଟ କରାଯିବା ଫଳରେ ସେ ସଂକ୍ରମିତ ଥିବା ଜଣାପଡ଼ିଥିଲା। ତେବେ ତାଙ୍କର ଉପଯୁକ୍ତ ଚିକିତ୍ସା ନ କରି ଡାକ୍ତରଖାନାରୁ ତାଙ୍କୁ ପଳେଇଯିବାକୁ କିଏ ପରାମର୍ଶ ଦେଇଥିଲେ ସେଥିନେଇ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ। ଅନ୍ୟପକ୍ଷରେ ବିଜେପି ନେତା ମୁରଲୀମନୋହର ଶର୍ମା ଏହି ଘଟଣା ଦୁଃଖଦାୟକ ବୋଲି କହିବା ସହ ଜଣେ ଗର୍ଭବତୀଙ୍କୁ ଟାଟା ହସପିଟାଲ ଚିକିତ୍ସା ଯୋଗାଇ ନ ପାରିବା ପ୍ରସଙ୍ଗ ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି।

Comments are closed.