ବିଷାକ୍ତ ଖାଦ୍ୟ ଖାଇ ଧୋବାକୁଚୁଡା ଆଶ୍ରମ ବିଦ୍ୟାଳୟର ୧୦ ଅନ୍ତେବାସିନୀ ଅସୁସ୍ଥ

ଯୋଡା : କେନ୍ଦୁଝର ଜିଲା ଯୋଡା ବ୍ଲକ ଚମକପୁର ପଞ୍ଚାୟତର ଥିବା ଧୋବାକୁଚୁଡା ଠାରେ ଆଦିବାସୀ ଉନ୍ନୟନ ସଂସ୍ଥା ଦ୍ୱାରା ପରିଚାଳିତ ଧୋବାକୁଚୁଡା ପ୍ରାଥମିକ ଆଶ୍ରମ ବିଦ୍ୟାଳୟର ଛାତ୍ରୀନିବାସରେ ବିଷାକ୍ତ ଖାଦ୍ୟଖାଇ ଏକାଧିକ ଅନ୍ତେବାସିନୀ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିବ ଜଣାପଡ଼ିଛି।

ସୂଚନା ଅନୁଯାୟୀ, ମଙ୍ଗଳବାର ସମ୍ପୃକ୍ତ ଆବସିକ ବିଦ୍ୟାଳୟର କିଛି ବିଦ୍ୟାର୍ଥୀ ଖାଦ୍ୟ ଖାଇ ସାରିବା ପରେ ହଠାତ୍‍ ପେଟରେ ଯନ୍ତ୍ରଣା , ଝାଡା ଓ ବାନ୍ତି ସହିତ ମୁଣ୍ଡ ବୁଲାଇଥିବାର ଅଭିଯୋଗ କରିଥିଲେ। ସେମାନଙ୍କୁ ନିକଟସ୍ଥ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତୀ କରାଯାଇଥିଲା। ତେବେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହେବା କାରଣରୁ ପରେ ସେମାନଙ୍କୁ ଡାକ୍ତରଖାନାରୁ ଛାଡି ଦିଆଯାଇଥିଲା।

ତେବେ ବୁଧବାର ବିଦ୍ୟାଳୟର ଏକାଧିକ ଛାତ୍ରୀ ସମାନ କାରଣରୁ ଆକ୍ରାନ୍ତ ହେବାରୁ ଏକ ଡାକ୍ତରୀ ଦଳ ବିଦ୍ୟାଳୟରେ ପହଞ୍ଚି ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିଥିବାର ଖବର ମିଳିଛି। ତେବେ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ଦାୟୀତ୍ୱରେ ଥିବା ଡାକ୍ତର ସୁକନ୍ୟା ରାୟ ଓ ପବ୍ଲିକ ହେଲ୍‍ଥ୍‍ ଅଧିକାରିଣୀ ସଞ୍ଜୁରାଣୀ ପଣ୍ଡା ଏବଂ ତାଙ୍କ ଦଳ ପରୀକ୍ଷା ନିରୀକ୍ଷା ପରେ ବିଷାକ୍ତ ଖାଦ୍ୟ କାରଣରୁ ଫୁଡ୍‍ ପଏଜେନିଂ ହୋଇ ଏପରି ଘଟଣା ଘଟିଥିବାର ଗଣ ମାଧ୍ୟମକୁ ସୂଚନା ଦେଇଥିବା ସମୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବିଚନ୍ଦ୍ର ମହାନ୍ତ ଏହି ଘଟଣାକୁ ଅସ୍ୱୀକାର କରିଥିବାର ଖବର ମିଳିଛି। ଅପରପକ୍ଷେ ପିଲାମାନେ ଖାଦ୍ୟ ଗ୍ରହଣ ପରେ ଶୀତ ଯୋଗୁଁ ପାଣି ପିଇନଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହେଲା ବୋଲି ମହାନ୍ତ ସଫେଇ ଦେଇଛନ୍ତି । ତେବେ ଖବର ଲେଖାହେବା ପର୍ଯ୍ୟନ୍ତ ଶିକ୍ଷା ବିଭାଗ କିମ୍ବା ଆଦିବାସୀ ଉନ୍ନୟନ ସଂସ୍ଥାରୁ କୌଣସି ଅଧିକାରୀ ସ୍କୁଲରେ ପହଞ୍ଚି ନ ଥିବା ଜଣାପଡିଛି।

Comments are closed.